ଉଚ୍ଚଶିକ୍ଷାରେ ବଡ଼ ସଂସ୍କାର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବାଛ ବିଚାର ରହିବନି । ସବୁ ସରକାରୀ ବିଶ୍ୱବିଦ୍ୟାଳୟ ଗୋଟିଏ ଆଇନରେ ପରିଚାଳିତ ହେବେ । କୁଳପତିଙ୍କୁ ବିଶ୍ୱବିଦ୍ୟାଳୟର ବିକାଶ ପାଇଁ ଅଧିକ ସମୟ ଦିଆଯିବ । ସେମାନଙ୍କ କାର୍ଯ୍ୟକାଳ ବଢ଼ିବ । ସିନେଟ୍ ବ୍ୟବସ୍ଥା ହଟିବ ।
ଉଚ୍ଚଶିକ୍ଷାରେ ବଡ଼ ସଂସ୍କାର ପାଇଁ ରାଜ୍ୟ କ୍ୟାବିନେଟ୍ ଆଜି ଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ୧୯୮୯ ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ସଂଶୋଧନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ଦେଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ବସିଥିବା କ୍ୟାବିନେଟରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଐତିହ୍ୟ କ୍ୟାବିନେଟ୍, କୃଷି କ୍ୟାବିନେଟ୍ରେ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ।
ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର । ଓଡ଼ିଶୀ ନୃତ୍ୟ, ଓଡ଼ିଆ ଭାଷା ପରେ ଏବେ ଓଡ଼ିଶୀ ସଂଗୀତ । ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ଆମ ରାଜ୍ୟର ଏ ସ୍ୱତନ୍ତ୍ର ସଂଗୀତ ବିଭବକୁ ମର୍ଯ୍ୟାଦାଜନକ ଶାସ୍ତ୍ରୀୟ ମାନ୍ୟତା ଦେବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବେ ରାଜ୍ୟ ସରକାର । ବୁଧବାର ରାଜ୍ୟ କ୍ୟାବିନେଟ୍ ଏ ନିଷ୍ପତ୍ତି ମଧ୍ୟ ନେଇଛି । କରୋନା ସଂକଟ କାଳରେ ରାଜ୍ୟର ଚାଷୀକୂଳ କିଭଳି ସହାୟତା ପାଇବେ ଏବଂ ଜୀବିକା ନିର୍ବାହ କରିବେ ସେଥିପାଇଁ କ୍ୟାବିନେଟ୍ ଅଗ୍ରାଧିକାର ଦେଇଛି । ଚାଷୀଙ୍କ ନିକଟରେ ପର୍ଯ୍ୟାପ୍ତ ୟୁରିଆ ସାର ପହଞ୍ଚାଇବାକୁ ମଧ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି ।
ରାଜ୍ୟ ସରକାର ଉଚ୍ଚଶିକ୍ଷାରେ ବଡ ସଂସ୍କାର ଆଡ଼କୁ ମୁହାଁଇଛନ୍ତି । ଏଣିକି ଗୋଟିଏ ଆଇନରେ ସବୁ ସରକାରୀ ବିଶ୍ୱବିଦ୍ୟାଳୟ ପରଚାଳିତ ହେବେ । ଅଧ୍ୟାଦେଶ ବଳରେ ସରକାର ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ ୧୯୮୯ରେ ସଂଶୋଧନ ଆଣିବେ । ରେଭେନସା ବିଶ୍ୱବିଦ୍ୟାଳୟ ଅଧିନିୟମ ୨୦୦୫କୁ ଉଚ୍ଛେଦ କରିବାକୁ ନିଷ୍ପତ୍ତି ହୋଇଛି । ବିଶ୍ୱବିଦ୍ୟାଳୟରେ ସିଣ୍ଡିକେଟ୍ରେ ପୁର୍ନଗଠନ କରାଯିବ । କୁଳପତି ଚୟନ କମିଟିର ପୁର୍ନଗଠନ ହେବ । ଏହି କମିଟିର ସିଣ୍ଡିକେଟରେ ରାଜ୍ୟ ସରକାରଙ୍କ ଜଣେ ପ୍ରତିନିଧି (ଶିକ୍ଷାବିତ୍)ଙ୍କୁ ସାମିଲ କରିବାକୁ ସ୍ଥିର ହୋଇଛି । ଏହାଦ୍ୱାରା ରାଜ୍ୟ ସରକାର ଚୟନ କମିଟିରେ ନିଜ ପସନ୍ଦ ଓ ମତ ରଖିପାରିବେ । କୁଳପତିମାନଙ୍କର ଅବଧିକୁ ୪ ବର୍ଷ ପର୍ଯ୍ୟନ୍ତ ବଢ଼ିଥିଲା ବେଳେ ଅବସର ବସୟ ସୀମା ୬୭ ବର୍ଷକୁ ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛି । ଏଣିକି ବିଶ୍ୱବିଦ୍ୟାଳୟଗୁଡିକ ନିଜସ୍ତରରେ ଶିକ୍ଷକ ନିଯୁକ୍ତି କରିପାରିବେନନି । ମିଳିତ ଭାବେ ଖାଲି ପଦବି ପାଇଁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଚୟନ କାର୍ଯ୍ୟ ତୁଲାଇବ ।
ରାଜ୍ୟ କ୍ୟାବିନେଟ୍ ରାଜ୍ୟ ସଂଗ୍ରହାଳୟ ଓ ଆନନ୍ଦ ଭବନକ୍ୁ ଭର୍ଚୁଆଲ କରିବାକୁ ନିଷ୍ପତ୍ତି ନେଇଛି । ଜଗନ୍ନାଥ ସମ୍ମାନ, କବି ସମ୍ରାଟ, ଧର୍ମପଦ ଓ ବ୍ୟାସକବି ସମ୍ମାନ ଅର୍ଥରାଶି ୧ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି କରାଯାଇଛି । ଗୋପବନ୍ଧୁଙ୍କ ଜନ୍ମପୀଠ ସୁଆଣ୍ଡୋର ବିକାଶ ପାଇଁ ସାଢେ଼ ୧୧କୋଟି ଟଙ୍କା ଖର୍ଚ୍ଚ କରାଯିବ ।
କୃଷି କ୍ୟାବିନେଟ୍ରେ ମଧ୍ୟ ଚାଷୀକୁଳର ହିତ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ଚାଷୀମାନଙ୍କୁ ପର୍ଯ୍ୟାପ୍ତ ପରିମାଣର ୟୁରିଆ ସାର ଯୋଗାଇ ଦିଆଯିବ । ରାଜ୍ୟରେ ଇତିମଧ୍ୟରେ ୨୧ ଲକ୍ଷ କୃଷକଙ୍କୁ ୯,୯୬୫ କୋଟିର ଫସଲ ଋଣ ପ୍ରଦାନ କରାଯାଇଥିଲା ବେଳେ ୧୪ ଲକ୍ଷ ୮ ହଜାର କୃଷକଙ୍କୁ ଫସଲ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ଧାନ ସହ ଅନ୍ୟ ଫସଲ ପାଇଁ ମଧ୍ୟ ଚାଷୀଙ୍କୁ ପ୍ରୋତ୍ସାହନ ମିଳିବ । ‘ଆମ କୃଷି’ରେ ୯ ଲକ୍ଷ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା ବେଳେ ଓଡ଼ିଶା ମିଲେଟ ମିଶନର ରୂପାୟନ, କୃଷି କ୍ଷେତ୍ରରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ପ୍ରୋଗ୍ରାମ ଆସୋସିଏଟ୍ ଭାବେ ନିୟୋଜିତ କରିବାକୁ ଅଭିନବ ପଦକ୍ଷେପ ନିଆଯିବ ।
ମରୁଡ଼ି ସ୍ଥିତିକୁ ଏଡ଼ାଇବା ଏବଂ ଖରିଫରେ ଜଳସେଚନ ପାଇଁ ଆସନ୍ତା ୫ ବର୍ଷରେ ୫ ଲକ୍ଷ ‘କ୍ଷେତ ପୋଖରୀ’ ଖନନ ପାଇଁ ଲକ୍ଷ୍ୟ ରଖାଯାଇଛି । ‘ ୫ଟି’ରେ କୃଷି ବିଭାଗରେ ‘ ଦକ୍ଷତା’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । କୃଷକଙ୍କ ଉନ୍ନତି ପାଇଁ ବିଭାଗୀୟ କର୍ମଚାରୀଙ୍କୁ ପ୍ରୋତ୍ସାହିତ କରିବା ଏହାର ମୂଳ ଲକ୍ଷ୍ୟ । କରୋନା ସଂକଟ କାଳରେ କୃଷକମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଥିଲା ବେଳେ କୃଷି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଜୀବିକା ଅର୍ଜନ ପାଇଁ ୩୭୩.୯୫୮ କୋଟି ଟଙ୍କା ଖର୍ଚ୍ଚ କରିବ । ଏହାକୁ କ୍ୟାବିନେଟ ମୋହର ମାରିଥିଲା ବେଳେ ଏଥିରେ ୨୪ ଲକ୍ଷ ୯୯ ହଜାର ଚାଷୀ ଲାଭବାନ ହେବେ । ଏଯାଏ ଏଥିରେ ୮ ଲକ୍ଷ ୧୫ ହଜାର ଚାଷୀ ଉପକୃତ ହୋଇଛନ୍ତି । ‘କାଳିଆ’ରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା ମିଳିବ । ଏଥିପାଇଁ ନୂଆ ଆବେଦନ ମଧ୍ୟ ଗ୍ରହଣ କରାଯାଉଛି । ଏଯାଏ ୫୫ ଲକ୍ଷ ୨୯ ହଜାର ୮୬୦ ଜଣ ହିତାଧିକାରୀ କାଳିଆ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ‘ବଳରାମ’ ଯୋଜନାରେ ଆସନ୍ତା ୩ ବର୍ଷରେ ୧ ଲକ୍ଷ ଜଏଣ୍ଟ ଲିଆବଲଟି ଗ୍ରୁପ୍ ଗଠନ କରି ୫ ଲକ୍ଷ ଭାଗଚାଷୀଙ୍କୁ ଋଣ ଯୋଗାଇ ଦେବାକୁ ସ୍ଥିର ହୋଇଛି ।
କରୋନା ମହାମାରୀ ସମୟରେ ରାଜ୍ୟରେ ଓକିଲମାନେ ହାତବାନ୍ଧି ବସିଛନ୍ତି । ଅଭାବୀ ଆଇନଜୀବୀଙ୍କୁ ସହାୟତା କରିବାକୁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି । ଏଥିପାଇଁ ଆଇନଜୀବୀ କଲ୍ୟାଣ ପାଣ୍ଠି ଆଇନ ୧୯୮୭ରେ ସଂଶୋଧନକୁ ଅନୁମତି ମିଳିଛି । ପ୍ରାକୃତିକ ବିପର୍ଯ୍ୟୟ ଓ ମହାମାରୀ ସମୟରେ ଏ ପାଣ୍ଠିରୁ ସରକାର ଆଇନଜୀବୀଙ୍କୁ ଏଣିକି ସହାୟତା ପ୍ରଦାନ କରିପାରିବେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons