ଭଞ୍ଜନଗର, (ବି.ବି.ନୁ୍ୟଜ୍): ଲଘୁଚାପ ବର୍ଷା ଫଳରେ ଋଷିକୁଲ୍ୟା ଏବଂ ଜରାଉ ନଦୀର ଜଳସ୍ତର ବୃଦ୍ଧି ପାଇଛି । ବର୍ଷା ବଢିÿଲେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ଦେଖାଦେଲାଣି । ମଙ୍ଗଳବାର ଭୋରରୁ ବଡ଼ଗଡ଼ ନିକଟ ଜରାଉ ନଦୀ ଉପରେ ଥିବା ଏକ ଅସ୍ଥାୟୀ ପୋଲ ଧୋଇ ହୋଇଯାଇଛି । ସେହି ସ୍ଥାନରେ ଦଶ ଫୁଟରୁ ଅଧିକ ପାଣି ପ୍ରବାହିତ ହେଉଛି । ଫଳରେ ବଡ଼ଗଡ଼, ଗୌଡ଼ଗୋଠ, ମେରିକୋଟ, ବାରଦା ଏହିପରି ଅନେକ ଗ୍ରାମକୁ ବ୍ରହ୍ମପୁରରୁ ଲମ୍ବିଥିବା ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଗୌଡ଼ଗୋଠ ପଞ୍ଚାୟତର ଗୋପାଳପୁର ଠାରୁ ଖରୀଗୁଡ଼ା ମଧ୍ୟରେ ଥିବା ନଦୀ ଉପରେ କଲଭର୍ଟ ଭାସି ଯାଇଛି । ଫଳରେ ଜନଜୀବନ ଠପ୍ ହୋଇଯାଇଛି । ସାଧାରଣତଃ ଜରାଉ ନଦୀରେ ବନ୍ୟା ଜଳ ପ୍ରବାହିତ ହେଲେ ତଳି ଅଞ୍ଚଳ ପାଣିରେ ବୁଡ଼ି ଯିବାର ସମ୍ଭାବନା ଅଧିକ । ଏଣୁ ପ୍ରଶାସନ ମଧ୍ୟ ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ସଜାଗ ରହିଛି । ସବୁ ସ୍କୁଲ ଘର ଏବଂ ପଞ୍ଚାୟତ ଅଫିସ୍କୁ ଜରୁରିକାଳୀନ ସ୍ଥିତି ପାଇଁ ପ୍ରସ୍ତୁତ କରି ରଖାଯାଇଛି ।


Comments are closed, but trackbacks and pingbacks are open.