ତିନି ଶକ୍ତି ପ୍ରକଳ୍ପର ଲୋକାର୍ପଣ କଲେ ନବୀନ

Get real time updates directly on you device, subscribe now.

କଳାହାଣ୍ଡି,(ବି.ବି.ନୁ୍ୟଜ୍): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳାହାଣ୍ଡି ଜିଲ୍ଲାର ୩ଟି ଶକ୍ତି ପ୍ରକଳ୍ପକୁ ଲୋକାର୍ପଣ କରିଛନ୍ତି । ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏ ୩ଟି ଶକ୍ତି ପ୍ରକଳ୍ପ ଦ୍ୱାରା ଜିଲ୍ଲାର ୩୦ ହଜାର ଲୋକ ଉପକୃତ ହେବେ । କଳାହାଣ୍ଡି ଏବେ ବିକାଶର ପଥରେ । ଆଗାମୀ ଦିନରେ ଏ ଜିଲ୍ଲା ବିକାଶର ନୂଆ ପରିଚୟ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ଶୁକ୍ରବାର ଭିଡିଓ କନଫରେନ୍ସିଂ ଜରିଆରେ ଜୟପାଟଣାର ବାନେରଠାରେ ଏକ ୨୨୦/୧୩୨/୩୩ କେଭି ଗ୍ରୀଡ ସବଷ୍ଟେସନର ଉଦଘାଟନ କରିଥିଲେ । ଏହାସହ ଗ୍ରୀଡରୁ ବାହାରିଥିବା ଦୁଇଟି ୩୩ କେଭି ଫିଡର ଲାଇନ୍ ମଧ୍ୟ ଲୋକାର୍ପିତ କରିଛନ୍ତି । ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଲେ, ଏ ପ୍ରକଳ୍ପ ଦ୍ୱାରା ଜୟପାଟଣା, କୋକସରା ଓ କଲମପୁର ଅଂଚଳର ଲୋକମାନେ ଉପକୃତ ହେବେ । ଜନସାଧାରଣଙ୍କୁ ଉନ୍ନତ ମାନର ଓ ନିରବଚ୍ଛିନ୍ନ ବିଜୁଳି ସେବା ମିଳିବ । ପାୱାର କଟ୍ ସମସ୍ୟା ଦୂର ହେବ । ଚାଷୀ, ମହିଳା ଓ ଛାତ୍ରଛାତ୍ରୀ ଉପକୃତ ହେବେ । ଆଗାମୀ ଦିନରେ ଜିଲ୍ଲାର ଅନ୍ୟ ଅଂଚଳକୁ ମଧ୍ୟ ବିଦୁ୍ୟତ୍ ସେବାର ସଂପ୍ରସାରଣ କରାଯିବ । ୨୨୦ କେିଭର ଏ ଜୟପାଟଣା ଗ୍ରୀଡ୍ ପାଇଁ ୮୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ଗ୍ରୀଡ୍ ଦ୍ୱାରା କଳାହାଣ୍ଡିର ଜନସାଧାରଣ ପ୍ରଥମ ଥର ଇନ୍ଦ୍ରାବତୀରୁ ସିଧାସଳଖ ବିଜୁଳି ପାଇପାରିବେ । ଆଗାମୀ ଦିନରେ ୪୭ କିମିର ଦୀର୍ଘ ଆଉ ଏକ ୧୩୨ କେଭି ଡବଲ ସର୍କିଟ୍ ଲାଇନ୍ ଜୁନାଗଡ଼କୁ ସଂଯୁକ୍ତ କରାଯିବ ।
ନବୀନ କହିଲେ, କଳାହାଣ୍ଡି ଏବେ ତ୍ୱରିତ ବିକାଶଶୀଳ ଜିଲ୍ଲା ଭାବେ ପରିଚୟ ସୃଷ୍ଟି କରିଛି । କୃଷି କ୍ଷେତ୍ରରେ ଜିଲ୍ଲାରେ ଦ୍ରୁତ ଉନ୍ନତି ଆସିଛି । ଜଳସେଚନର ସୁବିଧା ପାଇଁ ରେତ ଜଳସେଚନ ପ୍ରକଳ୍ପ ସହ ଆହୁରି ଅନେକ ମେଗା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି । ସରକାରୀ ମେଡିକାଲ କଲେରଜ କାମ ଦ୍ରୁତ ବେଗରେ ଚାଲିଛି । ଭବାନୀପାଟଣା ସ୍ୱୟଂଶାସିତ ମହାବିଦ୍ୟାଳୟକୁ କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ପରିଣତ କରାଯାଇଛି । ବିଜୁ ଏକ୍ସପ୍ରେସ୍ ୱେ ପଶ୍ଚିମ ଓଡ଼ିଶାର ଅର୍ଥନୈତିକ ଜୀବନଧାରା ହେବାକୁ ଯାଉଛି । କଳାହାଣ୍ଡିର ଆର୍ଥିକ ବିକାଶକୁ ଏହା ଆଗକୁ ନେବ । କଳାହାଣ୍ଡି ବିକାଶର ନୂଆ ଅଧ୍ୟାୟ ସୃଷ୍ଟି କରିବ ।
ବାନେର ଠାରେ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଲେ, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ କଳାହାଣ୍ଡିରେ କୃଷି, ଜଳସେଚନ, ସଡ଼କ ପରିହବନ, ଶିକ୍ଷା, ସ୍ୱାସ୍ଥ୍ୟ ଆଦି ସବୁ କ୍ଷେତ୍ରରେ ଉନ୍ନତି ଆସିଛି । ଉଚ୍ଚଶିକ୍ଷାରେ ବ୍ୟାପକ ବିକାଶ ହୋଇଛି । ବିଜୁ ଏକ୍ସପ୍ରେସ୍ ୱେ ଦ୍ୱାରା କଳାହାଣ୍ଡିରେ ଶିଳ୍ପ ବିକାଶ ମଧ୍ୟ ହେବ । ଆଜିର ବିଜୁଳି ପ୍ରକଳ୍ପ ପାଇଁ ସେ କଳାହାଣ୍ଡି ଜିଲ୍ଲାବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ ।
କାର୍ଯ୍ୟକ୍ରମରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଯୋଗଦେଇ କହିଲେ, ଇନ୍ଦ୍ରାବତୀ ପ୍ରକଳ୍ପ ପରେ କଳାହାଣ୍ଡିର ବିକାଶ ଆସିଛି । ବାମ କେନାଲ ନିର୍ମାଣ ପରେ ଜିଲ୍ଲାରେ ଧାନ ଉପôାଦନ ଯଥେଷ୍ଟ ବଢ଼ିଛି । ଦକ୍ଷିଣ କେନାଲର ନିର୍ମାଣ ପାଇଁ ଶ୍ରୀ ନାଏକ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବା ସହ ବିଜୁଳି ପ୍ରକଳ୍ପ ପାଇଁ ଧନ୍ୟବାଦ ଜଣାଇଥିଲେ ।
ଏ କାର୍ଯ୍ୟକ୍ରମରେ ନର୍ଲା ବିଧାୟକ ଭୂମିନ୍ଦର ସିଂହ ଓ ଉନ୍ନୟନ କମିଶର ସୁରେଶ କୁମାର ମହାପାତ୍ର ଯୋଗ ଦେଇଥିଲେ । ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳ ସ୍ୱାଗତ ଭାଷଣ ଦେଇଥିଲେ । କଳାହାଣ୍ଡି ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ ( ୫ଟି) ଭି କେ ପାଣ୍ଡିଆନ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons