ଗୋଟିଏ ନମ୍ବରରେ ଚାଲୁଥିଲା ସ୍କୁଟର ଓ ଟ୍ରକ୍

Get real time updates directly on you device, subscribe now.

କେନ୍ଦୁଝର,(ବି.ବି.ନୁ୍ୟଜ୍): ୧୫ ବର୍ଷ ହେଲା ଗୋଟିଏ ନମ୍ବରରେ ଚାଲୁଥିଲା ସ୍କୁଟର ଓ ଟ୍ରକ୍ । ନିକଟରେ ସ୍କୁଟରର ବୀମା କରିବା ସମୟରେ ଧରାପଡିଛି ଏହି ସାଘାଂତିକ ତଥ୍ୟ । ପରିବହନ ବିଭାଗର ଖାମଖିଆଲି ପାଇଁ ଏଭଳି ହୋଇଥିବା କୁହାଯାଉଥିବା ବେଳେ ସମାନ ନମ୍ବରରେ ଟ୍ରକ୍ ଓ ସ୍କୁଟର କିଭଳି ଚାଲୁଥିଲା ବୋଲି ଚର୍ଚ୍ଚା ହେଉଛି । ସ୍କୁଟର ନମ୍ବରଟି କେନ୍ଦୁଝର ପରିବହନ ବିଭାଗର ହୋଇଥିବା ବେଳେ ସେହି ଏକା ନମ୍ବର ଚଣ୍ଡିଖୋଲ ଅଞ୍ଚଳର ଏକ ଟ୍ରକ୍କୁ କିଭଳି ଦିଆଯାଇଥିଲା ଏବଂ ତାହା ପୁଣି କେନ୍ଦୁଝର ପରିବହନ ବିଭାଗର ଅଜ୍ଞାତରେ ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଏହା କୌଣସି ଚୋରା ଗାଡି ନୁହେଁ ତ ବୋଲି ପ୍ରଶ୍ନ ମଧ୍ୟ ଉଠିଛି ।
କେନ୍ଦୁଝର ଅଞ୍ଚଳର ସରସ୍ୱତୀ ପାତ୍ର ନାମକ ଜଣେ ମହିଳା ଏକ ସ୍କୁଟର କିଣିବା ପରେ ସ୍ଥାନୀୟ ପରିବହନ ବିଭାଗରେ ଏହା ପଞ୍ଜିକରଣ ପାଇଁ ୨୦୦୫ ମସିହା ଅଗଷ୍ଟ ୧୨ ତାରିଖରେ ଆବେଦନ କରିଥିଲେ । ପରିବହନ ବିଭାଗ ପକ୍ଷରୁ ମହିଳାଙ୍କୁ (ଓଆର୍ ୦୯ ଏଫ୍ ୭୯୭୭) ନମ୍ବର ଦିଆଯାଇଥିଲା । ଉକ୍ତ ନମ୍ବରକୁ ବ୍ୟବହାର କରି ଏହାର ମାଲିକ ପ୍ରତ୍ୟେକ ବର୍ଷ ବୀମା କରି ଚାଲିଥିଲେ । ନିକଟରେ ବୀମା କରିବା ସମୟରେ ଉକ୍ତ ନମ୍ବରଟି ଏକ ଟ୍ରକ୍ର ବୋଲି ଜଣାପଡିଥିଲା । ମାତ୍ର ପରିବହନ ବିଭାଗ ପକ୍ଷରୁ ସମସ୍ତ କାଗଜପତ୍ର ମହିଳାଙ୍କ ନିକଟରେ ଥିବା ବେଳେ ଏହା କେମିତି ଟ୍ରକ୍କୁ ଦିଆଯାଇଛି ବୋଲି ସେ ପରିବହନ ବିଭାଗର ଦ୍ୱାରସ୍ଥ ହେଲେ । ଯାଞ୍ଚ ସମୟରେ ଉକ୍ତ ନମ୍ବର କେନ୍ଦୁଝର ପରିବହନ ଅଧିନରେ ହୋଇଥିବା ବେଳେ ଚଣ୍ଡିଖୋଲ ଅଞ୍ଚଳର ରାଜେନ୍ଦ୍ର ସାହାଣୀ ନାମକ ଜଣେ ବ୍ୟକ୍ତିଙ୍କ ଟ୍ରକ୍କୁ ଦିଆଯାଇଛି ବୋଲି ଅନ୍ଲାଇନ୍ରୁ ଜଣାପଡିଥିଲା ।
ନିୟମ ମୁତାବକ କୌଣସି ଜିଲ୍ଲାର ନମ୍ବର ନେବାକୁ ଚାହିଁଲେ ସେଠାକାର ପରିବହନ ବିଭାଗ ସମ୍ପୃକ୍ତ ଆରଟିଓଙ୍କ ଠାରୁ ରିକୁ୍ୟଜିସନ୍ କରି ନେବା କଥା । ହେଲେ ଚଣ୍ଡିଖୋଲ ପରିବହନ ଅଧିକାରୀ ରିକୁ୍ୟଜିସନ୍ ନଦେଇ ଉକ୍ତ ନମ୍ବରକୁ ୨୦୦୫ ମସିହା ମେ’ ୩୧ ତାରିଖରେ ଶ୍ରୀ ସାହାଣୀଙ୍କ ଟ୍ରକ୍କୁ ଏହି ନମ୍ବର ଦେଇ ପଞ୍ଜିକରଣ କରିଥିଲେ । କେନ୍ଦୁଝର ପରିବହନକୁ ନଜଣାଇ ଚଣ୍ଡିଖୋଲ ଆରଟିଓ ଉକ୍ତ ନମ୍ବରକୁ କିଭଳି ପଞ୍ଜିକରଣ କରିଥିଲେ ତାହା ତଦନ୍ତ ସାପେକ୍ଷ । ଏହା ଜଣାପଡିବା ପରେ ପରିବହନ ବିଭାଗ ପକ୍ଷରୁ ସରସ୍ୱତୀ ପାତ୍ରଙ୍କୁ ସେହି ୨୦୦୫ ମସିହାରେ ପଞ୍ଜିକରଣ କରାଯାଇଛି ବୋଲି ଦର୍ଶାଇ ଏକ ନୂଆ ନମ୍ବର ଓଡି ୦୯ ଆର ୮୬୦୭ ଦେଇଥିବା ଜଣାପଡିଛି । ୧୫ ବର୍ଷର ପୁରୁଣା ସ୍କୁଟରକୁ ନୂଆ ନମ୍ବର ମିଳିଥିବାରୁ ପରିବହନ ବିଭାଗ ଖାମଖିଆଲିକୁ ନେଇ ଚର୍ଚ୍ଚାର ବିଷୟ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons