ରାଇସ୍ ମିଲ୍ କାନ୍ଥ ଭୁଶୁଡି ଜଣେ ମୃତ, ୧୪ ଆହତ

Get real time updates directly on you device, subscribe now.

ମାଲକାନଗିରି (ବି.ବି.ନୁ୍ୟଜ୍): ଜିଲ୍ଲା ସଦର ମହକୁମାରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି । ବ୍ଲକ କଲୋନି ନିକଟ ତ୍ରିନାଥ ମଡର୍ଣ୍ଣ ରାଇସ୍ ମିଲରେ କାନ୍ଥ ଭୁଶୁଡି ପଡିବାରୁ ଧାନ ବସ୍ତା ତଳେ ଚାପିହୋଇ ଜଣେ ଶ୍ରମିକଙ୍କ ମୃତୁ୍ୟ ହୋଇଛି । ଏଥିରେ ଅନ୍ୟ ୧୪ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୪ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ମୃତ ଶ୍ରମିକ ହେଲେ ନୂଆଗୁଡା ଗାଁର ବିଶାଲ ବାଗ(୧୯) । ଗୁରୁତରଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଛି । ତାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଇ ଦିଆଯାଇଛି ।
ସୂଚନା ଅନୁସାରେ, ମଧ୍ୟାହ୍ନରେ ମିଲ୍ ଭିତରେ ୧୫ ଜଣ ଶ୍ରମିକ କୁଣ୍ଡାବାସ୍ତା ବାହାର କରୁଥିଲେ । ପାଖରେ ଥାକମରା ହୋଇ ଶତାଧିକ ଧାନବସ୍ତା କାନ୍ଥ ଆଡକୁ ଢଳି ରହିଥିଲା । କାନ୍ଥଟି ପୁରୁଣା ଥିବାରୁ ହଠାତ୍ ଏହା ଭୁଶୁଡି ପଡିଥିଲା । ଧାନବସ୍ତା ଓ କାନ୍ଥତଳେ ସମସ୍ତ ଶ୍ରମିକ ଚାପି ହୋଇ ରହି ଯାଇଥିଲେ । ପାଟି ଶୁଣି ମିଲ୍ ମାଲିକ ଘଟଣାସ୍ଥଳକୁ ଆସି ଦେଖିବା ସହ ତୁରନ୍ତ ଅଗ୍ନିଶମ ବିଭାଗକୁ ଫୋନ୍ କରି ଜଣାଇଥିଲେ । ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ସମସ୍ତ ଶ୍ରମିକଙ୍କୁ କାନ୍ଥତଳୁ ଉଦ୍ଧାର କରିଥିଲେ । ୧୦୮ ଆମ୍ବୁଲାନ୍ସ ଡକାଇ ସମସ୍ତଙ୍କୁ ଜିଲ୍ଲା ହସପିଟାଲକୁ ପଠା ଯାଇଥିଲା । ମାଲକାନଗିରି ତହସିଲଦାର ଡ.ଗୁଣନିଧି ନାୟକ, ଥାନା ଅଧିକାରୀ ସୌମେନ୍ଦ୍ର ତ୍ରିପାଠୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଥିଲେ । ଡାକ୍ତରଖାନାରେ ଡାକ୍ତର ଶ୍ରମିକ ବିଶାଲ ବାଗଙ୍କୁ ମୃତ ଘୋଷଣା କରିଥିଲେ । ସଂକଟାପନ୍ନ ଥିବା ଶ୍ରମିକଙ୍କ ଅବସ୍ଥା ଗମ୍ଭୀର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅପରାହ୍ଣରେ କୋରାପୁଟ ପଠାଇ ଦିଆଯାଇଥିଲା ।
ଖବର ପାଇ ଘଟଣାସ୍ଥଳରେ ଜିଲ୍ଲା ଭାଜପାର ଏକ ଦଳ ପହଞ୍ଚି ମୃତ ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ସହ ଆହତଙ୍କ ଚିକିତ୍ସା ଖର୍ଚ୍ଚ ମିଲ୍ ମାଲିକ ବହନ କରିବାକୁ ଦାବି କରିଛନ୍ତି । ଏ ସମ୍ପର୍କରେ ମାଲକାନଗିରି ଥାନାରେ ଏକ ମାମଲା ରୁଜୁ ହୋଇଛି । ମୃତ ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ପାଇଁ ମାଲକାନଗିରି ହସପିଟାଲକୁ ପଠାଯାଇଛି । ମାମଲାର ଅଧିକ ତଦନ୍ତ ଜାରି ରହିଥିବା ପୁଲିସ କହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons