ରେସନ୍ ହୋମ୍ ଡେଲିଭରି ନାଁରେ ୭ ଲକ୍ଷ ଠକେଇ

Get real time updates directly on you device, subscribe now.

ଜୟପୁର,(ବି.ବି.ନୁ୍ୟଜ୍): ରିହାତି ମୂଲ୍ୟରେ ଘରେ ଘରେ ରେସନ୍ ପହଞ୍ଚାଇବା ନାଁରେ ଏକ କମ୍ପାନି ଠକି ନେଇଛି ପ୍ରାୟ ୭ ଲକ୍ଷ ଟଙ୍କା । କୋରାପୁଟ ଜିଲ୍ଲାର ୧୨ଶହ ଗ୍ରାହକ ଏବଂ ୧୩୦ କର୍ମଚାରୀ ଏହି ଠକେଇର ଶିକାର ହୋଇଛନ୍ତି । ଅଗଷ୍ଟ ଶେଷ ସପ୍ତାହରୁ ସାଇନବୋର୍ଡ ଉଠାଇ କମ୍ପାନି ଛୁ ମାରିବା ପରେ ସମସ୍ତଙ୍କ ଚିନ୍ତା ବଢିଯାଇଛି । ଦରମା ନପାଇ କମ୍ପାନିର କର୍ମଚାରୀମାନେ ଟାଉନ୍ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ପୁଲିସ କର୍ମଚାରୀ ଏବଂ ମ୍ୟାନେଜରଙ୍କ ସହ ଆଲୋଚନା କରୁଥିବା ଜଣାପଡିଛି ।
କର୍ମଚାରୀଙ୍କ ସୂଚନା ଅନୁଯାୟୀ, ଗତ ଜୁନ୍ ୪ ତାରିଖରେ ସ୍ଥାନୀୟ ତେଲିଗୁଡାର ଏକ ଭଡା ଘରେ କଟକ ଜଗତପୁର ଅଞ୍ଚଳର ଅନ୍ନପୂର୍ଣ୍ଣା ଏଣ୍ଟରପ୍ରାଇଜର୍ସ ନାଁରେ ଏକ କମ୍ପାନି ତା’ର ଶାଖା ଖୋଲିଥିଲା । କୋରାପୁଟ ଜିଲ୍ଲା ଲାଗି ଏଠାରେ ଅଫିସ୍ ଖୋଲି କାର୍ଯ୍ୟକ୍ରମ ଆରମ୍ଭ କରିଥିଲା । ବ୍ଲକ ଏବଂ ପଂଚାୟତସ୍ତରୀୟ କର୍ମଚାରୀ ଆବଶ୍ୟକ ବୋଲି ବିଜ୍ଞାପନ ଦେଇଥିଲା । ବ୍ଲକ ମୁଖ୍ୟଙ୍କ ଲାଗି ୧୪ ହଜାର ଏବଂ ପଂଚାୟତ ମୁଖ୍ୟଙ୍କ ଲାଗି ୮ ହଜାର ଟଙ୍କା ଦରମା ଦେବାକୁ ପ୍ରତିଶ୍ରୁତି ଦେଇଥିଲା । ଏଥିଲାଗି ଶତାଧିକ ଆବେଦନ କରିଥିଲେ । ମୋଟ ୧୩୦ ଜଣ କର୍ମଚାରୀଙ୍କୁ ଚୟନ କରିଥିଲା କମ୍ପାନି । ପ୍ରତ୍ୟେକଙ୍କ ପାଖରୁ ୩ ହଜାର ଟଙ୍କା ଲେଖାଏଁ ସିକୁ୍ୟରିଟି ଆକାରରେ ନେଇଥିଲା । କୋଭିଡ୍ ଚାଲିଥିବାରୁ ଅର୍ଡର ମୁତାବକ ଲୋକଙ୍କ ଘରେ ରେସନ୍ ସାମଗ୍ରୀ ପହଞ୍ଚାଇବା କମ୍ପାନିର ଲକ୍ଷ୍ୟ ବୋଲି କହିଥିଲା । ଏଥିଲାଗି ଜଣେ ଯୁବତୀଙ୍କୁ ଜିଲ୍ଲା ମୁଖ୍ୟ ଭାବେ ନିଯୁକ୍ତି ଦେଇଥିଲା । କର୍ମଚାରୀଙ୍କୁ ସଭ୍ୟ ସଂଗ୍ରହ କରିବାକୁ ଏକ କାର୍ଡ ଦେଇଥିଲା । ଯେଉଁଥିରେ ରହିଥିଲା ବିଭିନ୍ନ ନାମୀଦାମୀ କମ୍ପାନିର ଜିନିଷ । କୁହାଯାଇଥିଲା, ଅନ୍ଲାଇନ୍ରେ ଅର୍ଡର କରିବାର ୭ ଦିନ ମଧ୍ୟରେ ରେଜିଷ୍ଟ୍ରିଭୁକ୍ତ ସଦସ୍ୟଙ୍କୁ ରେସନ୍ ସାମଗ୍ରୀ ଯୋଗାଇ ଦିଆଯିବ । ଜିନିଷ ପାଇବା ପରେ ମୋଟ ମୂଲ୍ୟର ୩୦ ପ୍ରତିଶତ ରିହାତି କାଟି ଗ୍ରାହକ ପଇଠ କରିବେ । ଅତିକମ୍ରେ ୫୦ ଟଙ୍କାରୁ ଆରମ୍ଭ କରି ସର୍ବାଧିକ ୫ ହଜାର ଟଙ୍କାର ଅର୍ଡର କରିପାରିବେ ଖାଉଟି । ୨୭୫ ଟଙ୍କା ପଇଠ କରି ଜଣେ କମ୍ପାନିର ସଭ୍ୟ ହୋଇପାରିବେ ।
ତାଲିମ୍ ପାଇବା ପରେ କର୍ମଚାରୀମାନେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୧ ହଜାର ୨୦୦ ସଦସ୍ୟ ସଂଗ୍ରହ କରିଥିଲେ । ମୁଣ୍ଡ ପିଛା ୨୭୫ ଟଙ୍କା ହିସାବରେ ପ୍ରାୟ ୩ ଲକ୍ଷ ୩୦ ହଜାର ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ଦାଖଲ କରିଥିଲେ । ୧୩୦ କର୍ମଚାରୀ ବି ୩ ଲକ୍ଷ ୯୦ ହଜାରରୁ ଅଧିକ ଟଙ୍କା ଡିପୋଜିଟ୍ କରିଥିଲେ । ଏହିପରି ୩ ମାସ ବିତିଯାଇଥିଲା । କର୍ମଚାରୀଙ୍କୁ ଦରମା ମିଳିନଥିଲା କି ଖାଉଟିଙ୍କୁ ରେସନ୍ ମିଳିନଥିଲା । ଆଜିକାଲି କହି କମ୍ପାନିର ମୁଖ୍ୟ କୁହାଯାଉଥିବା ଜେନା ବାବୁ ଦିନ ଗଡାଇ ଚାଲିଥିଲେ । କେତେକ କର୍ମଚାରୀ ଏବଂ ଖାଉଟି ବାଧ୍ୟ କରିବାରୁ ସେମାନଙ୍କୁ କେତୋଟି ଚେକ୍ ଧରାଇ ଦିଆଯାଇଥିଲା । ଚେକ୍ରେ ଲେଖାଯାଇଥିବା ତାରିଖରେ ବ୍ୟାଙ୍କରେ ଦାଖଲ କଲାପରେ ଏହା ବାଉନ୍ସ ହୋଇଯାଇଥିଲା । ଏହାପରେ ସମସ୍ତଙ୍କ ଅକଲ ଗୁଡୁମ୍ ହୋଇଯାଇଥିଲା । ଠକେଇର ଶିକାର ହୋଇଥିବା ସେମାନେ ଅନୁଭବ କରିଥିଲେ । ଖାଉଟିମାନେ ସେମାନଙ୍କ ସଦସ୍ୟ ଟଙ୍କା ଫେରାଇବାକୁ ଦାବି କରିବାରୁ ଅଗଷ୍ଟ ଶେଷ ସପ୍ତାହରେ କମ୍ପାନି ତେଲିଗୁଡାରେ ଖୋଲିଥିବା କାର୍ଯ୍ୟାଳୟରୁ ବୋର୍ଡ ଉଠାଇ ଦେଇଥିଲା । କର୍ମଚାରୀମାନେ ଦରମା ନପାଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସମସ୍ୟାର ସମାଧାନ କରିବାକୁ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons