ଯୋଡ଼ା,(ବି.ବି.ନୁ୍ୟଜ୍): ରଣାଶାଳ ଘାଟିଠୁ ବାମେବାରୀ ଭାୟା ଯୋଡ଼ା ଦେଇ ଯାଇଥିବା ୨ନମ୍ବର ରାଜ୍ୟ ରାଜପଥ ମରଣଯନ୍ତା ପାଲଟିଛି । ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ରାସ୍ତାରେ ବଡ଼ବଡ଼ ଗାତ ସୃଷ୍ଟି ହୋଇଛି । ବର୍ଷାଦିନେ ପାଣି ଜମା ହୋଇ ରହିବା ଯୋଗୁଁ ରାସ୍ତା ଠିକ୍ରେ ଜଣାପଡ଼ୁନି । ଉକ୍ତ ଖାଲରେ ଗାଡ଼ିମୋଟର ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି ।ପ୍ରଦୂଷିତ ଧୂଳିଧୂଆଁ ଓ ଲୌହ କଣିକା ଯୋଗୁଁ ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏହି ରାସ୍ତା ଉପରେ ନିର୍ଭର କରୁଥିବା ଜୁରୁଡ଼ି, ଜଲହରି, ଜଜାଙ୍ଗ ବଳଦା, ପଳସା, କାଳିମାଟି ଆଦି ପଞ୍ଚାୟତ ସମେତ ଯୋଡ଼ା ପୌରାଞ୍ଚଳର ୫୦ ହଜାର ଲୋକ ହଇରାଣ ହେଉଛନ୍ତି । ନିଇତି ବିପଦର ସମ୍ମୁଖୀନ ହେଉଥିବାରୁ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ସ୍ଥାନୀୟ ଲୋକଙ୍କ ଅନେକ ଦାବି ଓ ଧର୍ମଘଟ ପରେ ଏହି ରାସ୍ତା ନିର୍ମାଣ ଓ ପ୍ରଶସ୍ତିକରଣ କାମ ୩ ବର୍ଷ ତଳେ ଆରମ୍ଭ ହୋଇଥିଲା । ଜିଲ୍ଲା ଖଣିଜ ପାଣ୍ଠିରୁ ୧୩ କିଲୋମିଟର ରାସ୍ତା ପାଇଁ ୫୦ କୋଟି ଟଙ୍କା ମଞ୍ଜୁର ହୋଇଥିଲା । ୩ ବର୍ଷ ପରେ ମଧ୍ୟ ଉକ୍ତ ଠିକାସଂସ୍ଥାର ଖାମଖିଆଲ କାର୍ଯ୍ୟ ଯୋଗୁଁ ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହୋଇପାରି ନାହିଁ । ଏହା ଯୋଗୁଁ ସ୍ଥାନୀୟ ଲୋକ ଯିବା ଆସିବାରେ ଅସୁବିଧା ଭୋଗୁଛନ୍ତି । ଉକ୍ତ ରାସ୍ତାରେ ବହୁ ସମୟରେ ଦୁର୍ଘଟଣା ଘଟି ଏହା ମୃତୁ୍ୟଯନ୍ତା ପାଲଟିଛି । ରାଜ୍ୟ ସରକାର ଖଣି ନିଲାମ କରି ରାଜସ୍ୱ ଆଦାୟରେ ବ୍ୟସ୍ତ ଥିବାବେଳେ ଏହି ରାସ୍ତାର ଦୁରାବସ୍ଥା ସମ୍ପର୍କରେ ସବୁ ଜାଣି ଚୁପ୍ ବସୁଛନ୍ତି । ଏଥିଯୋଗୁଁ ଅଞ୍ଚଳବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ବିଧାନସଭା ଅଧିବେଶନରେ ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତ ରାସ୍ତା ଅବ୍ୟବସ୍ଥା ସମ୍ପର୍କରେ ପ୍ରଶ୍ନ ଉଠାଇବା ପରେ ଖଣି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ରାସ୍ତା ସମ୍ପ୍ରସାରଣ ଓ ନିର୍ମାଣ କାମ ୨୦୨୦ ମାର୍ଚ୍ଚ ୨୯ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି କହିଥିଲେ । ଅବଧି ସରିଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ରାସ୍ତା କାମ ୩୦ଧ ହୋଇନି । ଜିଲ୍ଲା ପ୍ରଶାସନର ଅପାରଗତା ଯୋଗୁଁ ବର୍ତ୍ତମାନ ସୁଦ୍ଧା ଭୂମି ଅଧିଗ୍ରହଣ ହୋଇପାରି ନ ଥିବା ଜଣାପଡ଼ିଛି ।
Comments are closed, but trackbacks and pingbacks are open.