ସଫେଇ କର୍ମଚାରୀଙ୍କ ପାଇଁ ‘ଗରିମା’

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ନବୀନ ସରକାରଙ୍କ ଐତିହାସିକ ନିଷ୍ପତ୍ତି । ଜୀବନକୁ ବାଜି ଲଗାଇ ଅତି କଠିନ ପରିସ୍ଥିତିରେ ବିପଦପୂର୍ଣ୍ଣ ସ୍ଥାନରୁ ମଇଳା କାଢ଼ୁଥିବା ସଫେଇ କର୍ମଚାରୀଙ୍କ ସମ୍ମାନରେ ରାଜ୍ୟ ସରକାର ଆଣିଛନ୍ତି କଲ୍ୟାଣକାରୀ ‘ଗରିମା’ ଯୋଜନା । ଏହି ଗରିମା ଯୋଜନା ସଫେଇ କଲ୍ୟାଣ କରିବା ସହ କର୍ମଚାରୀଙ୍କ ସମ୍ମାନ ବଢ଼ାଇବ ।
ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ସଫେଇ କର୍ମଚାରୀଙ୍କ ପାଇଁ ଏଭଳି ଏକ ଐତିହାସିକ ଯୋଜନା କାର୍ଯ୍ୟକାରୀ ହୋଇଛି । ସେପ୍ଟିକ ଟାଙ୍କି ତଥା ବିପଦପୂର୍ଣ୍ଣ ସ୍ଥାନରୁ ମଇଳା କାଢ଼ୁଥିବା ସଫେଇ କର୍ମଚାରୀମାନେ ଏହାଦ୍ୱାରା ଉପକୃତ ହେବେ । ଏହି ସଫେଇ କର୍ମଚାରୀମାନଙ୍କୁ ସ୍ୱତନ୍ତ୍ର ଭତ୍ତା ମିଳିବ । ସ୍ୱାସ୍ଥ୍ୟ ସୁବିଧା ସହ ଜୀବନ ବୀମା ଅନ୍ତର୍ଭୁକ୍ତ କରାଯିବ । ସେମାନଙ୍କ ପିଲା ବି ଉଚ୍ଚଶିକ୍ଷା ପାଇବେ । ଘର ନିର୍ମାଣ ଓ ଦୁଇ ଚକିଆ ଗାଡ଼ି ପାଇଁ ୯୦ଧ ଅନୁଦାନ ଯୋଗାଇ ଦେବେ ସରକାର । ବ୍ୟକ୍ତିଗତ ସୁରକ୍ଷା ଉପକରଣ ଯୋଗାଇ ଦେବେ ସରକାର । ଏହାସହ ଅନୁକମ୍ପାମୂଳକ ସହାୟତା ବି ଦିଆଯିବ । ଖାଲି ସେତିକି ନୁହେଁ, ଇପିଏଫ୍, ଇଏସଆଇ ଏବଂ ପରିବାର ପେନସନ୍ ଆଦି କଲ୍ୟାଣ ଯୋଜନାର ସହାୟତା ଦିଆଯିବ । ସଫେଇ କର୍ମଚାରୀଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଐତିହାସିକ ‘ଗରିମା’ ଯୋଜନାର ଶୁଭାରମ୍ଭ କରିଛନ୍ତି ।
ଏହି ଯୋଜନା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୫୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ ହେବ । ସଫେଇ କର୍ମଚାରୀଙ୍କ ପାଇଁ ରାଜ୍ୟ କମିଶନ ମଧ୍ୟ ଗଠନ ହେବ । ‘ଗରିମା’ ଯୋଜନାର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ରାଜ୍ୟର ସମସ୍ତ ୧୧୪ ପୌର ସଂସ୍ଥାରେ କାର୍ଯ୍ୟକାରୀ ହେବ ‘ଗରିମା’ । ରାଜ୍ୟର ୨୦ ହଜାର ସଫେଇ କର୍ମଚାରୀ ଓ ସେମାନଙ୍କ ପରିବାରର ମୋଟ ୧ ଲକ୍ଷ ସଦସ୍ୟ ଏହି ଯୋଜନା ମାଧ୍ୟମରେ ଉପକୃତ ହେବେ ।
ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ସାରା ବିଶ୍ୱ ବର୍ତ୍ତମାନ ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ପାଳନ କରୁଛି । ଗାନ୍ଧିଜୀ ସାରା ଜୀବନ ସମାଜର ଏହି ଅବହେଳିତ ବର୍ଗର କଲ୍ୟାଣ, ଅଧିକାର ଓ ମର୍ଯ୍ୟାଦା ପାଇଁ ଲଢେ଼ଇ କରିଛନ୍ତି । ପରିମଳକୁ ଗାନ୍ଧିଜୀ ସ୍ୱାଧୀନତାଠାରୁ ଅଧିକ ଗୁରୁତ୍ୱ ଦେଉଥିଲେ । ବାପୁଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଅବସରରେ ରାଜ୍ୟ ସରକାରଙ୍କ ‘ଗରିମା’ ଯୋଜନା ତାଙ୍କ ପ୍ରତି ବିନମ୍ର ଶ୍ରଦ୍ଧାଞ୍ଜଳି । ଗାନ୍ଧିଜୀଙ୍କ ସ୍ୱପ୍ନକୁ ସାକାର କରିବା ସହିତ ସଫେଇ କର୍ମଚାରୀଙ୍କୁ ସମାଜରେ ସେମାନଙ୍କ ଉଚିତ ସ୍ଥାନ ଦେବାରେ ଏହା ସହାୟକ ହେବ ।
କୋଭିଡ୍ ଯୁଦ୍ଧ ସମୟରେ ସଫେଇ କର୍ମଚାରୀମାନେ ଯେପରି ନିଜ ଜୀବନକୁ ବିପଦରେ ପକାଇ ସେବା କରି ଚାଲିଛନ୍ତି, ମୁଖ୍ୟମନ୍ତ୍ରୀ ତା’ର ଉଚ୍ଚ ପ୍ରଶଂସା କରିଛନ୍ତି ।
‘ଗରିମା’ ଯୋଜନାରେ ବିପଦପୂର୍ଣ୍ଣ ପରିମଳ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ଚିହ୍ନଟ କରାଯିବା ସହ ସେମାନଙ୍କ ନିରାପତ୍ତା ଓ ମର୍ଯ୍ୟାଦା ଉପରେ ଗୁରୁତ୍ୱ ଦିଆଯାଇଛି । ରାଜ୍ୟରେ ଚାଲିଥିବା ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ କ୍ଷେତ୍ରରେ ଏହା ଆଉ ଏକ ସଫଳ ଅଧ୍ୟାୟ ଆରମ୍ଭ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ପରିମଳ କର୍ମଚାରୀଙ୍କ ଏହି ଯୋଜନା କାର୍ଯ୍ୟକାରୀ କରିବାରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ । ସେମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ପଦକ୍ଷେପ ନିଆଯିବ ।
ଏହି ଅବସରରେ ‘ଗରିମା’ ଯୋଜନା ସମ୍ପର୍କିତ ଏକ ଭିଡିଓ ଏବଂ ଲୋଗୋ ଉନ୍ମୋଚିତ ହୋଇଥିଲା । ଏହି ଯୋଜନାକୁ ଆଗେଇ ନେବା ପାଇଁ ଓଡ଼ିଶା ସରକାରଙ୍କ ନଗର ଉନ୍ନୟନ ବିଭାଗ ଓ ଅହମ୍ମଦାବାଦର ଅର୍ବାନ୍ ମ୍ୟାନେଜମେଣ୍ଟ ସେଣ୍ଟର ମଧ୍ୟରେ ବୈଷୟିକ ସହଯୋଗ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି.ମାଥିଭାନନ୍ ସ୍ୱାଗତ ଭାଷଣ ଦେଇଥିଲେ ।
କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା ୫-ଟି ସଚିବ ଭି.କେ.ପାଣ୍ଡିଆନ ଓ ନଗର ଉନ୍ନୟନ ବିଭାଗର ବରିÂ ଅଧିକାରୀମାନେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons