ପାହାଡ଼ରୁ ପଥର ଖସି ଛାତ୍ର ମୃତ

Get real time updates directly on you device, subscribe now.

ବାଲେଶ୍ୱର,(ବି.ବି.ନୁ୍ୟଜ୍): ବାଲେଶ୍ୱର ଜିଲ୍ଲା ଖଇରା ତହସିଲ ଅଧୀନ ଶାରୀଶୁଆ ପାହାଡରେ ଥିବା କପିଳଝର ବନ୍ଧନଟା ଜଳପ୍ରପାତରେ ରବିବାର ଏକ ଅଘଟଣ ଘଟିଛି । ସେଠାରେ ଜଣେ ଛାତ୍ର ଗାଧୋଉଥିବା ବେଳେ ପାହାଡ଼ରୁ ପଥର ଖସିଲା । ଏଥିରେ ତାଙ୍କର ପ୍ରାଣହାନି ଘଟିଛି । ମୃତ ଛାତ୍ର ହେଉଛନ୍ତି ଖଇରା ବ୍ଲକ୍ ଅନ୍ତରା ଗ୍ରାମର କିଶୋର ଶୁକ୍ଳଙ୍କ ଏକମାତ୍ର ପୁଅ ପୂର୍ଣ୍ଣଚନ୍ଦ୍ର (୧୫) । ତେବେ ପୁଲିସର ନିଷ୍କ୍ରିୟତା ପାଇଁ ଗୋଟିଏ ନିରୀହ ଜୀବନ ଚାଲିଗଲା ବୋଲି ସାଧାରଣରେ ଆଲୋଚନା ହେଉଛି ।
ସୂଚନା ଅନୁସାରେ, ପୂର୍ଣ୍ଣଚନ୍ଦ୍ର ଓ ତାଙ୍କ ଭଉଣୀ ସ୍ଥାନୀୟ ଗୁଳିହା ଗ୍ରାମର ପିଉସା ସଞ୍ଜୟ ପାଢୀଙ୍କ ଘରକୁ ବୁଲିବାକୁ ଆସିଥିଲେ । ସେଠାରୁ ଆଜି ଅପରାହ୍ନରେ ପିଉସା ଶ୍ରୀ ପାଢ଼ୀ ଓ ତାଙ୍କର ଦୁଇ ଝିଅଙ୍କ ସମେତ ପୂର୍ଣ୍ଣଚନ୍ଦ୍ର ଓ ତାଙ୍କ ଭଉଣୀ ଶାରୀଶୁଆ ପାହାଡରେ ଥିବା କପିଳଝର ବନ୍ଧନଟା ଜଳପ୍ରପାତ ବୁଲିବାକୁ ଯାଇଥିଲେ । ଜଳପ୍ରପାତରେ ପୂର୍ଣ୍ଣଚନ୍ଦ୍ର ଗାଧୋଉଥିବା ବେଳେ ହଠାତ୍ ପାହାଡ ଉପରୁ ଏକ ବଡ ପଥର ଖସି ପଡ଼ିଲା । ଫଳରେ ତାଙ୍କ ମୁଣ୍ଡ ଫାଟିଯାଇ ପ୍ରବଳ ରକ୍ତ ସ୍ରାବ ହୋଇଥିଲା । ଚେତାଶୂନ୍ୟ ହୋଇ ସେ ପଡିଯାଇଥିଲେ । ଉପସ୍ଥିତ ଥିବା ଲୋକେ ତାଙ୍କୁ ଏକ ବାଇକ ଯୋଗେ ଖଇରା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଖଇରା ଥାନା ଏସଆଇ ସୁଜାତା ମଲ୍ଲିକ୍ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରିଥିଲେ । ଆସନ୍ତାକାଲି ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି ।
କରୋନା ସଂକ୍ରମଣକୁ ଲକ୍ଷ୍ୟ କରି ଏବେ ସମସ୍ତ ପର୍ଯ୍ୟଟନ ସ୍ଥଳୀକୁ ବନ୍ଦ ରଖାଯାଇଛି । ମାତ୍ର ଖୋଦ୍ ପର୍ଯ୍ୟଟନ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଥିବା ଏକମାତ୍ର ପ୍ରାକୃତିକ ଜଳପ୍ରାପତ ଅଞ୍ଚଳ ଖୋଲା ରହିଛି । କରୋନା କଟକଣା ନ ମାନି ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଏଠାରେ ଭିଡ ଜମାଉଛନ୍ତି । ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ମଧ୍ୟ ଖଇରା ପୁଲିସର ନିଦ ଭାଙ୍ଗି ନଥିଲା । ପୁଲିସ ଉପସ୍ଥିତ ରହିଥିଲେ, ଜଣେ ଛାତ୍ରର ଅକାଳରେ ଜୀବନ ଯାଇ ନଥା’ନ୍ତା କି ଆଜି ଜନୈକ ଦମ୍ପତିଙ୍କୁ ପୁତ୍ରହରା ହେବାକୁ ପଡ଼ି ନଥା’ନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଅନ୍ୟପଟେ ଏଠାରେ ଜମୁଥିବା ମଦ୍ୟପଙ୍କ ଆଡ୍ଡାକୁ ମଧ୍ୟ ପୁଲିସ ଦେଖି ନଦେଖିଲା ପରି ଅଭିନୟ କରୁଛି । ଏଦିଗରେ ଏସ୍ପି ଦୃଷ୍ଟି ଦେବାକୁ ଦାବି ହୋଇଛି ।
ସୂଚନାଯୋଗ୍ୟ, ପର୍ଯ୍ୟଟନର ମାନ୍ୟତା ପାଇଁ ସ୍ଥାନୀୟ ବିଧାୟକ ତଥା ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ସମେତ ଓଟିଡିସିର କର୍ମକର୍ତ୍ତାମାନେ ଉକ୍ତ ସ୍ଥାନକୁ ନିକଟରେ ପରିଦର୍ଶନ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons