ବସ୍ତା,(ବି.ବି.ନୁ୍ୟଜ୍): ଜୀବନ ଯୁଦ୍ଧରେ ହାରିଗଲେ ବାଲେଶ୍ୱର ଜିଲ୍ଲା ବସ୍ତା ବିଜେଡିର ନେତା ତ୍ରିଲୋଚନ ବେହେରା । ଦେହାନ୍ତ ବେଳକୁ ତାଙ୍କର ୬୫ ବର୍ଷ ହୋଇଥିଲା । କିଛି ଦିନ ପୂର୍ବରୁ ତାଙ୍କୁ ଜ୍ୱର ହେବା ପରେ ସେ କରୋନା ପରୀକ୍ଷା କରାଇଥିଲେ । ପଜିଟିଭ୍ ରିପୋର୍ଟ ଆସିବା ପରେ ସେ ତାଙ୍କ ମଥାନୀ ସ୍ଥିତ ବାସଭବନରେ ହୋମ୍ ଆଇସୋଲେସନ୍ରେ ରହିବା ସହ ଔଷଧ ଖାଉଥିଲେ । ଏହା ସତ୍ତେ୍ୱ ଜ୍ୱର ନକମିବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା କୋଭିଡ୍ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଚିକିତ୍ସା ପରେ ସୁସ୍ଥ ଲାଗିବାରୁ ଘରକୁ ପଳାଇ ଆସି ପୁଣି ହୋମ୍ ଆଇସୋଲେସନରେ ରହିଥିଲେ । ମାତ୍ର ହସ୍ପିଟାଲରୁ ଫେରିବାର ଦୁଇ ଦିନ ପରେ ତାଙ୍କୁ ନିଃଶ୍ୱାସ ନେବାରେ କଷ୍ଟ ହେବାରୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ସୋମବାର ସକାଳେ ତାଙ୍କର ପରଲୋକ ହୋଇଥିଲା । ଦୁଇ ଦିନ ପୂର୍ବରୁ ତାଙ୍କର ଆଶୁ ଆରୋଗ୍ୟ କାମନା କରି ବସ୍ତା ବିଜେଡି ପକ୍ଷରୁ ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିବା ବେଳେ ସୋମବାର ତାଙ୍କର ମୃତୁ୍ୟ ଖବର ଆସିବା ପରେ ବସ୍ତା ନିର୍ବାଚନ ମଣ୍ଡଳୀ ସ୍ଥବ୍ଧ ହୋଇଯାଇଛି । ତାଙ୍କର ମୃତୁ୍ୟକୁ କେହି ସହଜରେ ଗ୍ରହଣ କରିପାରିନଥିଲେ । ମୃତୁ୍ୟ ବେଳକୁ ହସ୍ପିଟାଲରେ ତାଙ୍କ ବଡ଼ପୁଅ ପ୍ରକାଶ, ଜ୍ୱାଇଁ କାଶୀନାଥଙ୍କ ସହ ଦଳୀୟ କର୍ମୀ ପ୍ରତାପ ବେହେରା ଉପସ୍ଥିତ ଥିଲେ । ସୋମବାର ସକାଳେ ତାଙ୍କ ସାନପୁଅ ଅନୁକୂଳ ଓ ବିଜେଡି ନେତା ମହାଦେବ ଦାସ ଭୁବନେଶ୍ୱର ଯାଉଥିବା ବେଳେ ରାସ୍ତାରେ ମୃତୁ୍ୟ ଖବର ପାଇଥିଲେ । ବିଏମ୍ସି ପକ୍ଷରୁ ଭୁବନେଶ୍ୱର ସତ୍ୟନଗର ସ୍ଥିତ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ବଡ଼ପୁଅ ପ୍ରକାଶ ମୁଖାଗ୍ନି ଦେଇଥିଲେ । ଏ ଦୁଃଖଦ ଖବର ପାଇ ତାଙ୍କ ବାସଭବନ ଲୋକାରଣ୍ୟ ହୋଇପଡ଼ିଥିଲା । ସ୍ୱର୍ଗତ ତ୍ରିଲୋଚନ ବେହେରା ଦୀର୍ଘ ୩୦ବର୍ଷ ଧରି ସକ୍ରିୟ ରାଜନୀତିରେ ରହିଥିଲେ । ଜଣେ ସଫଳ ଚାଷୀରୁ ତାଙ୍କର ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା । ୧୯୯୦ରୁ ୨୦୧୯-୨୦ ପର୍ଯ୍ୟନ୍ତ ୩୦ ବର୍ଷ ଧରି ସେ ବସ୍ତା ବିଜେଡି ବ୍ଲକ ସଭାପତି ଦାୟିତ୍ୱରେ ରହିଥିଲେ । ବାହାର୍ଦ୍ଧା ପଞ୍ଚାୟତରେ ୩ଥର ସରପଂଚ, ମଥାନୀ ସେବା ସମବାୟ ସମିତିରେ ସଭାପତି ଓ ୨୦୧୭ର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବାଲେଶ୍ୱର ଜିଲ୍ଲାର ୧୫ନଂ ଜୋନ୍ରୁ ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚନ ଜିତିଥିଲେ । ୧୯୯୦ରୁ ଜନତା ଦଳରୁ ରଘୁନାଥ ମହାନ୍ତି ବିଧାୟକ ହେବାଠୁ ତାଙ୍କର ୨୫ ବର୍ଷ ଶାସନ କାଳରେ ତ୍ରିଲୋଚନ ପ୍ରଭାବଶାଳୀ ନେତା ଭାବେ ଉଭା ହୋଇଥିଲେ । ବ୍ଲକ ପଂଚାୟତ ସମିତି ବୈଠକ, ଜିଲ୍ଲା ପରିଷଦ ବୈଠକ ଓ ଦଳୀୟ ବୈଠକରେ ତାଙ୍କର ଯଥେଷ୍ଟ ପାରଦର୍ଶିତା ପାଇଁ ସେ ଜଣେ ଦକ୍ଷ, ସତ୍ୟବାଦୀ, ନିର୍ଭିକ, ପରୋପକାରୀ ନେତା ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ତାଙ୍କ ପରଲୋକ ଖବରରେ ବିଜେଡି ସମେତ ଅନ୍ୟ ପ୍ରମୁଖ ଦଳର ନେତୃବୃନ୍ଦଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ପୂର୍ବତନ ସାଂସଦ ତଥା ବିଜେଡି ଜିଲ୍ଲା ସଭାପତି ଇଂ ରବୀନ୍ଦ୍ର କୁମାର ଜେନା, ବରିÂ ନେତା ବରଦା ପ୍ରସନ୍ନ ପଟ୍ଟନାୟକ, ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଶ୍ୟାମାପ୍ରସାଦ ବେହେରା, ସମାଜସେବୀ ସୁବାସିନୀ ଜେନା, ବସ୍ତା ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀଧର ଦାସ, ଯୁବନେତା ପୂର୍ଣ୍ଣଚନ୍ଦ୍ର ଜେନା, ସରପଞ୍ଚ ବିଷ୍ଣୁପ୍ରିୟା ବୁଗୁଡ଼ି, ସୁନୀଲ ସେନାପତି, ପୂର୍ବତନ ସମିତି ସଭ୍ୟ ଭଜହରି ପରିଡ଼ା, ବିଜେପି ନେତା ରବୀନ୍ଦ୍ର କୁମାର ଜୈନ, ସାମ୍ବାଦିକ ଦୀପକ କୁମାର ପରିଡ଼ା, ସାମ୍ବାଦିକ ବିଜୟ କୁମାର ଭୂୟାଁ, ସଞ୍ଜୟ ସାମଲ, ସୁଶାନ୍ତ ପ୍ରଧାନ, ବିଜେଡି ମିଡିଆ ସେଲ ସଂଯୋଜକ ବିରାଜ ସିଂଦେଓ, ଅନିଲ କୁମାର ମହାନ୍ତି, ଲିପିକା ରାଉଳ, ଶଙ୍କର କୁମାର କର, ନିଗମାନନ୍ଦ ଗିରି, ଦେବେନ୍ଦ୍ର ବେହେରା, ଅମର ଗିରି, ଦିଲ୍ଲୀପ ଦଣ୍ଡପାଟଙ୍କ ସମେତ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଥିଲେ । ପ୍ରକାଶ ଯୋଗ୍ୟ, ସ୍ୱର୍ଗତ ବେହେରାଙ୍କ ଜିଲ୍ଲା ପରିଷଦ କାର୍ଯ୍ୟକାଳ ଆହୁରି ୨ ବର୍ଷ ଥିବା ବେଳେ ତାଙ୍କ ପୁତ୍ରବଧୂ ପ୍ରତିମା ଦାସ ବାହାର୍ଦ୍ଧା ପଂଚାୟତର ସରପଂଚ ଅଛନ୍ତି ।
Comments are closed, but trackbacks and pingbacks are open.