ଭଦ୍ରକ: ଗାଁ ମଦ ବେପାରୀ ଙ୍କ ପାଇଁ ମଦ ନେଇ ଯାଉଥିଲେ ବେପାରୀ । ଖବର ପାଇଲେ ମହିଳା ଗୋଷ୍ଠୀ । ବାଇକ ସହ ଅଟକାଇଲେ । ମଦ ପେଟିକୁ ଧରାଇ ରାସ୍ତାରେ ଚଲାଇଲେ । ଛାଞ୍ଚୁଣୀରେ ମାଡ଼ ମାରି ଥାନାକୁ ଆଣିଲେ । ମଦ ବେପାରୀକୁ ଏମିତି ପେଟେଣ୍ଟ ମେଡ଼ିସିନ ଦେବା ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ଅଂଚଳରେ ।
ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ତିହିଡି ଥାନା ଅଞ୍ଚଳରେ ଜନୈକ ବ୍ୟକ୍ତି ଗାଁର ଚୋରା ମଦ ବେପାରୀଙ୍କୁ ବାଇକ୍ ଯୋଗେ ମଦ ଯୋଗାଇଥାନ୍ତି । ପୂର୍ବରୁ ଏହି ଚୋରା ମଦ ବେପାରୀ ମହିଳାଙ୍କଠାରୁ ମାଡ଼ ମଧ୍ୟ ଖାଇଥିବା ସୂଚନା ମିଳିଛି । ତେବେ ପୁଣି ବାଇକରେ ମଦ ନେଇ ବେପାରୀଙ୍କ ନିକଟକୁ ଯାଉଥିବା ନେଇ ଖବର ପାଇଥିଲେ ମହିଳା ଗୋଷ୍ଠୀ । କୋଲହ ପେଟ୍ରୋଲ ଟାଙ୍କି ନିକଟରେ ବେପାରୀକୁ ଅଟକାଇବାରୁ ବାଇକ ପଛରେ ପେଟିରେ ବନ୍ଧା ହୋଇଥିବା ଆସ୍କା ୪୦ର ୮ରୁ ଅଧିକ ପେଟି ମଦ ମିଳିଥିଲା । ମହିଳାମାନେ ତାତିଥିଲେ । ବେପାରୀକୁ ଅଟକାଇ ତା ବାଇକରୁ ମଦ ପେଟି ଓହ୍ଲାଇ ବସାଇଥିଲେ । ପରେ ପେଟିକୁ ଧରାଇ ଚଲାଇ ଚଲାଇ ପ୍ରାୟ ୩ କିଲୋମିଟର ଦୂର ତିହିଡି ଥାନାକୁ ଆଣିଥିଲେ ।
ମହିଳାମାନେ ଛାଞ୍ଚୁଣୀରେ ମାଡ଼ ମଧ୍ୟ ଦେଉଥିଲେ । ସେଠାରେ ମଦକୁ ବେପାରୀ ଉପରେ ଢାଳିଥିଲେ । ପରେ ତିହିଡି ଥାନାକୁ ହସ୍ତାନ୍ତର କରିଥିଲେ । ତେବେ ସମ୍ପୃକ୍ତ ବ୍ୟକ୍ତିକୁ ତାଗିଦ ସତ୍ତ୍ବେ ସେ ବାରମ୍ବାର ଚୋରାରେ ମଦ ନେଇ ଗାଁ ବେପାରୀଙ୍କୁ ଯୋଗାଉଥିବା ସୂଚନା ମିଳିଛି । ଚୋରା ମଦ ବେପାରୀର ନାମ ଗୋରା ବୋଲି ସୂଚନା ମିଳିଥିବା ବେଳେ ପୋଲିସ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
Comments are closed, but trackbacks and pingbacks are open.