ରାଜ୍ୟଙ୍କୁ ୧୨ ହଜାର କୋଟିର ସୁଧମୁକ୍ତ ଋଣ

Get real time updates directly on you device, subscribe now.

ନୂଆଦିଲ୍ଲୀ: ରାଜ୍ୟଗୁଡ଼ିକୁ ୧୨,୦୦୦ କୋଟି ଟଙ୍କାର ସୁଧମୁକ୍ତ ଋଣ ଯୋଗାଇ ଦିଆଯିବ । ଆଗକୁ ପାର୍ବଣ ଋତୁ ଆସୁଥିବାରୁ କେନ୍ଦ୍ରୀୟ କର୍ମଚାରୀଙ୍କୁ ୧୦,୦୦୦ ଟଙ୍କା ଲେଖାଏଁ ସୁଧରହିତ ଋଣ ପ୍ରଦାନ କରାଯିବ । ଏଲ୍ଟିସି ବାବଦରେ ନଗଦ ଅର୍ଥ ଦିଆଯିବ । ସେତିକି ନୁହେଁ, କେନ୍ଦ୍ର ସରକାର ଅତିରିକ୍ତ ବ୍ୟୟ ବରାଦ ବାବଦକୁ ୨୫,୦୦୦ କୋଟି ଟଙ୍କା ହାସଲ କରିବେ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଏଭଳି ଘୋଷଣା କରିଛନ୍ତି । ଅର୍ଥମନ୍ତ୍ରୀଙ୍କ ଏହି ପ୍ୟାକେଜ ପାଖାପାଖି ୭୩,୦୦୦ କୋଟି ଟଙ୍କାର ଅତିରିକ୍ତ ଚାହିଦା ସୃଷ୍ଟି କରିବ ବୋଲି ଆଶା କରାଯାଉଛି ।
କରୋନା ମହାମାରୀ ଯୋଗୁ ଧିମା ପଡ଼ିଯାଇଥିବା ଅଭିବୃଦ୍ଧି ଇଞ୍ଜିନ ପୁଣି ଗତିଶୀଳ ହେବ । ଏହାକୁ ଇନ୍ଧନ ସାଜି ଶକ୍ତି ଯୋଗାଇବ ଘରୋଇ ଚାହିଦା । ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ଘରୋଇ ଚାହିଦାକୁ ମଜଭୁତ କରିବା ଉଦେ୍ଧଶ୍ୟରେ ଅର୍ଥମନ୍ତ୍ରୀ ସୀତାରମଣ ସୋମବାର ଏଭଳି ସ୍ୱତନ୍ତ୍ର ପାର୍ବଣ ପ୍ୟାକେଜ ଆଣିଛନ୍ତି ।
ଏକ ସାମ୍ୱାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ ସୀତାରମଣ କହିଛନ୍ତି, ରାଜ୍ୟଗୁଡ଼ିକ ପାଇବାକୁ ଥିବା ୧୨,୦୦୦ କୋଟି ଟଙ୍କାର ସୁଧମୁକ୍ତ ଋଣର ୫୦ ଧ ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ଖର୍ଚ୍ଚ କରିବେ । ଏହି ଋଣକୁ ମୁଖ୍ୟତଃ ୩ଟି ଅଂଶରେ ବିଭକ୍ତ କରାଯାଇଛି । ପ୍ରଥମ ଅଂଶସ୍ୱରୂପ ୧,୬୦୦ କୋଟି ଟଙ୍କାର ଋଣ ଉତ୍ତରପୂର୍ବ ରାଜ୍ୟଗୁଡ଼ିକୁ ଦିଆଯିବ । ୯୦୦ କୋଟି ଟଙ୍କା ଉତ୍ତରାଖଣ୍ଡ ଓ ହିମାଚଳକୁ ପ୍ରଦାନ କରାଯିବ । ଅନ୍ୟ ରାଜ୍ୟଗୁଡ଼ିକୁ ଅର୍ଥ ଆୟୋଗ ସୁପାରିସ ଆଧାରରେ ୭,୫୦୦ କୋଟି ଟଙ୍କା ଦିଆଯିବ । ଏହା ବାଦ୍ ଆତ୍ମନିର୍ଭର ବିତ୍ତୀୟ ନିଅଣ୍ଟ ପ୍ୟାକେଜ ଅଧୀନରେ ଦିଆଯାଇଥିବା ୪ଟି ସଂସ୍କାର ମଧ୍ୟରୁ ଅତିକମ୍ରେ ୩ଟି ପୂରଣ କରିପାରିଥିବା ରାଜ୍ୟଗୁଡ଼ିକୁ ୨,୦୦୦ କୋଟି ଟଙ୍କାର ଋଣ ଦିଆଯିବ । ପୁଞ୍ଜିଗତ ପ୍ରକଳ୍ପଗୁଡ଼ିକରେ ଏହି ଋଣ ବିନିଯୋଗ ହେବ । ପ୍ରକଳ୍ପର ଠିକାଦାର ବା ଯୋଗାଣକାରୀଙ୍କ ବକେୟା ବିଲ୍ ସମାଧାନ ପାଇଁ ଏହାକୁ ବ୍ୟବହାର କରାଯାଇ ପାରିବ । କିନ୍ତୁ ୨୦୨୧ ମାର୍ଚ୍ଚ ୩୧ ପୂର୍ବରୁ ଏହାକୁ ଖର୍ଚ୍ଚ କରିବାକୁ ପଡ଼ିବ ବୋଲି ସୀତାରମଣ କହିଛନ୍ତି । ରାଜ୍ୟଗୁଡ଼ିକର ପ୍ରକୃତ ଋଣ ଉଠାଣ ସୀମା ବାହାରେ ଏହି ଋଣ ଯୋଗାଇ ଦିଆଯିବ ।
କେନ୍ଦ୍ର ସରକାର ନିଜର ବଜେଟ ବ୍ୟୟବରାଦ ପାଇଁ ଅତିରିକ୍ତ ୨୫,୦୦୦ କୋଟି ଟଙ୍କା ଖର୍ଚ୍ଚ କରିବେ । ତାହା ଏହି ବୁଷ୍ଟର ଡୋଜ୍ର ଅଂଶବିଶେଷ ରହିଛି । ସଡ଼କ, ପ୍ରତିରକ୍ଷା, ଭିତ୍ତିଭୂମି, ଜଳଯୋଗାଣ, ସହରାଞ୍ଚଳ ବିକାଶ, ପ୍ରତିରକ୍ଷା ବିକାଶ ଏବଂ ଘରୋଇ କ୍ଷେତ୍ରରେ ଉତ୍ପାଦିତ ମୌଳିକ ଉପକରଣକୁ ପ୍ରୋତ୍ସାହନ ଦେବାରେ ଏହି ଅର୍ଥ ଖର୍ଚ୍ଚ ହେବ ବୋଲି ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି । ପୂର୍ବରୁ ଏହିସବୁ କ୍ଷେତ୍ର ପାଇଁ ୪.୩୧ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲା ।
ଅର୍ଥ ବ୍ୟବସ୍ଥାକୁ ଗତିଶୀଳ କରିବା ପାଇଁ କେନ୍ଦ୍ର ସରକାର ନିଜର ସମସ୍ତ କର୍ମଚାରୀଙ୍କ ନିମନ୍ତେ ସ୍ୱତନ୍ତ୍ର ପାର୍ବଣ ଋଣ ସ୍କିମ ଘୋଷଣା କରିଛନ୍ତି । ଏହି ସ୍କିମରେ ପ୍ରତ୍ୟେକ କେନ୍ଦ୍ର କର୍ମଚାରୀଙ୍କୁ ୧୦,୦୦୦ ଟଙ୍କା ଲେଖାଏଁ ସୁଧମୁକ୍ତ ଋଣ ଯୋଗାଇ ଦିଆଯିବ । ସମସ୍ତ ସରକାରୀ ବାବୁ ଓ କର୍ମଚାରୀମାନେ ଏହା ପାଇବାକୁ ହକ୍ଦାର ହେବେ । ତେବେ ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ଏହି ଅର୍ଥ ଖର୍ଚ୍ଚ କରିବାକୁ ହେବ । ୧୦ଟି କିସ୍ତିରେ ଏହାକୁ ସେମାନେ ପରିଶୋଧ କରିପାରିବେ । ପ୍ରିପେଡ ରୁପେ କାର୍ଡ ଆଧାରରେ ଏହି ଋଣ ମିଳିବ । ଏହି ସ୍କିମରେ ୪,୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ପାଖାପାଖି ୧ କୋଟି କେନ୍ଦ୍ର କର୍ମଚାରୀ ଏହାଦ୍ୱାରା ଉପକୃତ ହେବେ । ଘରୋଇ ଚାହିଦାକୁ ତ୍ୱରାନ୍ୱିତ କରିବା ଲାଗି ଏହା ସହାୟକ ହେବ ବୋଲି ସୀତାରମଣ କହିଛନ୍ତି । ଅନ୍ୟପକ୍ଷରେ ଯଦି ରାଜ୍ୟ ସରକାର ଏହି ଯୋଜନା ଲାଗୁ କରନ୍ତି ତେବେ ୮,୦୦୦ କୋଟି ଟଙ୍କା ଅର୍ଥନୀତିକୁ ଆସିବ ବୋଲି ଆକଳନ କରାଯାଇଛି ।
ଏହାବ୍ୟତୀତ ୧୨ ପ୍ରତିଶତ ବା ଏହାଠାରୁ ଅଧିକ ଜିଏସଟି ଲାଗୁଥିବା ସାମଗ୍ରୀ କିଣିବା ପାଇଁ କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କୁ ଏଲଟିସି ଟିକେଟ ଭଡ଼ା ପରିବର୍ତ୍ତେ ନଗଦ ଅର୍ଥ ପ୍ରଦାନ କରିବେ । ଏହା ଉପରେ କେନ୍ଦ୍ର ସରକାର ୫,୬୭୫ କୋଟି ଟଙ୍କା ଖର୍ଚ୍ଚ କରିବେ । ଏହି ସ୍କିମ ଉପରେ ବ୍ୟାଙ୍କଗୁଡ଼ିକ ୧,୯୦୦ କୋଟି ଟଙ୍କା ଖର୍ଚ୍ଚ କରିବେ । ଏହାଦ୍ୱାରା ଲୋକଙ୍କ କ୍ରୟ ଶକ୍ତି ବଢ଼ିବ । ଫଳରେ ଅର୍ଥ ବ୍ୟବସ୍ଥାକୁ ୧୯,୦୦୦ କୋଟି ଟଙ୍କା ଆସିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ରାଜ୍ୟ ସରକାର ଯଦି ଏଭଳି ପଦକ୍ଷେପ ନିଅନ୍ତି, ତେବେ ବଜାରକୁ ଆଉ ଅତିରିକ୍ତ ୯,୦୦୦ କୋଟି ଟଙ୍କା ଆସିପାରିବ ।
ସୀତାରମଣ ଆହୁରି କହିଛନ୍ତି, କେନ୍ଦ୍ର କର୍ମଚାରୀଙ୍କୁ ଏଲଟିସି ଭଡ଼ା ପରିବର୍ତ୍ତେ ଦିଆଯିବାକୁ ଥିବା ଭାଉଚରକୁ ୨୦୨୧ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ହେବ । ଡିଜିଟାଲ ମୋଡରେ ସାମଗ୍ରୀ କିଣାକିଣି କରିବାକୁ ପଡ଼ିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons