କୋରାପୁଟ,(ବି.ବି.ନୁ୍ୟଜ୍): ଜିଲ୍ଲାରେ ଗଞ୍ଜେଇ ଧରପଗଡ଼ରେ ପୁଲିସକୁ ମିଳିଛି ସଫଳତା । କୋରାପୁଟ ଜିଲ୍ଲା ମାଛକୁଣ୍ଡରୁ କଲିକତା ଚାଲାଣ ବେଳେ ଦାମନଯୋଡ଼ି ପୁଲିସ ଏକ କଣ୍ଟେନର(ୟୁପି ୨୭ଏଟି-୫୭୭୧) ସହିତ ୧ହଜାର ୩୫୯ କେଜି ଗଞ୍ଜେଇ ଜବତ କରିଛି । ଏହି ଘଟଣାରେ ସମ୍ପୃକ୍ତ ଡ୍ରାଇଭର ମୁଜାସିମ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୬୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ପୁଲିସ କହିଛି ।
ଦାମନଯୋଡ଼ି ଥାନା ଆଇଆଇସି ସମ୍ବିିତ ବେହେରା କହିଛନ୍ତି, ସୋମବାର ଦାମନଯୋଡ଼ି ଦେଇ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ ପୁଲିସକୁ ସୂଚନା ମିଳିଥିଲା । ଥାନା ଆଗରେ ଆଇଆଇସିଙ୍କ ନେତୃତ୍ୱରେ ସବ୍ଇନ୍ସପେକ୍ଟର ଉଲ୍ଲାସଚନ୍ଦ୍ର ରାଉତ, ଏଏସଆଇ ସନ୍ତୋଷ ପରିଡ଼ାଙ୍କ ସମେତ ଏକ ପୁଲିସ ଟିମ୍ ଯାନବାହାନ ଯାଂଚ କରୁଥିଲେ । ସେତେବେଳେ ଗଞ୍ଜେଇ ନେଉଥିବା କଣ୍ଟେନର ଗାଡି ଆସିଥିଲା । ଗାଡ଼ି ଅଟକାଇବା ବେଳେ ଡ୍ରାଇଭର ଗାଡ଼ି ସାଇଡ଼୍ କରି ଖସିଯିବାକୁ ଉଦ୍ୟମ କରିଥିଲା । କିନ୍ତୁ ପୁଲିସ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବାରୁ ଡ୍ରାଇଭରକୁ କାବୁ କରି ନେଇଥିଲା । ଯାଞ୍ଚ ପରେ ଗାଡି ଭିତରେ ୧୩୫୯ କେଜି ଗଞ୍ଜେଇ ଥିବା ଜଣାପଡିଥିଲା । ସ୍ୱତନ୍ତ୍ର ଭାବେ ପ୍ୟାକିଂ କରାଯାଇ ଗଞ୍ଜେଇକୁ ମାଛକୁଣ୍ଡ ଅଞ୍ଚଳରୁ କୋଲକାତା ନିଆଯାଉଥିବା ତଦନ୍ତବେଳେ ଅଭିଯୁକ୍ତ ଡ୍ରାଇଭର ସ୍ୱୀକାର କରିଥିବା ପୁଲିସ କହିଛି । କୋରାପୁଟ ତହସିଲଦାର ରଞ୍ଜନକୁମାର ମାନସେଠଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇକୁ ଓଜନ କରାଯାଇଥିଲା । ଏନେଇ ଦାମନଯୋଡ଼ି ଥାନାରେ ୮୯/୨୦ରେ ଏକ ମାମଲା ରୁଜୁ କରାଯାଇ ଡ୍ରାଇଭରକୁ ଗିରଫ କରାଯାଇଥିବା ଶ୍ରୀ ବେହେରା କହିଛନ୍ତି । ସୂଚନା ଥାଉକି ଜୟପୁର ସଦର ପୁଲିସ ଆଜି ଏକ ବୋଲେରୋରୁ ୫୫କେଜି ଗଞ୍ଜେଇ ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରିଛି । ସେହିପରି ନିକଟରେ ମାଛକୁଣ୍ଡ ପୁଲିସ ୫୩୦ କେଜି ଗଞ୍ଜେଇ ଜବତ କରିବା ସହିତ ଏକ ଭ୍ୟାନ୍ ଓ କାର ଜବତ କରିଥିଲା ।


Comments are closed, but trackbacks and pingbacks are open.