ବାଲିଆପାଳ,(ବି.ବି.ନୁ୍ୟଜ୍): ବାଲେଶ୍ୱର ଜିଲ୍ଲା ବାଳିଆପାଳ ବ୍ଲକର ଶହ ଶହ ଏକର ଧାନ ଚାଷ ବନ୍ୟାରେ ନଷ୍ଟ ହୋଇଛି । ଋଣ ଆଣି ଚାଷ କରିଥିବା ଚାଷୀଙ୍କ ଆର୍ଥିକ ମାନଦଣ୍ଡକୁ ଏହା ଦୋହଲାଇ ଦେଇଛି । ଋଣ ପରିଶୋଧ ଚିନ୍ତାରେ ଅନେକ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଚାଷ ପାଇଁ ଏକ ମାଇକ୍ରୋ ଫାଇନାନ୍ସରୁ ୫୦ହଜାର ଟଙ୍କା ଋଣ ଆଣିଥିଲେ ବାଲିଆପାଳ ଅଞ୍ଚଳର ଜନୈକ ଚାଷୀ । ଉକ୍ତ ସଂସ୍ଥାର ଜୁଲମ୍ରେ ଅତିÂ ହେବା ପରେ ସେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି ବୋଲି ମୃତ ଚାଷୀଙ୍କ ପୁଅ କହିିଛନ୍ତି ।
ମିଳିଥିବା ସୂଚନା ମୁତାବକ, ବାଲିଆପାଳ ବ୍ଲକ ବଳରାମପୁର ପଞ୍ଚାୟତ ବଳରାମପୁର ଗ୍ରାମର ଚାଷୀ ରାମକୃଷ୍ଣ ଗିରି (୫୮)ଙ୍କର ୩/୪ ଏକର ଜମିର ଧାନ ଚାଷ ଚଳିତ ବନ୍ୟାରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଚାଷ ପାଇଁ ସେ ଭାରତ ମାଇକ୍ରୋ ଫାଇନାନ୍ସରୁ ୫୦ହଜାର ଟଙ୍କା ଋଣ ଆଣିଥିଲେ । ଉକ୍ତ ସଂସ୍ଥାର କର୍ମଚାରୀମାନେ ତାଙ୍କ ଘରକୁ ବାରମ୍ବାର ଆସି ସାପ୍ତାହିକ କିସ୍ତି ପାଇଁ ଜୁଲମ କରୁଥିଲେ । ଏଥିରେ ମାନସିକ ଭାରସାମ୍ୟ ହରାଇ ରାମକୃଷ୍ଣ ମଙ୍ଗଳବାର ବିଷ ପିଇ ଦେଇଥିଲେ । ଗୁରତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସରେ ବସ୍ତା ଡାକ୍ତରଖାନାକୁ ନିଆଯାଇଥିଲା । ହେଲେ ସେଠାରେ ତାଙ୍କ ମୃତୁ୍ୟ ହୋଇଯାଇଥିଲା । ଏ ବାବଦ ନେଇ ବସ୍ତା ଥାନାରେ ଅପମୃତୁ୍ୟ ମାମଲା ନଂ ୩୫/୨୦୨୦ ରୁଜୁ ହୋଇଛି । ବାଲିଆପାଳ ଅଞ୍ଚଳରେ ଛତୁ ଫୁଟିଲା ଭଳି ଅନେକ ମାଇକ୍ରୋ ଫାଇନାନ୍ସ ସଂସ୍ଥା କାର୍ଯ୍ୟାଳୟ ଖୋଲି ଲୋକଙ୍କୁ ଋଣ ପ୍ରଦାନ କରୁଛନ୍ତି । କରୋନା ସମୟରେ କାମଧନ୍ଦା ନାହିଁ । ଏଣୁ ଲୋକମାନେ ଋଣ ପରିଶୋଧ କରିପାରୁ ନଥିବା ବେଳେ ଏବେ ଲଘୁଚାପ ଜନିତ ବର୍ଷା ଓ ବନ୍ୟାରେ ଧାନ, ପରିବା ଚାଷ ନଷ୍ଟ ହୋଇଛି । ଏହା ଋଣ ସୁଝିବା ଚିନ୍ତାକୁ ବହୁଗୁଣିତ କରିଦେଇଛି । ଋଣ ଦେଇଥିବା ସଂସ୍ଥାର କର୍ମଚାରୀମାନେ ଦଳ ଦଳ ହୋଇ ଋଣୀଙ୍କ ଘରକୁ ଆସି ଜୁଲମ କରିଥିବାରୁ ଏହା ସେମାନଙ୍କୁ ମାନସିକ ଭାବେ ବିଚଳିତ କରୁଛି । ସରକାର ବିନା ସୁଧରେ କୃଷି ଋଣ ପ୍ରଦାନ କରୁଥିବା ବେଳେ ଚାଷୀମାନେ ସମବାୟ ସମିତି ଓ ବ୍ୟାଙ୍କକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଉଛନ୍ତି । ଅନ୍ୟପକ୍ଷରେ ମାଇକ୍ରୋ ଫାଇନାନ୍ସ ସଂସ୍ଥାରୁ ଲୋକେ ଘରେ ବସି ଋଣ ପାଇପାରୁଛନ୍ତି । ସରକାର ଏ ଦିଗରେ ଦୃଷ୍ଟି ଦେଇ କୃଷି ଋଣ ପ୍ରଦାନ ନିୟମକୁ କୋହଳ କରିବାକୁ ଦାବି ହେଉଛି ।
Comments are closed, but trackbacks and pingbacks are open.