ଚୌଦ୍ୱାର,(ବି.ବି.ନୁ୍ୟଜ୍): ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ କ୍ଷୀରୋଦ ପାତ୍ରଙ୍କ ବଉଳ ଫାର୍ମ ହାଉସ୍ରୁ ବିପୁଳ ପରିମାଣର ପିଡିଏସ୍ କିରାସିନି ଜବତ କରାଯାଇଛି । ଜିଲ୍ଲାରେ ଦ୍ୱିତୀୟ ଥର ପାଇଁ ଏକା ସଙ୍ଗେ ଏତେ ପରିମାଣର ପିଡିଏସ୍ କିରାସିନି ଜବତ ହୋଇଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସ୍ଟିଏଫ୍ ପକ୍ଷରୁ ଆଜି ବଉଳ ଫାର୍ମ ହାଉସ୍ରେ ଚଢ଼ଉ କରାଯାଇ ପ୍ରାୟ ୨୧ ହଜାର ଲିଟର୍ ପିଡିଏସ୍ କିରାସିନି ଜବତ କରାଯାଇଛି । ଚଢ଼ଉରେ ୨ଟି ଟ୍ୟାଙ୍କର୍ ପିଡିଏସ୍ କିରାସିନି, ଡିଜେଲ ସହ ବହୁ ସରଞ୍ଜାମ ଜବତ କରାଯାଇଥିଲାବେଳେ ଏଥିରେ ସଂପୃକ୍ତ ୩ ଜଣଙ୍କୁ ପୁଲିସ ଅଟକ ରଖିଛି । ଏମାନେ ହେଲେ ଗୁରଡ଼ିଝାଟିଆ ଥାନା କୋଲାର ଗ୍ରାମର ଗୋକୁଳାନନ୍ଦ ପାଲ, ଟ୍ୟାଙ୍କର୍ ଡ୍ରାଇଭର୍ ଗଞ୍ଜାମ ଗୋଲନ୍ଥର୍ ରାଧାଶ୍ୟାମ ବାରିକ ଓ ହେଲ୍ପର୍ ଜିତେନ୍ଦ୍ର ରାଉତ । ସେମାନଙ୍କ ନିକଟରୁ ପୁଲିସ ୧୮ ହଜାର ୬ଶହ ଟଙ୍କା ଜବତ କରିଛି । ଘଟଣାର ମୁଖ୍ୟ କାର୍ପଟଦାର କୁହାଯାଉଥିବା ଫାର୍ମ ହାଉସ ମାଲିକ କ୍ଷୀରୋଦ ପାତ୍ର ଫେରାର୍ ରହିଛି । ଜବତ ହୋଇଥିବା କିରାସିନିକୁ କଳାବଜାରରେ ବିକ୍ରି ତଥା ଡିଜେଲ୍ରେ ଅପମିଶ୍ରଣ ଉଦେ୍ଧଶ୍ୟରେ ଗଚ୍ଛିତ ରଖାଯାଇଥିବାର ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି ।
ସୂଚନା ଅନୁଯାୟୀ, ଦୀର୍ଘ ଦିନ ଧରି ଏହି ଫାର୍ମହାଉସ୍ରେ ପିଡିଏସ୍ କିରାସିନିକୁ ଡିଜେଲରେ ଅପମିଶ୍ରଣ କରାଯାଇ ବିଭିନ୍ନ ଟାଙ୍କିକୁ ଚାଲାଣ କରାଯାଉଥିଲା । ଫାର୍ମ ହାଉସ ପଛରେ ଏଭଳି ଡିଜେଲ୍ ଅପମିଶ୍ରଣ ଚାଲୁଥିଲେ ମଧ୍ୟ ପୁଲିସ ଏହାର ଟେର୍ ପାଉନଥିଲା । କୌଣସି ସୂତ୍ରରୁ ଖବର ପାଇ ଏସ୍ଟିଏଫ୍ ଏବଂ ଗୁରୁଡ଼ିଝାଟିଆ ପୁଲିସ ପକ୍ଷରୁ ମିଳିତ ଭାବେ ଏହି ଫାର୍ମ ହାଉସ୍ରେ ଚଢ଼ଉ କରାଯାଇଥିଲା । ଚଢ଼ଉରେ ଫାର୍ମ ହାଉସ ଭିତରୁ ୨ଟି ୧୦ ଚକିଆ ପିଡିଏସ୍ କିରାସିନି ବୋଝେଇ ଟ୍ୟାଙ୍କର୍କୁ ଜବତ କରାଯିବା ସହ ଗୋଟିଏ ପାଣି ପମ୍ପ, ୫ଟି ଖାଲି ଡ୍ରମ, କିଛି ପ୍ଲାଷ୍ଟିକ ପାଇପ୍, କିରୋସିନିକୁ ଧଳା କରିବାରେ ବ୍ୟବହୃତ କେମିକାଲ୍ ଏବଂ ୩ଟି ବ୍ୟାରେଲରେ ଥିବା ଅପମିଶ୍ରିତ ଡିଜେଲ ଜବତ କରାଯାଇଛି । ଏସଟିଏଫ୍ ଟିମ୍ ଏହି ସାମଗ୍ରୀକୁ ଜିଲ୍ଲା ଯୋଗାଣ ବିଭାଗକୁ ଦେଇଥିବା ବେଳେ ଯୋଗାଣ ବିଭାଗ ପକ୍ଷରୁ ଏହା ପୁଲିସକୁ ହସ୍ତାନ୍ତର କରାଯାଇଛି । ପରେ ପିଡିଏସ୍ କିରାସିନି ବୋଝେଇ ଦୁଇ ଟ୍ୟାଙ୍କରକୁ ପୁଲିସ ଗୁରୁଡ଼ିଝାଟିଆ ଥାନାକୁ ନେବା ସହ ଫାର୍ମ ହାଉସକୁ ସିଲ୍ କରିଦେଇଛି । ଏନେଇ ଗୁରୁଡ଼ିଝାଟିଆ ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲୁ ରହିଛି । ଏହି ଘଟଣାକୁ ମିଶାଇଲେ ୨ ମାସ ଭିତରେ କଟକ ଜିଲ୍ଲାରେ ଏସିଟିଏଫ୍ ପକ୍ଷରୁ ୬୩ ହଜାରରୁ ଅଧିକ ପିଡିଏସ୍ କିରାସିନି ଜବତ ହୋଇଛି । ଫଳରେ ଏବେ ଯୋଗାଣ ବିଭାଗ ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏତେ ପରିମାଣର ପିଡିଏସ୍ କିରୋସିନି କେଉଁଠି ଆସୁଛି ସେ ସଂପର୍କରେ ଜିଲ୍ଲା ଯୋଗାଣ ବିଭାଗ ନା ଏସଟିଏଫ୍ କେହି ମୁହଁ ଖୋଲୁନାହାନ୍ତି । ସେହିପରି ଏହି ଅପମିଶ୍ରଣ କାରବାରରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବାରେ ପୁଲିସ ବିଫଳ ହୋଇଛି ।
Comments are closed, but trackbacks and pingbacks are open.