ଏଟିଏମ୍ କାଟି ନେଇଗଲେ ୨୮ ଲକ୍ଷ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଶନିବାର ବିଳମ୍ବିତ ରାତିରେ ପଟିଆ ବିଗ୍ବଜାର ଛକ ପେଟ୍ରୋଲ୍ ପମ୍ପ୍ ନିକଟରେ ଥିବା ପିଏନ୍ବି ଏଟିଏମ୍କୁ ଗ୍ୟାସ୍ କଟରରେ କାଟି ୨୭ ଲକ୍ଷ ୮୪ ହାଜର ୪ ଶହ ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ଏନେଇ ଇନ୍ଫୋସିଟି ଥାନାରେ ଅଭିଯୋଗ କରିଛନ୍ତି ବିଜନେସ୍ ଚାମ୍ପିୟନ ଅଫ୍ ଫାଇନାନ୍ସସିଆଲ୍ ସଫ୍ଟୱେୟାର ଆଣ୍ଡ ସିଷ୍ଟମ୍ (ଏଫ୍ଏସ୍ଏସ୍) ପ୍ରାଇଭେଟ୍ ଲିମିଟେଡ୍ର କର୍ମଚାରୀ ଉତ୍ତମ କୁମାର ବାନୁଆ । ଅଭିଯୋଗ ପରେ ପୁଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଛାନ୍ଭିନ ଆରମ୍ଭ କରିଛନ୍ତି । ସେଠାରୁ ପୁଲିସ୍ ଏକ ଗ୍ୟାସ୍ ଟାଙ୍କି (୫ଲିଟିର) ଓ ଗ୍ୟାସ୍ କଟର ଜବତ କରିଛି । ସିସିଟିଭିରେ ଲୁଟେରାଙ୍କ କାରନାମା କଏଦ୍ ହୋଇଛି ।
ପୁଲିସ୍ ଠାରୁ ମିଳିଥିବ ସୂଚନା ମୁତାବକ, ପଟିଆ ବିଗ୍ବଜାର ଛକ ନିକଟରେ ଥିବା ଏଚ୍ପି ପେଟ୍ରୋଲ୍ ପମ୍ପ୍ ନିକଟରେ ରହିଛି ଦୁଇଟି ଏଟିଏମ୍ । ଗୋଟିଏ ହେଲା ପିଏନ୍ବି ଓ ଅନ୍ୟଟି ହେଉଛି ଆକ୍ସିସ୍ ବ୍ୟାଙ୍କ୍ର । ଗତ ୯ ତାରିଖ ପୂର୍ବାହ୍ଣରେ ଏଫ୍ଏସ୍ଏସ୍ ପକ୍ଷରୁ ପିଏନ୍ବି ଏଟିଏମ୍ରେ ୨୯ ଲକ୍ଷ ୩୯ ହଜାର ଟଙ୍କା ଲୋଡ୍ କରାଯାଇଥିଲା । ଶନିବାର ରାତି ୧୧ଟା ସୁଧା ପ୍ରାୟ ୧ ଲକ୍ଷ ୫୦ ହଜାର ଟଙ୍କା ଉଠାଣ ହୋଇସାରିଥିଲା । ରାତି ପ୍ରାୟ ୨ ଟା ସମୟରେ ୪ ଜଣ ଲୁଟେରା ଏଟିଏମ୍ ପାଖରେ ପହଞ୍ଚିଥିଲେ । ୩ ଜଣ ଭିତରେ ପଶିଥିଲେ । ଅନ୍ୟ ଜଣେ ବାହାରେ ଜଗି ରହିଥିଲା । ଏଟିଏମ୍ ଭିତରକୁ ଯାଇଥିବା ୩ ଜଣ ଲୁଟେରାଙ୍କ ପାଖରେ ଥିଲା ଗ୍ୟାସ୍ ଟାଙ୍କି ଓ ଗ୍ୟାସ୍ କଟର୍ । ଲୁଟେରାମାନେ ସଟର ପକାଇ ଗ୍ୟାସ୍ କଟର୍ରେ ଏଟିଏମ୍ କାଟି ୨୭ ଲକ୍ଷ ୮୪ ହଜାର ୪ ଶହ ଟଙ୍କା ଲୁଟି ନେଇଥିଲେ । ରବିବାର ସକାଳେ ବ୍ୟାଙ୍କ୍ କର୍ମଚାରୀମାନେ ଉକ୍ତ ଏଟିଏମ ଲିଙ୍କ ଫେଲ୍ ଦେଖାଉଥିବା ଜାଣିବାକୁ ପାଇଥିଲେ । ଏହା ପରେ ଟଙ୍କା ଲୋଡ୍ କରିଥିବା ସଂସ୍ଥା ସହ ଯୋଗାଯୋଗ କରିଥିଲେ । ସଂସ୍ଥାର ଦୁଇ ଜଣ କର୍ମଚାରୀ ଆସି ଦେଖିଥିଲେ ଏଟିଏମ୍ କଟା ହୋଇଛି । ଗ୍ୟାସ୍ କଟର ତଳେ ପଡିଛି । ଖବର ପାଇ ଇନ୍ଫୋସିଟି ଥାନା ପୁଲିସ୍, ଜୋନ୍ ଏସିପି ଓ ନନ୍ଦନକାନନ ଆଇଆଇସି ଘଟଣା ସ୍ଥଳରେ ପହଞ୍ଚି ଆରମ୍ଭ କରିଥିଲେ ଛାନ୍ଭିନ୍ । ଆଖପାଖରେ ଲାଗିଥିବା ସମସ୍ତ ସିସିଟିଭି ଯାଞ୍ଚ କରିବା ସହ ଏଟିଏମ୍ ଭିତରେ ଲାଗିଥିବା ସିସିଟିଭି ବି ଯାଞ୍ଚ କରିଥିଲେ । ସେଥିରେ ଲୁଟେରାଙ୍କ କଳା କାରନାମା କଏଦ ହୋଇଥିବା ଜଣାପଡିଛି ।
ପ୍ରାଥମିକ ତଦନ୍ତରୁ ପୁଲିସ୍ ଜାଣିବାକୁ ପାଇଛି, ଲୁଟେରାମାନେ ଏଟିଏମ୍ର ସର୍ଭରକୁ ହ୍ୟାକ୍ କରିଛନ୍ତି । ତା’ପରେ ଏଟିଏମ୍ ସଟର ପକାଇ ଗ୍ୟାସ୍ କଟରରେ କାଟି ସବୁ ଟଙ୍କା ଲୁଟି ନେଇଛନ୍ତି । ଲୁଟେରାମାନେ ନୂଆ ଗ୍ୟାସ୍ ଟାଙ୍କି ଓ କଟର କିଣିଥିବା ଜଣାପଡୁଛି । ଏଟିଏମ୍ରେ ସାଇରନ୍ କାମ କରୁନଥିବା ପୁଲିିସ୍ କହିଛି । ପିଏନ୍ବି ଏଟିଏମ୍କୁ ଲାଗି ଥିବା ଆକ୍ସିସ୍ ବ୍ୟାଙ୍କ୍ ଏଟିଏମ୍ ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ ଚାଲିଛି । ଅଭିଯୋଗକାରୀ ଉତ୍ତମ ତାଙ୍କ ଏତଲାରେ ଦର୍ଶାଇଛନ୍ତି, ୨ ଲକ୍ଷ ୫୬ ହଜାର ୮୦୦ (ଶହେ ଟଙ୍କିଆ), ୧ ଲକ୍ଷ ୯୩ ହଜାର ୬୦୦ (ଦୁଇ ଶହ ଟଙ୍କିଆ), ୮ ଲକ୍ଷ ୩୦ ହଜାର ୫୦୦ (୫ଶହ ଟଙ୍କିଆ) । ୧୫ ଲକ୍ଷ ୪ ହଜାର (୨ ହଜାର ଟଙ୍କିଆ) ନୋଟ ଏଟିଏମ୍ରୁ ଚୋରି ହୋଇଛି । ସେପଟେ ୮ ବର୍ଷ ତଳେ ଉକ୍ତ ଏଟିଏମ୍ରୁ ୧୦ ଲକ୍ଷ ଟଙ୍କା ଲୁଟ୍ ହୋଇଥିଲା । ସେ ଘଟଣାରେ ଏପର୍ଯ୍ୟନ୍ତ ପୁଲିସ୍ କାହାରିକୁ ଗିରଫ କରିପାରିନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons