ପୁରୀ: ଗେଷ୍ଟ ହାଉସ୍ରୁ ମିଳିଲା କେୟାରଟେକରଙ୍କ ଝୁଲନ୍ତା ମୃତଦେହ। ପୁରୀ ବଳିଆପଣ୍ତା ଥାନା ଅନ୍ତର୍ଗତ ଏକ ଗେଷ୍ଟ ହାଉସରୁ କେୟାରଟେକରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ହେଲେ ସଦର ଥାନା ଅଧିନ ମାର୍କଣ୍ତପୁର ମଝିସାହିର ସୁଶାନ୍ତ ବାରିକ। ସେ ଆତ୍ମହତ୍ୟା କରିଥିବା ନେଇ ପୋଲିସ ସନ୍ଦେହ ପ୍ରକାଶ କରୁଛି। କିନ୍ତୁ ପାରିପାର୍ଶ୍ୱିକ ଅବସ୍ଥା ଦେଖିଲେ ଏହା ଏକ ହତ୍ୟାକାଣ୍ତ ବୋଲି ଜଣାପଡ଼ୁଛି।
ଏ ନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିବା ପରେ ପୋଲିସ ଅନୁସନ୍ଧାନ ଆରମ୍ଭ କରିଛି। ସୁଶାନ୍ତଙ୍କ ବେକରେ ଏକ ଗାମୁଛା ବନ୍ଧା ଥିଲା, ରୁମ ଭିତରେ ଥିବା ପଙ୍ଖାରେ ସେ ଝୁଲୁଥିଲା, କିନ୍ତୁ ସେ ତଳେ ଛିଡ଼ା ହୋଇଛନ୍ତି। ତାଙ୍କ ବେକରେ ଗଣ୍ଠି ପଛପଟକୁ ରହିଛି। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ତ ବୋଲି କୁହାଯାଉଛି। ସୁଶାନ୍ତ ୩ ବର୍ଷ ତଳେ ବିବାହ କରିଥିବା ବେଳେ ତାଙ୍କର ବର୍ଷକର ଝିଅଟିଏ ଅଛି। ସେ ଆଠବର୍ଷ ତଳୁ ଏହି ଗେଷ୍ଟ ହାଉସରେ କେୟାରଟେକର ଭାବେ କାମ କରୁଥିଲେ। ଫନି ପରଠାରୁ ଏହି ଗେଷ୍ଟ ହାଉସ ଅଚଳ ହୋଇ ପଡ଼ିଥିଲା। ସେଠାରେ ସୁଶାନ୍ତ ରହୁଥିବା ବେଳେ କିଏ ଓ କାହିଁକି ଏଭଳି କାଣ୍ତ ଭିଆଇଲା ତାହା ଏବେ ତଦନ୍ତ ପରିସରଭୁକ୍ତ।


Comments are closed, but trackbacks and pingbacks are open.