ମ.ରାମପୁର,(ବି.ବି.ନୁ୍ୟଜ୍): ଗତ ବୁଧବାର କଳାହାଣ୍ଡି-କନ୍ଧମାଳ ସୀମାନ୍ତ ସିର୍କି ଜଙ୍ଗଲରେ ଘଟିଥିଲା ଭୟଙ୍କର ଗୁଳିବିନିମୟ । ଲାଲ୍ବାହିନୀର ମେଳି ଖବର ପାଇ ଅପରେସନ୍ ଆରମ୍ଭ କଲା କଳାହାଣ୍ଡି ପୁଲିସର ମିଳିତ ଟିମ୍ । ଅପରେସନ୍ ସୂଚନା ପାଇ ଆକ୍ରମଣାତ୍ମକ ପନ୍ଥା ଆପଣାଇଲା ଲାଲ୍ବାହିନୀ । ସୁରକ୍ଷା ବାହିନୀ ସହ ମୁହାଁମୁହିଁ ବେଳେ ବଡ଼ ମୁଣ୍ଡ ତ ଖସି ପଳାଇବାରେ ସମର୍ଥ ହେଲେ, ବଳିପଡ଼ିଲେ ୫ କ୍ୟାଡର୍ । ସେଥିରେ ଥିଲେ ୪ ମହିଳା । ଏଥିରେ ଦୁଇ ଏସ୍ଓଜି ଯବାନ ମଧ୍ୟ ସହିଦ ହୋଇଥିଲେ । ଗୁଳିବିନିମୟ ଘଟଣାର ଦୁଇଦିନ ପରେ ବି ଉକ୍ତ ଅଞ୍ଚଳରେ କଳାହାଣ୍ଡି ଓ କନ୍ଧମାଳ ପୁଲିସ ପକ୍ଷରୁ ମିଳିତ କମ୍ବିଂ ଅପରେସନ୍ ଜାରି ରହିଛି । ତେବେ ଗୁଳି ବିନିମୟ ପରେ କିଭଳି ରହିଛି ସିର୍କି ଜଙ୍ଗଲର ଚିତ୍ର ଏବଂ କିଭଳି କାଳ କାଟୁଛନ୍ତି ସେଠାକାର ବନବାସୀ ତାହା ଜାଣିବା ପାଇଁ ଆମେ ପହଞ୍ଚିଥିଲୁ ଗ୍ରାଉଣ୍ଡ ଜିରୋ ସିର୍କି ଗାଁରେ । ଏବେ ବି ଜଙ୍ଗଲ ଭିତରର ନୀରବତା ଛାତି ଥରାଇ ଦେଉଛି । ଭୟ ଓ ଆତଙ୍କର ବାତାବରଣ ମଧ୍ୟରେ କାଳ କାଟୁଛନ୍ତି ବନବାସୀ । ତଥାପି ଜୀବନ ଜୀବିକା ପାଇଁ ଘରୁ ବାହାରିବାକୁ ବାଧ୍ୟ ହେଉଛନ୍ତି । ହେଲେ ବାହାର ଲୋକଙ୍କୁ ଦେଖିଲେ ଭୟରେ ଲଚି ଯାଉଛନ୍ତି ସେମାନେ ।
କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁରରୁ ସୀମାନ୍ତବର୍ତ୍ତୀ ଅଠାଲ ଡଙ୍ଗରର ସିର୍କି ଗାଁକୁ ଯିବା ରାସ୍ତା ଥିଲା ବେଶ୍ କଷ୍ଟସାଧ୍ୟ । ପାହାଡ଼ ଜଙ୍ଗଲ ରାସ୍ତାରେ ଚାଲି ଚାଲି ଯିବା ପରେ ହିଁ ସେଠାରେ ପହଞ୍ଚିବାକୁ ସକ୍ଷମ ହୋଇଥିଲୁ । କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ସଦରରୁ ୧୬ କିମି ଦୂରରେ ଥିବା ବାରବନ୍ଧା ପଞ୍ଚାୟତଠାରୁ କଳାହାଣ୍ଡି ଜିଲ୍ଲାର ସୀମାନ୍ତ ଗାଁ ଲୁଣ୍ଡ୍ରୁବାରୁ ରହିଛି ୭ କିଲୋମିଟର ଦୂରରେ । ସେଠାରୁ ୨ କିମି ପରେ ପଡେ଼ କନ୍ଧମାଳ ଜିଲ୍ଲାର ପ୍ରଥମ ଗାଁ ସିନେ୍ଦରପଡ଼ା । ସିନେ୍ଦରପଡ଼ାରୁ ଏକ କିମି ପରେ ଚାଉଳଧୁଆ ନଦୀ ପାରିହୋଇ ଯିବାକୁ ପଡ଼ିଥାଏ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକର ଭଣ୍ଡରଙ୍ଗୀ ପଞ୍ଚାୟତକୁ । ଏହିଠାରୁ ଜଙ୍ଗଲୀ ରାସ୍ତାରେ ତିନି କିମି ପରେ ରହିଛି ସିର୍କି ଗାଁ ଏବଂ ଏହି ଗାଁକୁ ଲାଗି ରହିଛି ଅଠାଲ ଡଙ୍ଗର । ଅଠାଲ ଡଙ୍ଗର ଆରପାଖରେ ଲାଗି ରହିଛି ଡିଙ୍ଗୁଲ ଡଙ୍ଗର । କଳାହାଣ୍ଡି-କନ୍ଧମାଳ ସୀମାନ୍ତବର୍ତ୍ତୀ ଏହି ଅଞ୍ଚଳ ଏବେ ମାଓବାଦୀଙ୍କ ଭୂସ୍ୱର୍ଗ ପାଲଟିଛି । ଅଠାଲ ଡଙ୍ଗର ମଝିରେ ମାଓ କ୍ୟାମ୍ପ ଥିବା ଗୁଇନ୍ଦା ସୂଚନା ଆଧାରରେ କଳାହାଣ୍ଡି ପୁଲିସ ବୁଧବାର ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ଲାଲ୍ବାହିନୀ ସହ ମୁହାଁମୁହିଁ ହେବା ପରେ ବୁଧବାର କିଛି କ୍ଷଣ ଲାଗି ରଣକ୍ଷେତ୍ର ପାଲଟିଥିଲା ଅଠାଲ ଡଙ୍ଗର, ଆଉ ଅଶାନ୍ତ କରି ଦେଇଥିଲା ଜଙ୍ଗଲର ଶାନ୍ତ ପରିବେଶକୁ । ଆଜି କିନ୍ତୁ ନୀରବ ପ୍ରାୟ ସେ ଡଙ୍ଗର । ଛାଇ ଯାଇଛି ଭିନ୍ନ ଏକ ନୀରବତା, ଭୟ । କାଁ ଭାଁ ପକ୍ଷୀଙ୍କ କଳରବ ଆଉ ମାଙ୍କଡ଼ଙ୍କ ଡାଳମାଙ୍କୁଡ଼ି ଡିଅାଁ ହିଁ ଆଜି ଦେଖିବାକୁ ମିଳିଥିଲା । ସିର୍କି ଗାଁର କାଠୁଲପଡ଼ାରେ ସମୁଦାୟ ୧୮ଟି ଆଦିବାସୀ ପରିବାର ରହୁଥିବାବେଳେ ସରଳ, ନିରୀହ ଆଦିବାସୀମାନେ ଆମକୁ ଦେଖି ନିଜ ନିଜ ଘରକୁ ପଶି ଯାଇଥିଲେ । ବହୁ କଷ୍ଟେ ଜଣେ ଯୁବକଙ୍କୁ ଡାକି ଆମେ କିଛି ସମୟ କଥାବାର୍ତ୍ତା କରିଥିଲୁ । ସେ ଗତ ଦୁଇଦିନର ଘଟଣା ସଂପର୍କରେ ବେଶୀ କିଛି ଜାଣିନଥିବା କହିଥିଲେ । ହେଲେ ତାଙ୍କ ଗାଁ ପାଖ ରାସ୍ତାରେ ପୁଲିସର ଚଳପ୍ରଚଳ ଲାଗିଥିଲା ଓ ଡଙ୍ଗରେ ଗୁଳିଫୁଟା ଚାଲିଥିବା କଥା କହିଥିଲେ । ଗତକାଲି କିଛି ଲୋକ ଶବ ବୋହି ନେଉଥିବା କଥା ମଧ୍ୟ ସେ କହିଥିଲେ । ତେବେ ୧୮ ପରିବାର ମଧ୍ୟରେ ଆମେ କେବଳ ଦୁଇଜଣ ପୁରୁଷଙ୍କୁ ଗାଁରେ ଦେଖିବାକୁ ପାଇଥିଲେ ହେଁ ଆଉ ଜଣେ ଯୁବକଙ୍କୁ ଡାକିବାରୁ ମୁଁ କିଛି ଜାଣିନାହିଁ କହି ଆମ ପାଖରୁ ଚାଲି ଯାଇଥିଲେ । ଅନ୍ୟପଟେ ସ୍ଥିତି ଯାହା ହେଉ ନା କାହିଁକି ପରିବାରର ପେଟପାଟଣା ପାଇଁ ଘରୁ ତ ବାହାରିବାକୁ ପଡ଼ିବ, କାମ ତ କରିବାକୁ ପଡ଼ିବ । ଗାଁ ଆଖପାଖରେ ସର୍ଚ୍ଚ ଅପରେସନ୍ ଚାଲିଥିବାବେଳେ ଗାଁର ପ୍ରତିଘରେ ଆଦିବାସୀ ମହିଳାମାନେ ନିଜ ନିଜ ଘରକାମରେ ବ୍ୟସ୍ତ ଥିଲେ । ଛୋଟ ଛୋଟ ଛୁଆମାନେ ବି ନିଶ୍ଚିନ୍ତରେ ଗାଁ ଦାଣ୍ଡରେ ଖେଳିବାରେ ବ୍ୟସ୍ତ ଥିଲେ । ପଡେ଼ାଶୀ ଭଣ୍ଡରଙ୍ଗୀ ଗାଁରେ ମଧ୍ୟ କିଛି ଲୋକଙ୍କ ସହିତ କଥାବାର୍ତ୍ତା ବେଳେ ସେମାନେ ଘଟଣା ସଂପର୍କରେ ଜାଣିଥିବା କହିଥିଲେ । ସଞ୍ଜବଳେ ଗାଁ ଦାଣ୍ଡ ଶୂନଶାନ ହେଇଯାଉଛି ବୋଲି କହିଥିଲେ ।
ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ସୀମାନ୍ତ ଅଞ୍ଚଳ ଏବେ ସକ୍ରିୟ ହୋଇଛି ମାଓ ସଂଗଠନ । ସବୁବେଳେ ମାଓ କାର୍ଯ୍ୟକଳାପକୁ ନେଇ ଆତଙ୍କରେ ଜନସାଧାରଣ । ପୁଲିସ ପକ୍ଷରୁ ମଧ୍ୟରୁ ମଧ୍ୟ ମାଓ ଅଭିଯାନକୁ ଜୋର୍ଦାର କରିଦିଆଯାଇଛି । ପୁଲିସର ଅଭିଯାନରେ ଗତ ଦୁଇ ମାସରେ ଜିଲ୍ଲାରେ ୧୨ ଜଣ ମାଓବାଦୀ ନିପାତ ହୋଇଥିବାବେଳେ ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି । ବ୍ଲକର ଉର୍ଲାଦାନୀ, ବାରବନ୍ଧା, ଡ଼ୁଡ଼ୁକାରଞ୍ଜା, ଲୁବେନଗଡ଼, ମୋହନଗିରୀ, ସିଂପୁର, ମାଣିକେରା ଆଦି ଅଂଚଳରେ ୫ ବର୍ଷରୁ ଅଧିକ ହେଲା ଲାଲ୍ବାହିନୀ ଉପସ୍ଥିତି ବଜାୟ ରଖିଛି । ଏହି ସବୁ ଅଂଚଳ କନ୍ଧମାଳ, ବୌଦ୍ଧ, ରାୟଗଡ଼ାର ଜିଲ୍ଲାର ସୀମାନ୍ତ ଅଂଚଳ ହେଉଥିବାରୁ ତଥା ଘଞ୍ଚ ଜଙ୍ଗଲ ରହିଥିବାରୁ ନିଜ ପାଇଁ ଏକ ସୁରକ୍ଷାର ବଳୟ ସୃଷ୍ଟି କରିବାରେ ଏବଂ ପୁଲିସକୁ ଚକମା ଦେଖାଇବାରେ ସଫଳ ହେଉଛନ୍ତି ମାଓବାଦୀ । ଫଳରେ ଏହା ତାଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି । ୨୦୧୬ ଅକ୍ଟୋବର ୧୫ରେ ମ.ରାମପୁର ଥାନା ବାରବନ୍ଧା ପଂଚାୟତର ପିପାଡ଼ି ଗ୍ରାମରେ ଏବ ଦେଶୀ ମଦଭାଟିକୁ ମାଓବାଦୀମାନେ ପୋଡ଼ି ଦେଇଥିଲା । ଏହାଥିଲା ଅଞ୍ଚଳର ପ୍ରଥମ ମାଓହିଂସା । ଏହାପରେ ସୁରକ୍ଷା ବାହିନୀ ସତର୍କ ହୋଇ ଉଠିଥିଲା । ମାଓ ଗତିବିଧି ବଢ଼ିବା ପରେ ମ.ରାମପୁରଠାରୁ ୩୦ କିମି ମୋହନଗିରୀ ଏବଂ ୨୦ କିମି ଦୂର ଉର୍ଲାଦାନୀଠାରେ ଏକ ସିଆରପିଏଫ୍ କ୍ୟାମ୍ପ ସ୍ଥାପନ କରାଯାଇଛି । ମାଓ ଦମନ ଅଭିଯାନ ମଧ୍ୟ ଜୋର୍ଦାର ହେଉଛି । ୨୦୧୯ ମେ ୧୫ରେ ୪୦ରୁ ଅଧିକ ସଶସ୍ତ୍ର ମାଓବାଦୀ ଉର୍ଲାଦାନୀ ନୂଆମୁଣ୍ଡାରେ ଥିବା ଠିକା କମ୍ପାନୀର କ୍ୟାମ୍ପରେ ବ୍ୟାପକ ପୋଡ଼ାଜଳା କରିଥିଲେ । ତକ୍ରାଳୀନ କଳାହାଣ୍ଡି ଏସ୍ପି ମଧ୍ୟ ୨୦୧୮ରେ ଉର୍ଲାଦାନୀର ତେଲେନ ସଂରକ୍ଷିତ ଜଙ୍ଗଲରେ ମାଓବାଦୀଙ୍କ ସହ ଗୁଳି ବିନିମୟ କରି କିଛି କ୍ୟାମ୍ପକୁ ଧ୍ୱଂସ କରି ବହୁ ବିସ୍ଫୋରକ ସହ ବିଭିନ୍ନ ସାମଗ୍ରୀ ଜବତ କରିଥିଲେ । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ସିର୍ଲା ପଞ୍ଚାୟତ ସଫେଲି ଜଙ୍ଗଲଠାରେ ଗତ ଜୁଲାଇ ୨୪ ତାରିଖରେ ମାଓବାଦୀ ପୁଲିସ ମୁହାଁମୁହିଁ ହେବା ଫଳରେ ସମୁଦାୟ ୫ ନrଳ ନିହତ ହେବା ସହିତ ଅନ୍ୟ ଦୁଇଟି କମ୍ବିଂରେ ୨ ମାଓବାଦୀ ନିହତ ହୋଇଥିଲେ । ଗତ ବୁଧବାର ପୁଣି ୫ ନକ୍ସଲଙ୍କୁ ପୁଲିସ ନିପାତ କରି କ୍ୟାମ୍ପ ଧ୍ୱସଂ କରିଥିଲା । ଏହା ମାଓ ସଂଗଠନ ପାଇଁ ଏକ ବଡ଼ ଝଟକା ବୋଲି କୁହାଯାଉଛି । ଗତ ଦୁଇ ମାସ ମଧ୍ୟରେ ସମୁଦାୟ ୧୨ (୭ ମହିଳା ଓ ୫ ପୁରଷ) ଜଣ ମାଓବାଦୀ ନିପାତ କରିଥିବାେବେଳେ ମାଓ କ୍ୟାମ୍ପରେ ଛନକା ପଶିଥିବା ବିଭିନ୍ନ ମହଲରେ ଆଲୋଚନା ହେଉଛି ।
Comments are closed, but trackbacks and pingbacks are open.