ମାଲକାନଗିରି,(ବି.ବି.ନୁ୍ୟଜ୍): ମାଓବାଦୀ ମାଧବ ମାଡକାମୀ(୨୨) ଓରଫ ମନୁ ରବିବାର ମାଲକାନଗିରି ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଋଷିକେଶ ଡି ଖିଲାରୀ ମାଧବଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ସରକାରୀ ନିୟମ ଅନୁସାରେ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି । ଏହା ପୁଲିସ ପାଇଁ ଏକ ବଡ଼ ସଫଳତା ବୋଲି ମଧ୍ୟ ଏସ୍ପି ପ୍ରକାଶ କରିଛନ୍ତି । ମାଓବାଦୀଙ୍କ ନୀତି ଆଦର୍ଶ ଏବେ ସାଧାରଣ ଲୋକଙ୍କ ବିରୋଧୀ ହୋଇଥିବା ମନୁ ପୁଲିସ ନିକଟରେ କହିଛନ୍ତି ।
ସୂଚନା ଅନୁସାରେ, ମାଧବ ମାଓବାଦୀ ଦରଭା ଡିଭିଜନ ମହୁପଦର ତୁଳସୀ ପାହାଡ଼ ଦଳମ୍ରେ ସକ୍ରିୟ ରହିଥିଲେ । ତାଙ୍କ ନିଜ ଘର ଛତିଶଗଡ଼ ଦନ୍ତେୱାଡା ଜିଲ୍ଲା କାକୋଣ୍ଡା ଥାନା କାଙ୍କେରପଡା ଗାଁରେ । ୨୦୧୩ରେ ଅଧାରୁ ପାଠପଢ଼ା ଛାଡ଼ିଥିଲେ । ୨୦୧୫ ରେ ଦରଭା ଡିଭିଜନ ମାଓ ସଂଗଠନରେ ସାମିଲ ହୋଇଥିଲେ । ଛତିଶଗଡ଼-ଓଡ଼ିଶା ବର୍ଡର ମିଲିଟାରୀ ପ୍ଲାଟୁନରେ କାମ କରୁଥିଲେ । ୨୦୧୯ରେ ବନ୍ଧୁକଚାଳନା, ଲ୍ୟାଣ୍ଡମାଇନ ବିସ୍ଫୋରଣ, ଗରିଲା ଯୁଦ୍ଧ ସହ ସବୁପ୍ରକାର ତାଲିମ ନେଇଥିଲେ । ପରେ ମହୁପଦର ମାଓବାଦୀ ଦଳମ୍ ଲିଡର ଏସିଏମ ମୁନିଙ୍କ ଅଧୀନରେ ରହି ବିଭିନ୍ନ ମାଓ ହିଂସାକାଣ୍ଡରେ ସାମିଲ୍ ହୋଇଥିଲେ ।
ମନୁ କହିଛନ୍ତି, ମାଓ ସଂଗଠନଗୁଡିକ ଧୀରେ ଧୀରେ ସତ୍ତା ହରାଇବାରେ ଲାଗିଛନ୍ତି । ଆଦିବାସୀ ତଳିଆ କ୍ୟାଡରଙ୍କ ଉପରେ ଭେଦଭାବ ରଖି ବଡ଼ନେତାମାନେ ଜୁଲମ କରୁଛନ୍ତି । ମହିଳା ମାଓବାଦୀଙ୍କ ଉପରେ ଅତ୍ୟାଚାର କରାଯାଉଛି । ସରକାରଙ୍କ ବିରୋଧରେ ବିଭିନ୍ନ କଥା କହି ଗାଁ ଲୋକଙ୍କୁ ଧମକ ଦିଆଯାଇ ସଂଗଠନରେ ସାମିଲ କରାଯାଉଛି । ଏପରିକି ମହିଳା, ଯୁବତୀ ଓ ସାନ ପିଲାମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଦଳରେ ସାମିଲ କରାଯାଉଛି । ପ୍ରଥମେ ମାଓବାଦୀଙ୍କ ଚେତନା ନାଟ୍ୟ ଦଳମରେ ଭର୍ତ୍ତି କରାଯାଇ ପରେ ବିଭିନ୍ନ ହିଂସାକାଣ୍ଡ ଘଟାଇବା ଲାଗି ତାଲିମ ଦିଆଯାଉଛି । ମାଓବାଦୀମାନେ ଗାଁ ଲୋକଙ୍କ କିଛି ଉପକାର କରୁନାହାନ୍ତି ବରଂ ସେମାନଙ୍କୁ ହତ୍ୟା ଓ ମାରଧର କରୁଛନ୍ତି । ମାଓବାଦୀ ଭୟରେ ବିଭିନ୍ନ ଗାଁରେ ଉନ୍ନୟନ କାମ ହୋଇପାରୁନି । ଛତିଶଗଡ଼ ସୀମାନ୍ତ ମହୁପଦର, ଟେମ୍ରୁପାଲ୍ଲୀ, କର୍ତ୍ତନପାଲ୍ଲୀ, ତେନ୍ତୁଲିଗୁମ୍ମା ବିଏସଏଫ କ୍ୟାମ୍ପ ଜରିଆରେ ମାଓଦମନ ଓ ଲୋକଙ୍କୁ ସୁରକ୍ଷା ପ୍ରଦାନ ଜୋର୍ ଚାଲିଥିବା ବେଳେ ମାଓବାଦୀମାନେ ଆତ୍ମସମର୍ପଣ ଯୋଜନାରେ ପ୍ରଭାବିତ ହୋଇଥିବା ମାଧବ କହିଛନ୍ତି ।
Comments are closed, but trackbacks and pingbacks are open.