ନବରଙ୍ଗପୁର,(ବି.ବି.ନୁ୍ୟଜ୍): ଚାଷୀଙ୍କ କାମରେ ଆସୁନି ଶୀତଳ ଭଣ୍ଡାର । ଖତଖାଉଛି ଲକ୍ଷାଧିକ ଟଙ୍କାର ଭିତ୍ତିଭୂମି । ଏହାର ଜଗୁଆଳଙ୍କୁ ମଧ୍ୟ ୪ ବର୍ଷ ହେଲା ଦରମା ମିଳିନି । ନବରଙ୍ଗପୁର ଜିଲ୍ଲା ପାପାଡାହାଣ୍ଡି ବ୍ଲକ ଶିର୍ଶି ଗାଁ ଶୀତଳ ଭଣ୍ଡାର ଏଭଳି ଅବସ୍ଥାରେ ରହିଛି । ଯାହାକୁ ନେଇ ସ୍ଥାନୀୟ ଚାଷୀ ମହଲରେ ଅସନ୍ତୋଷ ମଧ୍ୟ ପ୍ରକାଶ ପାଉଛି । ଶୀତଳ ଭଣ୍ଡାର ପରିଚାଳନା ପାଇଁ ପ୍ରଶାସନ ଦୌଣସି ବ୍ୟବସ୍ଥା କରି ନଥିବାରୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରୁ ନଥିବା ଜଣାପଡିଛି ।
ସୂଚନା ଅନୁସାରେ, ୨୦୧୬ ରେ ପାପଡାହାଣ୍ଡି ଶିର୍ଶି ଗାଁରେ ପନିପରିବା ଚାଷୀଙ୍କ ଉଦେ୍ଧଶ୍ୟରେ ଆଇଟିଡିଏ ପକ୍ଷରୁ ଏହି ଶୀତଳ ଭଣ୍ଡାର ସ୍ଥାପନ କରାଯାଇଥିଲା । ଏଥିପାଇଁ ୪୪ ଲକ୍ଷ ଟଙ୍କା ବ୍ୟୟ ହୋଇଥିଲା । ଆଇଟିଡିଏ ନିର୍ମାଣ କାମ ଶେଷକରି ହାତ ଟେକି ଦେଇଥିଲା । କିନ୍ତୁ କିନ୍ତୁ ପ୍ରକଳ୍ପ ପରିଚାଳନାକୁ ନେଇ କୌଣସି ବ୍ୟବସ୍ଥା କଲା ନାହିଁ । ଶେଷରେ ଜିଲ୍ଲା ପ୍ରଶାସନର ଓରମାସ୍ ଉପ ନିଦେ୍ର୍ଧଶକଙ୍କୁ ଏହାର ଦାୟିତ୍ୱ ଦିଆଯାଇଛି । ଗାଁର ବୁଦ୍ରୁ ଜାନିଙ୍କୁ ଏଠାରେ ଜଗୁଆଳ ଭାବେ ନିଯୁକ୍ତି ଦିଆଯାଇଥିଲା ।
ମାସିକ ପ୍ରାପ୍ୟ ଦିଆଯିବ ବୋଲି ଜଣେ ସରକାରୀ ବାବୁ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ କେତେ ଟଙ୍କା ମିଳିବ ସେ ସମ୍ପର୍କରେ କିଛି କହି ନଥିଲେ । କିଛିଦିନ ପରେ ସରକାରୀ ବାବୁଙ୍କର ଆଉ ଦେଖା ମିଳିଲା ନାହିଁଁ କି ବୁଦ୍ରୁଙ୍କୁ ତାଙ୍କ ପ୍ରାପ୍ୟ ମିଳିଲାନି । ଗତ ୪ ବର୍ଷ ହେଲା ସେ କାମ କରିଥିଲେ ହେଁ ଆଜିଯାଏ ପ୍ରାପ୍ୟ ପାଇ ନଥିବା ବୁଦ୍ରୁ କହିଛନ୍ତି ।
ଏ ସମ୍ପର୍କରେ ଓରମାସ୍ ଉପନିଦେ୍ର୍ଧଶକ ଉମା ମହେଶଙ୍କୁ ପଚାରିବାରୁ ସେ କହିଛନ୍ତି, ଚାଷୀଙ୍କୁ ନେଇ ଏକ ଫାର୍ମର ପ୍ରଡୁ୍ୟସର କମ୍ପାନି ଗଠନ କରାଯାଇଛି । ପ୍ରକଳ୍ପକୁ ଚାଷୀମାନେ ଆଗାମୀ ଦିନରେ ପରିଚାଳନା କରିବାକୁ ନିଷ୍ପତ୍ତି ନିଆଯାଇଛି । କିନ୍ତୁ ଜଗୁଆଳଙ୍କ କଥା କିଛି ଜାଣିନାହିଁ । ଫାର୍ମର ପ୍ରଡୁ୍ୟସର କମ୍ପାନି କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ଜଗୁଆଳଙ୍କ ସମସ୍ୟା ସମାଧାନ କରାଯିବ । ଏପରିସ୍ଥଳେ, ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।


Comments are closed, but trackbacks and pingbacks are open.