ବେତନଟୀ,(ବି.ବି.ନୁ୍ୟଜ୍): ବେତନଟୀ ଥାନା ବାରିପଦା ସଦରବ୍ଲକ ଭଦୁଶୋଳ ଜଙ୍ଗଲରେ ଜୁଆଖେଳ ଚାଲିଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିବା ପରେ ବେତନଟୀ ପୁଲିସ ରବିବାର ସନ୍ଧ୍ୟାରେ ଚଢାଉକରି ୬ଜଣଙ୍କୁ ଗିରଫକରି କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ବାରିପଦା ସଦରଥାନା ଜ୍ୟୋତିପୁର ଗ୍ରାମର ମକଦ୍ଧମ ମହାନ୍ତଙ୍କ ପୁଅ ନିତ୍ୟାନନ୍ଦ(୪୫), ନିତ୍ୟାନନ୍ଦ ମହାନ୍ତଙ୍କ ପୁଅ ରାଜକୁମାର(୨୪), ବେତନଟୀ ଥାନା ବାଙ୍କଡହର ଗ୍ରାମର ମୋହନ ମହାନ୍ତଙ୍କ ପୁଅ ତପନ(୨୫), ଭଦୁଶୋଳ ଗ୍ରାମର କାମ ଟୁଡୁର ପୁଅ ଦୂର୍ଗା(୨୮), ହାତୀକୋଟ ଗ୍ରାମର ନିରଞ୍ଜନ ମହାନ୍ତଙ୍କ ପୁଅ ତାରାଚାନ୍ଦ(୩୨) । ଚଢାଉ ସମୟରେ ୧୩ ବାଇକ, ୯ ସାଇକେଲ, ଜୁଆଖେଳରେ ବ୍ୟବହୃତ ଧଣ୍ଡିଗୋଟି, ଧଣ୍ଡିପାଲି, ରବର ଚଦର ସମେତ ୧୨ହଜାର ୩ଶହ ୫୪୦ଟଙ୍କା ଜବତ କରିବାରେ ସଫଳ ହୋଇଛି ବେତନଟୀ ପୁଲିସ । ତେବେ ଆଉ କିଛି ଜୁଆଡି ଜଙ୍ଗଲ ଭିତରେ ଫେରାର ହୋଇଯାଇଥିବାବେଳେ ସେମାନଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଜାରିରଖିଛି । ସୂଚନା ମୁତାବକ ଭଦୁଶୋଳ ଜଙ୍ଗଲରେ ଧଣ୍ଡିପାଲି(ଜୁଆ)ଖେଳ ଚାଲିଥିବା ନେଇ ବିଶ୍ୱସ୍ତସୂତ୍ରରୁ ଖବର ମିଳିବା ପରେ ବେତନଟୀ ଥାନା ଆଇଆଇସି ଅଶୋକ କୁମାର ନାୟକ ସଦଳେବଳେ ଚଢାଉ କରିଥିଲେ । ଚଢାଉ ସମୟରେ ୬ ଅଭିଯୁକ୍ତଙ୍କ ସମେତ ଉପରୋକ୍ତ ସାମଗ୍ରୀ ଜବତକରି ଥାନାକୁ ଆଣିଥିଲେ । ଏନେଇ ୧୯୧/୨୦୨୦ ଦଫା ୨୬୯/୨୭୦/୩୪ ଆଇପିସି/ ୩ଓପିଜି ଆକ୍ଟରେ ମାମଲା ରୁଜୁକରି ତଦନ୍ତ ଜାରି ରହିଛି ।
Comments are closed, but trackbacks and pingbacks are open.