ଜେକେପୁର,(ବି.ବି.ନୁ୍ୟଜ୍): ଚାନ୍ଦିଲି ଥାନା ପୁଲିସ ଆଜି ଏକ ବାଇକ ସହ ଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀ ଜବତ କରିଛି । ଏହି ଘଟଣାରେ ୩ଜଣ ଦୁର୍ବୃତ୍ତକୁ ଗିରଫ କରାଯାଇଛି । ଗିରଫବ୍ୟକ୍ତିମାନେ ହେଲେ ରାୟଗଡା ରୁଦ୍ରବାଲସା ଅଞ୍ଚଳର ମହାଦେବ ସତୀଶ(୨୦) ଓ ପେଦା ପଟି ସାଇ(୨୦) । ଜବତ ସାମଗ୍ରୀ ମଧ୍ୟରେ ତିନୋଟି ସୁନା କାନଫୁଲ, ଗୋଟିଏ ସୁନାହାର, ୨ଟି ସୁନା ଚେନ୍, ତିନିହଳ ରୁପା ପାଉଁଜି ଓ ଏକ ପଲ୍ସର ବାଇକ(ଏପି୩୧ ବିଏଫ୍ ୭୮୩୬)ରହିଛି । ଆଜି ସତୀଶ ଓ ସାଇକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ତଦନ୍ତ ଚାଲିଥିବାରୁ ଅନ୍ୟଜଣଙ୍କ ନାମ ଗୁପ୍ତ ରଖାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଡିଏସପି ଅରୂପ ଅଭିଶେଖ ବେହେରା କହିଛନ୍ତି ।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ୧୬ତାରିଖରେ ପେଣ୍ଟା ପଞ୍ଚାୟତ ବାଲାଜୀନଗରର ପ୍ରସନ୍ନକୁମାର ପ୍ରଧାନଙ୍କ ଘରୁ ୨ଟି ସୁନା ହାର, ୫ଟି ସୁନା ମୁଦି, ହାତଶଙ୍ଖା, ୫ଟି କାନଫୁଲ ସହିତ ନଗଦ ୯୬ହଜାର ଟଙ୍କା ଚୋରି ହୋଇଥିବା ସେ ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ପୁଲିସ ତଦନ୍ତ ଆରମ୍ଭ କରିଥିଲା । ଶ୍ରୀ ପ୍ରଧାନଙ୍କ ଘରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି ପୁଲିସ ଏକ ପଲ୍ସର ବାଇକରେ ଚୋରମାନେ ଆସିଥିବା ଜାଣିବାକୁ ପାଇଥିଲା । ଚୋରମାନଙ୍କ ଗାଡିକୁ ଠାବ କରି ସେମାନଙ୍କୁ ଧରିବାରେ ପୁଲିସ ସଫଳ ହୋଇଥିଲା । ସତୀଶ ଓ ସାଇଙ୍କ ପଖରୁ ଚୋରି ସାମଗ୍ରୀ ସହ ଏହି କାରବାରରେ ବ୍ୟବହୃତ ବାଇକକୁ ପୁଲିସ ଜବତ କରିଥିଲା । ଅନ୍ୟଜଣେ ଚୋରକୁ ଧରି ଏକ ସ୍ୱତନ୍ତ୍ର ଟିମ୍ ଆହୁରି ସାମଗ୍ରୀ ଜବତ କରିବାକୁ ରାଜ୍ୟବାହାରକୁ ଯାଇଥିବା ଡିଏସପି ଶ୍ରୀ ବେହେରା କହିଛନ୍ତି । ଆଜି ସାମ୍ବାଦିକ ସମ୍ମିଳନୀରେ ଚାନ୍ଦିଲି ଥାନା ଭାରପ୍ରାପ୍ତ ଅଧିକାରୀ ନିଳାମ୍ବର ଜାନୀ, ଏସଆଇ ଜ୍ୟୋତ୍ସ୍ନା ପ୍ରଧାନ ପ୍ରମୁଖଙ୍କ ସହ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.