ଇନ୍ଦ୍ରାବତୀ,(ବି.ବି.ନୁ୍ୟଜ୍): ରାଜ୍ୟର ବୃହତ ଜଳ ବିଦୁ୍ୟତ ପ୍ରକଳ୍ପ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକରେ ରହିଛି । କିନ୍ତୁ ଏଠାରେ ଯେଭଳି ପାରିପାଶ୍ୱର୍ିକ ବିକାଶ ହେବା କଥା ସେପରି ହୋଇପାରିନି । ସ୍ୱାସ୍ଥ୍ୟସେବାଠାରୁ ଆରମ୍ଭ କରି ଗମନାଗମନ, ଜଳଯୋଗାଣ, ରାସ୍ତା ଆଲୋକୀକରଣ ଆଦି ସବୁଥିରେ ଆଶାନୁରୂପ କାର୍ଯ୍ୟ ହେଉନାହିଁ । ଏପରି ଅଭିଯୋଗ ଆଣି ସୋମବାର ବିଜେପି ପକ୍ଷରୁ ପ୍ରକଳ୍ପ ଅଫିସକୁ ଘେରାଉ କରାଯାଇଛି । ଏ ସମ୍ପର୍କୀତ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ବିଜେପି କହିଛି, ଏସିଆର ଦ୍ୱିତୀୟ ସର୍ବବୃହତ ଜଳ ବିଦୁ୍ୟତ ପ୍ରକଳ୍ପ ଏଠାରେ ରହିଛି । କିନ୍ତୁ ଅଞ୍ଚଳର ବିକାଶ ଦୀପ ତଳ ଅନ୍ଧାର ସଦୃଶ ହୋଇଛି । ପ୍ରଶାସନ ଅବହେଳା ସାଙ୍ଗକୁ ପ୍ରକଳ୍ପ ଅଧିକାରୀ ଅଞ୍ଚଳର ବିକାଶ ପ୍ରତି ଦୃଷ୍ଟି ଦେଉ ନାହାନ୍ତି । ଏଠାରେ ଗଢି ଉଠିଥିବା ମଡେଲ ଡାକ୍ତରଖାନାରେ ନାନା ଅବ୍ୟବସ୍ଥା ଲାଗି ରହିଛି । ଗତ ରବିବାର ମେଡିକାଲକୁ ବିଜେପିର ଜିଲ୍ଲା ସଭାପତି ଓ ବିଧାୟକ ପ୍ରାର୍ଥୀ ଗୌରୀ ଶଙ୍କର ମାଝି ଯାଇଥିଲେ । ଅଞ୍ଚଳରେ ମହାମାରୀ କରୋନା ବଢି ଚାଲିଥିବାବେଳେ ମେଡିକାଲରେ ସାନିଟାଇଜ୍ ବ୍ୟବସ୍ଥା ନଥିବା, ପାଇଖାନାଗୁଡିକ ଅପରିଷ୍କାର ହୋଇ ରହିଥିବା, ଡ୍ରେସିଂ ରୁମ୍ ନଥିବା, ପରିବେଶ ସଫାସୁତରା ନଥିବା ଦେଖିଛନ୍ତି । ବିଜେପିର ଆନେ୍ଦାଳନ ପରେ ୩୨ ଶଯ୍ୟା ବିଶିଷ୍ଟ ଏହି ମେଡିକାଲକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୪ ଜଣ ଡାକ୍ତର ଯୋଗାଇ ଦିଆଯାଇଛି । ଯାହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଏବେ କିନ୍ତୁ ଅବସ୍ଥା ଖରାପ ହୋଇଯାଇଛି । ପ୍ରକଳ୍ପ ଦାୟିତ୍ୱରେ ଥିବା ଏସଡିଓ ପ୍ରସନ୍ନ କୁମାର ବିଶୋୟୀ ମେଡିକାଲ କର୍ମଚାରୀଙ୍କୁ ମନଇଚ୍ଛା ବ୍ୟବହାର କରୁଥିବା, କୌଣସି ସାମଗ୍ରୀ ଯୋଗାଇ ଦେଉନାହାନ୍ତି । ଫଳରେ ମେଡିକାଲରେ ସମସ୍ୟାରେ ସୁଧାର ଆସିପାରୁନି । ଡାକ୍ତରଙ୍କୁ ଘର ମିଳୁନାହିଁ । ମେଡିକାଲରେ ୫ ଟି ଡାକ୍ତରୀ ପଦ ଥିବାବେଳେ ୪ ଜଣ ଡାକ୍ତର ରହିଛନ୍ତି । କିନ୍ତୁ ସେହି ଅନୁପାତରେ କର୍ମଚାରୀ ନାହାନ୍ତି । ପାଞ୍ଚ ଜଣ ଫାର୍ମାସିଷ୍ଟଙ୍କ ସ୍ଥାନରେ ୨ ଜଣ କାମ କରୁଛନ୍ତି । ଲାବୋରାଟୋରିରେ ଟେକ୍ନିସିଆନ ପଦ ଖାଲି ପଡିଛି । ସାତ ଜଣ ଷ୍ଟାଫ ନର୍ସଙ୍କ ସ୍ଥାନରେ ୩ ଜଣ କାମ କରୁଛନ୍ତି । ଆହତ ଅବା ଗୁରୁତର ରୋଗୀଙ୍କ ଡ୍ରେସିଂ ପାଇଁ କୌଣସି କର୍ମଚାରୀ ନାହାନ୍ତି । ଆଟେଣ୍ଡାଣ୍ଟ ଜଣେ ହେଲେ ନାହାନ୍ତି । ସେହିପରି, ସୁରକ୍ଷା କର୍ମଚାରୀ, ଝାଡୁଦାର, ଆମ୍ବୁଲାନ୍ସ ଡ୍ରାଇଭର, ପୁରୁଷ ଓ ମହିଳା ୱାର୍ଡରେ ସେବୀକା ନାହାନ୍ତି । ପ୍ରକଳ୍ପରୁ ରାଜ୍ୟ ସରକାର ଶହେ କୋଟି ଟଙ୍କା ରାଜସ୍ୱ ଆଦାୟ କରୁଥିବାବେଳେ ଚୁକ୍ତି ଅନୁସାରେ ଏହାର ୧୦ ପ୍ରତିଶତ ଅର୍ଥ ପାରିପାଶ୍ୱର୍ିକ ବିକାଶ ପାଇଁ ଖର୍ଚ୍ଚ କରାଯାଉନି । ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, ପାନୀୟ ଜଳ ଯୋଗାଣ, ରାସ୍ତାଘାଟ ଉନ୍ନତିକରଣ, ଆଲୋକୀକରଣ, ନଦୀବନ୍ଧ ଅଞ୍ଚଳରେ ବିକାଶ, ଭିଟାମାଟି ହରାଇଥିବା ପରିବାରକୁ କର୍ମସଂସ୍ଥାନ ଯୋଗାଇବା ଆଦି ପ୍ରତିଟି କ୍ଷେତ୍ରରେ ପ୍ରକଳ୍ପ ଫେଲ୍ ମାରିଛି । ଗୃହପାଳିତ ପଶୁପକ୍ଷୀଙ୍କ ସେବା, ପୋଖରୀ ନଳକୂପ ଆଦି ଖୋଳିବା ନେଇ ମଧ୍ୟ କିଛି କାମ କରାଯାଉନି । ଏପରିସ୍ଥଳେ, ମେଡିକାଲ କ୍ଷେତ୍ରରୁ ପ୍ରକଳ୍ପ ଅଧିକାରୀଙ୍କ ହଟାଇ ଜଣେ ମେଡିକାଲ ବିଭାଗର ଉପରିସ୍ଥ ଅଧିକାରୀଙ୍କୁ ଦାୟିତ୍ୱ ଦେବାକୁ ଦଳ ଦାବି କରିଛି ।
ଅନ୍ୟପକ୍ଷରେ, ବିଗତ ଦିନରେ ଅଞ୍ଚଳରେ କି ପ୍ରକାର ଉନ୍ନୟନମୂଳକ କାମ ହୋଇଛି ସେ ସମ୍ପର୍କରେ ପ୍ରକଳ୍ପ ସିସି ଇଂ ଗଗନ ବିହାରୀ ସାହୁ କହିପାରି ନଥିଲେ । ଏହାକୁ ନେଇ ବିଜେପି କର୍ମକର୍ତ୍ତା ଅଫିସ ସମ୍ମୁଖରେ ବସି ଧାରଣା ଦେଇଥିଲେ । ଆସନ୍ତା କିଛିଦିନ ମଧ୍ୟରେ ସମସ୍ୟା ସମାଧାନ କରାଯିବ ବୋଲି ଶ୍ରୀ ସାହୁ ପ୍ରତିଶ୍ରୁତି ଦେବା ପରେ କର୍ମୀମାନେ ଧାରଣାରୁ ଉଠିଥିଲେ । ଧାରଣାବେଳେ ଜିଲ୍ଲା ବିଜେପି ସଭାପତି ଜଗଦୀଶ ଚନ୍ଦ୍ର ବିଶୋୟୀ, ଗୌରୀ ମାଝି, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ମାନସ ରଞ୍ଜନ ଦାଶ, ଆଦିବାସୀ ନେତା ତଥା ମଣ୍ଡଳ ସଭାପତି ହରେକୃଷ୍ଣ ମୁଦୁଲି, ନବରଙ୍ଗପୁର ସହର ସଭାପତି ଅମୂଲ୍ୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏକ ମାସ ମଧ୍ୟରେ ସମସ୍ୟାର ସମାଧାନ ନହେଲେ ପ୍ରକଳ୍ପ କାର୍ଯ୍ୟାଳୟରେ ତାଲା ପକାଇ ଦିଆଯିବ ବୋଲି ବିଜେପି ଚେତାବନୀ ଦେଇଛି ।


Comments are closed, but trackbacks and pingbacks are open.