ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କର ଗତକାଲି ବିଳମ୍ବିତ ରାତିରେ ପରଲୋକ ଘଟିଛି। ଅସୁସ୍ଥତା ଯୋଗୁଁ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବରିଷ୍ଠ ବିଜେଡ଼ି ନେତା ପ୍ରଦୀପ ମହାରଥୀଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଗୁରୁତର ହୋଇପଡ଼ିଥିଲା। ଏହାପରେ ଭେଣ୍ଟିଲେଟର ସହାୟତାରେ ତାଙ୍କର ଚିକିତ୍ସା ଜାରି ରହିଥିଲା। ମାତ୍ର ଡାକ୍ତରମାନଙ୍କ ସବୁ ପ୍ରଚେଷ୍ଟା ସତ୍ତ୍ବେ ମହାରଥୀଙ୍କୁ ବଞ୍ଚାଇ ରଖିବା ସମ୍ଭବ ହୋଇ ନ ଥିଲା। ମୃତ୍ୟୁ ବେଳକୁ ତାଙ୍କ ନିକଟରେ ପତ୍ନୀ ପ୍ରତିଭା ମହାରଥୀ, ପୁତ୍ର ରୁଦ୍ରପ୍ରତାପ ଓ ଝିଅ ପଲ୍ଲବୀଙ୍କ ସମେତ ପରିବାରର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ। ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ମାତ୍ରେ ପିପିଲି ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା। ଶେଷ ଦର୍ଶନ ଲାଗି ବହୁ ସମର୍ଥକ ହସ୍ପିଟାଲ ନିକଟକୁ ଆସିଥିଲେ।
ସ୍ବର୍ଗତଃ ମହାରଥୀ ପ୍ରଥମେ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ଏହାପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଚିକିତ୍ସାରେ ରହି ସୁସ୍ଥ ହୋଇ ଘରକୁ ଫେରିଥିଲେ। ଏହାପରେ ପୁଣି ସେ ଅସୁସ୍ଥ ହୋଇପଡ଼ିଥିଲେ ଏବଂ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଥିବା ସମୟରେ କ୍ରମଶଃ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ଆରମ୍ଭ ହୋଇଥିଲା। ଶୁକ୍ରବାର ଦିନ ସେ ଗୁରୁତର ହୋଇପଡ଼ିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲ।। ଶନିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ମହାରଥୀଙ୍କ ପରିବାର ଲୋକଙ୍କ ସହ ଫୋନରେ କଥା ହେବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ। ଏହା ସହିତ ମହାରଥୀଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନଙ୍କ ସହ ମଧ୍ୟ ମୁଖ୍ୟମନ୍ତ୍ରୀ କଥା ହୋଇ ତାଙ୍କୁ ଯଥାସମ୍ଭବ ସର୍ବୋତ୍ତମ ଚିକିତ୍ସା ପ୍ରଦାନ କରିବାକୁ ଅନୁରୋଧ କରିଥିଲେ।ପୁରୀ ଜିଲ୍ଲାର ପିପିଲି ଅଞ୍ଚଳର ଅପ୍ରତିଦ୍ବନ୍ଦ୍ବୀ ନେତା ପ୍ରଦୀପ ମହାରଥୀଙ୍କ ରାଜନୈତିକ କ୍ୟାରିୟର ଛାତ୍ର ଜୀବନରୁ ଆରମ୍ଭ ହୋଇଥିଲା। ସେ ପୁରୀସ୍ଥିତ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ଛାତ୍ର ସଂସଦକୁ ନିର୍ବାଚିତ ହୋଇଥିଲେ। ଏହାପରେ ସେ ଜନତା ଦଳରେ ଯୋଗ ଦେଇ ୧୯୮୫ ମସିହାରେ ପିପିଲି ନିର୍ବାଚନ ମଣ୍ଡଳୀରୁ ଜନତା ପାର୍ଟିର ଟିକେଟରେ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ ସେ ମୋଟ ୭ ଥର ବିଧାୟକ ଭାବେ ଓଡ଼ିଶା ବିଧାନସଭାରେ ପିପିଲିକୁ ପ୍ରତିନିଧିତ୍ବ କରିଥିଲେ। ୧୯୯୦ରେ ଜନତା ଦଳ ଟିକେଟରେ ବିଜୟୀ ହୋଇଥିବା ବେଳେ ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ବିଜୁ ଜନତା ଦଳ ଟିକେଟରେ ବିଧାୟକ ହୋଇଥିଲେ। ପିପିଲିକୁ ନିଜର କର୍ମକ୍ଷେତ୍ର ଭାବିଥିବାରୁ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ହିଁ ସେ ସବୁଥର ନିର୍ବାଚନରେ ଲଢ଼ିଥିଲେ।
ଏଥି ସହିତ ସ୍ୱର୍ଗତ ପ୍ରଦୀପ ମହାରଥୀ ୨୦୧୧ ମସିହା ମେ’ ମାସ ୧୦ ତାରିଖରେ କୃଷି ମନ୍ତ୍ରୀ, ୨୦୧୪ ମେ’ ମାସ ୨୧ରେ କୃଷି, ମତ୍ସପାଳନ ଓ ପଶୁସଂପଦ ମନ୍ତ୍ରୀ, ୨୦୧୭ ମସିହା ମେ’ ମାସ ୭ ତାରିଖରେ ପଂଚାୟତରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ, ୨୦୧୭ ମସିହା ଡିସେମ୍ବର ୨୨ରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସପାଳନ ଓ ପଶୁ ସଂପଦ ମନ୍ତ୍ରୀ ଥିଲେ।
ସ୍ୱର୍ଗତ ମହାରଥୀ ୧୯୫୫ ମସିହା ଜୁଲାଇ ୪ ତାରିଖରେ ପୁରୀ ଜିଲ୍ଲା ପିପିଲିର ଖୋରାପଡ଼ାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିତା ଥିଲେ ସ୍ୱର୍ଗତ ଗୋକୁଳା ନନ୍ଦ ମହାରଥୀ। ତାଙ୍କର ଧର୍ମପତ୍ନୀ ହେଉଛନ୍ତି ପ୍ରତିଭା ମହାରଥୀ। ପୁଅ ରୁଦ୍ର ପ୍ରତାପ ମହାରଥୀ ବି. ଟେକ୍ ଓ ଏମ୍ବିଏ ପାଠ୍ୟକ୍ରମ ଶେଷ କରିଥିବା ବେଳେ ଝିଅ ପଲ୍ଲବୀ ହେଉଛନ୍ତି ଜଣେ ଡାକ୍ତର।
ପରଲୋକଗତ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ସେ ସ୍ବର୍ଗତଃ ମହାରଥୀଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ପ୍ରଦୀପ ମହାରଥୀ ବିଜେଡିର ଜଣେ ଦୃଢ ସମର୍ଥକ ଓ ବିଜୁ ବାବୁଙ୍କ ପୁରାତନ ସହଯୋଗୀ ଥିଲେ। ନିଜର ଦୃଢ ସଙ୍ଗଠନ କ୍ଷମତା ଲାଗି ସେ ବେଶ୍ ପରିଚିତ। ଏଥିଲାଗି ସେ ୭ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଯଥାର୍ଥରେ ସେ ଥିଲେ ଜନତାଙ୍କ ନେତା।’ ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଦୀପ ମହାରଥୀଙ୍କର ଶୋକସନ୍ତପ୍ତ ପରିବାର ଓ ପିପଲିବାସୀଙ୍କୁ ମଧ୍ୟ ସମବେଦନା ଜଣାଇଛନ୍ତି।
ଅନ୍ୟପଟେ ପରଲୋକଗତ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି। ବିଧାନସଭା ପରିସରରେ ତାଙ୍କ ପାର୍ଥ ଶରୀର ପହଞ୍ଚିବା ପରେ ବିଭିନ୍ନ ଦଳର ରାଜନୈତିକ ନେତାମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ତାଙ୍କ ବିୟୋଗ ପରେ ମହାରଥୀଙ୍କ ସ୍ମୃତିଚାରଣ କରିଛନ୍ତି ବହୁ ନେତା। ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର କହିଛନ୍ତି ଯେ ପ୍ରଦୀପ ମହାରଥୀଙ୍କର କୌଣସି ପ୍ରକାରର ଭୟ ନ ଥିଲା। ତାଙ୍କ ବିୟୋଗ ଓଡ଼ିଶା ପାଇଁ ଏକ ଅପୂରଣୀୟ କ୍ଷତି। ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ଯେ ତାଙ୍କ ବିୟୋଗ ଦଳ ପାଇଁ ବଡ଼ କ୍ଷତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ସେ। ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରଦୀପ ମହାରଥୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ପ୍ରଦୀପ ମହାରଥୀଙ୍କର ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁରେଶ କୁମାର ରାଉତରାୟ ପ୍ରଦୀପ ମହାରଥୀଙ୍କ କାମକୁ ସେ ବହୁବାର ବିଧାନସଭାରେ ପ୍ରଶଂସା କରିଛନ୍ତି। ସେଦୁହେଁ ମିଶି ବହୁ ଲୋକହିତକର କାର୍ୟ୍ୟ କରିଛନ୍ତି ବୋଲି ସୁରେଶ କୁମାର ରାଉତରାୟ କହିଛନ୍ତି। ପ୍ରଦୀପ ମହାରଥୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରମିଳା ମଲ୍ଲିକ । କହିଲେ, ବିଧାୟକଙ୍କ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ । ଆମ ବିଜେଡି ପରିବାର ଜଣେ ମୁରବୀଙ୍କୁ ହରାଇଲା । ତାଙ୍କ ସ୍ଥାନ କେହି ପୂରା କରିପାରିବେ ନାହିଁ ।
ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ଶୋକ ବାର୍ତ୍ତାରେ କହିଛନ୍ତି ଯେ ତାଙ୍କ ବିୟୋଗରେ ସେ ଗଭୀର ମର୍ମାହତ। ଠିକ୍ ସେହିପରି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ ପ୍ରଦୀପ ମହାରଥୀ ରାଜ୍ୟ ରାଜନୀତିର ସବୁଠାରୁ ଚର୍ଚ୍ଚିତ ଚେହେରା ଥିଲେ। ବରିଷ୍ଠ ବିଜେପି ନେତା ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ୍ ଓରାମ ବି ଗଭୀର ଶୋକ ପ୍ରକାଶ କରିଛନ୍ତି।


Comments are closed, but trackbacks and pingbacks are open.