ବାରିପଦା,(ବି.ବି.ନୁ୍ୟଜ୍): ଦୀର୍ଘ ୪ ମାସର କଷରତ ପରେ ମା’ କୋଳକୁ ଫେରିଛି ନବଜାତ ସନ୍ତାନ । ଦୀର୍ଘଦିନ ବିଚ୍ଛେଦର ଯନ୍ତ୍ରଣା ପରେ ପୁଅକୁ ପାଇ ଖୁସିରେ ବିଭୋର ହୋଇ କାନ୍ଦି ପକାଇଲା ମା’ । ସତେଯେମିତି ସବୁ ଖୁସି ଓ ଆନନ୍ଦ ପୁଣି ଥରେ ତା’ ପାଖରେ ଅଜାଡ଼ି ହୋଇପଡ଼ିଛି । ୧୦ ମାସ ୧୦ ଦିନ ଗର୍ଭଯନ୍ତ୍ରଣା ସହି ସନ୍ତାନ ଜନ୍ମ ଦେବା ଯେତିକି କଷ୍ଟ ନ ଥିଲା, ୪ ମାସ ପୁଅଠାରୁ ଦୂରେଇ ରହିବା ତାହାଠାରୁ ଅଧିକ ଦୁଃଖଦାୟକ ଥିଲା । ପୁଅକୁ ପାଇ ଖୁସିରେ ଗଦଗଦ ହୋଇ ମା’ରାଇବାରୀ ସିଂ ଏମିତି କହିଛନ୍ତି । ମୟୂରଭଞ୍ଜ ଜିଲ୍ଲା ଦୌରାଜଜ୍ କୋର୍ଟଙ୍କ ରାୟ ପରେ ପିଆରଏମ୍ ମେଡିକାଲ କଲେଜ ହସ୍ପିଟାଲ୍ରେ ବହୁଚର୍ଚ୍ଚିତ ଶିଶୁ ଅଦଳବଦଳ ଘଟଣାର ଜବନିକା ପଡ଼ିଛି । ହସ୍ପିଟାଲ୍ ଏସ୍ଏନ୍ସିୟୁରେ ରାହା ଖୋଜୁଥିବା ଶିଶୁ ସୋମବାର ତାର ଜନ୍ମଦାତ୍ରୀ କୋଳକୁ ଫେରି ଆସିଛି ।
ସୂଚନା ମମୁତାବକ ବାରିପଦା ଟାଉନ୍ ଥାନା ଅଧୀନ ପୋଡ଼ାଅସ୍ତିଆ ଗାଁ ଦାଦୁଡୁସାହିର ବ୍ରଜମୋହନ ସିଂ ଓ ପତ୍ନୀ ରାଇବରୀ ସିଂ ଗତ ମେ’ ମାସ ୪ରେ ଗର୍ଭଯନ୍ତ୍ରଣା ସହି ନ ପାରି ବାରିପଦା ପିଆରଏମ୍ ମେଡିକାଲରେ ପହଞ୍ଚିଥିଲେ । ବିବାହର ଦୀର୍ଘ ୨ ବର୍ଷ ପରେ ସ୍ତ୍ରୀ ଓ ପ୍ରସୂତି ବାଭଗରେ ଏକ ନବଜାତ ଶିଶୁକୁ ଜନ୍ମ ଦେଇଥିଲେ । ଗର୍ଭପାତ ପରେ ମା’ରାଇବରୀଙ୍କ ସ୍ୱାସ୍ଥ୍ୟ ବିଗିଡ଼ିଯିବାରୁ ଶିଶୁଟିକୁ ଏସ୍ଏନ୍ସିୟୁ ବିଭାଗରେ ରଖାଯାଇଥିଲା । ହେଲେ ଯେତେବେଳେ ମା’ର ଚେତା ଆସିଲା ସେତେବେଳେ ଏସ୍ଏନ୍ସିୟୁରେ ଜନ୍ମିତ ପୁଅକୁ କିଏ ଅଦଳବଦଳ କରି ଦେଇଥିବା ଜାଣିବାକୁ ପାଇଥିଲେ । ଏହାପରେ ସେ ଭାଙ୍ଗିପଡ଼ିଥିଲେ । ସେପଟେ ସଦର ଥାନା ଅନ୍ତର୍ଗତ ଜାମବଣି ଗାଁର କାର୍ତ୍ତିକ ସିଂଙ୍କର ପତ୍ନୀ ରାଇବାରୀ ପିଆରଏମ୍ ଜନ୍ମ ଦେଇଥିବା ଶିଶୁପୁତ୍ରର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତୁର ଥିବାରୁ ତାକୁ ଏସ୍ଏନ୍ସିୟୁରେ ରଖି ଚିକିତ୍ସା କରାଯାଉଥିଲା । ତେବେ ଏହି ସମୟରେ ଉଭୟ ମା’ଙ୍କ ନାମ ରାଇବରୀ ସିଂ ହୋଇଥିବାରୁ କୌଣସି କାରଣବଶତଃ ହେଉ କି ମେଡିକାଲରେ କର୍ମଚାରୀଙ୍କ ଦାୟିତ୍ୱହୀନତା ପାଇଁ ହେଉ ଶିଶୁଟି କିନ୍ତୁ ଅଦଳବଦଳ ହୋଇଯାଇଥିଲା । ଏସ୍ଏନ୍ସିୟୁରେ ଚିକିତ୍ସା ହେଉଥିବା ଦୁଇଟି ସନ୍ତାନଙ୍କ ମଧ୍ୟରୁ ଜଣଙ୍କର ମୃତୁ୍ୟ ଘଟିବା ପରେ ସେ ସମୟରେ ମେଡିକାଲ ପରିସରରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ଏନେଇ ମଧ୍ୟ ଉଭୟ ପକ୍ଷ ବାରିପଦା ଟାଉନ୍ ଥାନାର ଦ୍ୱାରସ୍ଥ ହୋଇଥିଲେ । ଏପରିକ ଜିଲ୍ଲା ଚିକିତ୍ସା ଅଧିକାରୀ ମଧ୍ୟ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଫଳରେ ଏହି ମାମଲା କୋର୍ଟରେ ପହଞ୍ଚିଥିଲା । ସୁସ୍ଥ ଥିବା ଶିଶୁଟିର ପ୍ରକୃତ ମା’ କିଏ ଜାଣିବା ପାଇଁ ଉଭୟଙ୍କର ଡିଏନ୍ ପରୀକ୍ଷା କରିବାକୁ କୋର୍ଟ ରାୟ ଦେଇଥିଲେ । ଗତ ମେ’ ୨୯ରେ ଡିଏନ୍ ରିପୋର୍ଟ ଆସିବା ପରେ ବାରିପଦା ଏସ୍ଡିଜିଏମ୍ କୋର୍ଟରେ ଦାଖଲ କରାଯାଇଥିଲା । ତେବେ ଦୀର୍ଘଦିନର ବ୍ୟବଧାନ ପରେ କୋର୍ଟ ଗତ ଗୁରୁବାର ରାୟ ପ୍ରକାଶ କରିଥିଲେ । ଫଳରେ ଏସ୍ଏନ୍ସିୟୁରେ ମା’କୋଳ ବିନା ଜୀବନ କାଟୁଥିବା ଶିଶୁଟି ଜନ୍ମଦାତ୍ରୀ ମା’ ପାଖରେ ପହଞ୍ଚିବାର ବାଟ ଫିଟିଥିଲା । ଏନେଇ ସୋମବାର ପିଆରଏମ୍ ମେଡିକାଲରେ ବାରିପଦା ଟାଉନ୍ ଥାନାର ସବ୍ ଇନ୍ସପେକ୍ଟର ବଦ୍ରିକାନାଥ ବେହେରା ଓ ଶିଶୁ ରୋଗ ବିଭାଗର ମୁଖ୍ୟ ବିଭାଗୀୟ ଅଧ୍ୟାପକ ପ୍ରଫେସର ଡ ପ୍ରଭାକର ମିଶ୍ରଙ୍କ ସମତେ ଅନ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ଶିଶୁଟିକୁ ବାପା ବ୍ରଜମୋହନ ସିଂ ଓ ମା’ ରାଇବରୀ ସିଂଙ୍କୁ ହସ୍ତାନ୍ତର କରାଯାଇଥିଲା ।
Comments are closed, but trackbacks and pingbacks are open.