ବିଧିରକ୍ଷାରେ ସୀମିତ ହେବ ନୂଆଁଖାଇ

Get real time updates directly on you device, subscribe now.

ବଲାଙ୍ଗୀର/ସୋନପୁର/ସମ୍ବଲପୁର,(ବି.ବି.ବୁ୍ୟରୋ): ସକାଳ ପାହିଲେ ନୂଆଁଖାଇ । ପଶ୍ଚିମ ଓଡ଼ିଶାର ଅଧିÂାତ୍ରୀ ଇଷ୍ଟଦେବୀ ମା’ ସମଲେଶ୍ୱରୀ ଓ ମାଣିକେଶ୍ୱରୀଙ୍କ ନିକଟରେ ଶୁଭ ଲଗ୍ନରେ ଲାଗି ହେବ ନବାନ୍ନ । ଚଳିତ ବର୍ଷ ଅଗଷ୍ଟ ୨୩ ତାରିଖରେ ଅର୍ଥାତ ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀ ତିଥି ରବିବାର ୯.୩୫ ମିନିଟ୍ ଗତେ ଏବଂ ୯.୫୦ ମିନିଟ୍ ମଧ୍ୟ ତୁଳା ଲଗ୍ନରେ ଦେବୀ ମା’ ସମଲେଶ୍ୱରୀ ଓ ମାଣିକେଶ୍ୱରୀଙ୍କ ଠାରେ ନାବାନ୍ନ ଲାଗି ହେବ । ତା’ ପରେ ଲୋକେ ନିଜ ନିଜ ଘରେ ଅଧିÂାତ୍ରୀ ଦେବୀଙ୍କୁ ପୂଜାର୍ଚ୍ଚନା କରି ନବାନ୍ନ ଗ୍ରହଣ କରିବେ । ଏଥିପାଇଁ ପୁରା ପ୍ରସ୍ତୁତି ସରିଛି । ମା’ଙ୍କ ନବାନ୍ନ ପାଇଁ ନୂଆ ଧାନ ଠାରୁ ଆରମ୍ଭ କରି ନୂଆଁ ଶାଢ଼ି ଅନ୍ୟାନ୍ୟ ପୂଜା ପାଇଁ ସମଗ୍ରୀ ପ୍ରସ୍ତୁତି ସରିଛି । କେବଳ ସକାଳକୁ ଅପେକ୍ଷା ।
ଅନ୍ୟ ପକ୍ଷରେ ନୂଆଁଖାଇ ପାଇଁ କାହିଁ କେତେଦିନରୁ ଚାଲି ଆସିଥାଏ ପ୍ରସ୍ତୁତି । ଘର ଲିପାପୋଛାରୁ ଆରମ୍ଭ କରି ଚୂନା ପ୍ରସ୍ତୁତି, ପତ୍ର ତୋଳାରୁ ନୂଆଁଧାନର ଚରୁ ପ୍ରସ୍ତୁତି ଆଦି କାମରେ ମହିଳାମାନେ ବ୍ୟସ୍ତ ରହୁଥିବା ବେଳେ ପୁରୁଷମାନେ ହଳଲଙ୍ଗଲର ସାଜସଜ୍ଜାରୁ ଗୁହାଳ ପୋଛା ଆଉ ସାମଗ୍ରୀ କିଣାରେ ବ୍ୟସ୍ତ ରହିଥାନ୍ତି । ଆଉ ଘରର ପ୍ରତିଟି ସଦସ୍ୟ ଏକାଠି ହେବେ ବୋଲି ଖୁସିରେ ପାଦ ତଳେ ଲାଗୁନଥାଏ । ଏହାହିଁ ତ ହେଉଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇର ବିଶେଷତ୍ୱ । ହେଲେ ଏବର୍ଷ ମହାମାରୀ କରୋନା ଏହି ଗଣପର୍ବର ସରାଗକୁ ଲୁଟି ନେଇଛି । ବାହାରେ ରହୁଥିବା ଘରର ପୁଅ ଫେରିପାରୁନି କି ନୂଆଁଖାଇର ଅନ୍ୟତମ ଆକର୍ଷଣ ଭାବେ ମଂଚ ଦୁଲୁକାଉଥିବା ଭେଟଘାଟ ସାଂସ୍କୃତିକ କାର୍ଯ୍ୟକ୍ରମ ବି ହେଇପାରୁନି । ଏଭଳି ସ୍ଥିତିରେ ଅନେକ ଗାଁରେ ସବୁ ଜାତିର ଲୋକ ଏକାଠି ହୋଇ ନୂଆଁ ଖାଉଥିବା ପରମ୍ପରା ତ ଭାଙ୍ଗିବ, ତା ସାଙ୍ଗକୁ ବହୁକୁଟୁମ୍ବୀ ପରିବାରରେ ଚାଲି ଆସିଥିବା ଦଶନ୍ଧି ଦଶନ୍ଧିର ଏକତ୍ର ନୂଆଁ ଖାଇବାର ପରମ୍ପରା ବି ଭାଙ୍ଗିବାକୁ ଯାଉଛି । ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଉଛି ଯେ, ନୂଆଁଖାଇରେ ଗାଁ ଗହଳିରେ ପିଢିପିଢି ଧରି ଦିଆନିଆ ହେଉଥିବା ଡାଲି ଚାଉଳ ପରିବା ଥାଳି (ଅଢିଆ)ର ପରମ୍ପରା ବି ଏଥର ସଙ୍କଟରେ ପଡିଗଲାଣି । ମୋଟ୍ ଉପରେ କହିବାକୁ ଗଲେ ଏବର୍ଷ ନୂଆଁଖାଇ କେବଳ ବିଧିରକ୍ଷାରେ ସୀମିତ ହେବାକୁ ଯାଉଛି ।
ମହାମାରୀ କରୋନା ସାରା ଦୁନିଆଁକୁ ଅସ୍ତବ୍ୟସ୍ତ କରି ଦେଲାଣି । ପ୍ରତିଟି ମୁହୁର୍ତ୍ତରେ ଜୀବନ ଜୀବିକାକୁ ନେଇ ମଣିଷ ସନ୍ତୁଳି ହେଉଛି । ଅଗଣିତ ଲୋକଙ୍କ ଜୀବିକାକୁ ଏହି ମହାମାରୀ ଛଡ଼ାଇ ନେଇଥିବା ବେଳେ ଅନେକ ନିରୀହ ଜୀବନ ବି ନେଇସାରିଛି । ଆଉ ଏହାର ପ୍ରତିକାର ପାଇଁ ଲାଗୁ କଟକଣା ଜୀବନକୁ ବି ଦୁର୍ବିସହ କରି ଦେଲାଣି । ଦୀର୍ଘ ୫ ଧରି ସବୁ ପର୍ବପର୍ବାଣୀ ଯାନିଯାତ ବି ଠପ୍ ପଡ଼ିଯାଇଛି । ଏଭଳି ସ୍ଥିତିରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଆସି ପହଞ୍ଚିଛି । ଏହି ପର୍ବ ପାଇଁ ପ୍ରସ୍ତୁତି ବି ସରିଛି । ହେଲେ କାହାରି ମନରେ କାଣିଚାଏ ବି ହରସ ନାହିଁ ।
କ୍ୱାରେଣ୍ଟାଇନ୍ର ବାଧ୍ୟବାଧକତା ଭିତରେ ବାହାରେ ରହୁଥିବା ରୋଜଗାରିଆ ପୁଅ ବି ଘରକୁ ଫେରିପାରୁନାହିଁ । ଆଉ ଆସିବାକୁ ଚାହିଁଲେ ବି ଗମନାଗମନ ସ୍ୱାଭାବିକ ହୋଇପାରିନାହିଁ । ସମ୍ବଲପୁର ଜିଲ୍ଲାରେ ଘରୋଇ ବସ୍ ସେବା ଏକପ୍ରକାର ଠପ୍ ପଡିଲା ଭଳି ସ୍ଥିତିରେ ରହିଛି । ଦୀର୍ଘ ମାସ ଧରି ବନ୍ଦ ରହିବା ପରେ କିଛିଦିନ ହେଲା ଚାଲିଥିଲେ ହେଁ ୩ ଶହ ବସ୍ରୁ ମାତ୍ର ୩୦ରୁ ୩୫ଟି ବସ୍ ଚାଲୁଛି । ସେପଟେ, ପଶ୍ଚିମ ଓଡ଼ିଶାର ଅନେକ ଗାଁରେ ଜାତି ଧର୍ମ ନିର୍ବିଶେଷରେ ସବୁ ଗ୍ରାମବାସୀ ଏକାଠି ନୂୂଆଁ ଖାଇବାର ପରମ୍ପରା ଚାଲି ଆସିଛି । ଏହାଛଡ଼ା ସମ୍ବଲପୁର ସହରର ନନ୍ଦପଡାର ମିଶ୍ର ପରିବାର ଭଳି ପୁରପଲ୍ଲୀରେ ବହୁ ବଡ଼ବଡ଼ ପରିବାରରେ ଶତାଧିକ ସଂଖ୍ୟାରେ ସଦସ୍ୟ ଏକାଠି ନୂଆଁ ଖାଉଥିବା ବେଳେ ଏବର୍ଷ ଏହି ପରମ୍ପରା ଭାଙ୍ଗିବାକୁ ଯାଉଛି । ସେହିପରି ଅନେକ ଗାଁରେ ନୂଆଁଖାଇ ଦିନ ଗାଁର ଗୌନ୍ତିଆ ତଥା ଜମିଦାରମାନେ ସମଗ୍ର ଗ୍ରାମବାସୀଙ୍କୁ ଏକାଠି କରି ଜୁହାର୍ ଭେଟ୍ ପର୍ବ ଆୟୋଜନ କରିବା ସହିତ ଗାଁର ହାନିଲାଭ ଚର୍ଚ୍ଚା କରିଥାନ୍ତି । ପୁଣି କେତେକ ଗାଁରେ ନୂଆଁଖାଇ ଅପରାହ୍ନରେ ବିଭିନ୍ନ ପ୍ରତିଯୋଗିତା ତଥା ଖେଳକୁଦ ଆସର ଜମିଥାଏ । ହେଲେ ଏବର୍ଷ ଏହି ସବୁ ପରମ୍ପରାରେ ବିରାମ ପଡ଼ିବା ଏକପ୍ରକାର ଥୟ ହେଲାଣି ।
ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଉଛି ଯେ, ଏହି ଦିନ ଗାଁ ଗହଳିରେ ଜାତି ବର୍ଣ ନିର୍ବିଶେଷରେ ଘରକୁ ଘର ପିଠାପଣା ସାଙ୍ଗକୁ ଅଢିଆ ଥାଳି ଦିଆନିଆର ଏକ ପରମ୍ପରା କାହିଁ କେଉଁ କାଳରୁ ଚାଲି ଆସିଛି । ଥାଳିରେ ଚାଉଳ, ମୁଗ ସାଙ୍ଗକୁ ବିଭିନ୍ନ କଞ୍ଚା ପରିବା ଦିଆନିଆ ହୋଇଥାଏ । ଏହାକୁ ପଶ୍ଚିମ ଓଡିଶାରେ ଅଢିଆ ବୋଲି କୁହାଯାଇଥାଏ । ତେବେ, ଏବର୍ଷ କରୋନା ସଂକ୍ରମଣ ଭୟରେ ଲୋକଙ୍କ ମଧ୍ୟରେ ଏହି ଥାଳିର ଆଦାନପ୍ରଦାନ ବି ବନ୍ଦ ହେବାର ଆଶଙ୍କା ସୃଷ୍ଟି ହୋଇଛି । ମୋଟ୍ ଉପରେ କହିବାକୁ ଗଲେ, ଦୀର୍ଘ ମାସ ଧରି ଜୀବନ ଜୀବିକା ସହ ସନ୍ତୁଳି ହେଉଥିବା ଚାଷୀ ପାଖରେ ବି ବଡ଼ ଆୟୋଜନରେ ନୂଆଁଖାଇ ପାଳନ ପାଇଁ ଅଣ୍ଟାରେ ପଏସା ଟିଏ ନାହିଁ । ଫଳରେ ଏହି ମହାନ କୃଷିଭିତ୍ତିକ ପର୍ବ ଏକପ୍ରକାର ବିଧିରକ୍ଷାରେ ସୀମିତ ହେବାକୁ ଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons