ଲଗାଣ ବର୍ଷାରେ ବେହାଲ ପାତ୍ରପୁର ବ୍ଲକ୍

Get real time updates directly on you device, subscribe now.

ପାତ୍ରପୁର, (ବି.ବି.ନୁ୍ୟଜ୍): ପାତ୍ରପୁର ବ୍ଲକ୍ରେ ଦୁଇ ଦିନ ଧରି ଲଘୁଚାପଜନିତ ବର୍ଷା ଲାଗି ରହିଛି । ଦୁଇ ଆଦିବାସୀ ଗ୍ରାମରେ ବନ୍ୟା ଜଳ ପଶିଥିବା ବେଳେ ଗୋଟିଏ ପୋଖରୀ ହିଡ ଭାଙ୍ଗି ଯାଇଥିବା ସାଙ୍ଗକୁ ବିଭିନ୍ନ ଗ୍ରାମରେ ଫସଲ ନଷ୍ଟ ହୋଇଛି । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପଜନିତ ବର୍ଷା ଫଳରେ ପାତ୍ରପୁର ଠାରେ ଚବିଶି ଘଣ୍ଟାରେ ୧୧୮.୩ ମିଲିମିଟର ବୃଷ୍ଟିପାତ ରେକର୍ଡ କରାଯାଇଛି । ବିଶେଷ କରି ବ୍ଲକ୍ର ପାହାଡ଼ିଆ ଅଞ୍ଚଳରେ ଅଧିକ ପରିମାଣରେ ବର୍ଷା ହୋଇଛି । ଦୁର୍ଗମ ଆଙ୍କୁଲି ପଞ୍ଚାୟତର ବାଘଲଟି ଜଳଭଣ୍ଡାର ଉପର ଅଂଶରେ ଥିବା ଏଲଗଲ ଗ୍ରାମ ଦେଇ ସୋମବାର ସନ୍ଧ୍ୟାରେ ପାହାଡିଆ ପାଣି ଗ୍ରାମ ଦୁଇ ପାଶ୍ୱର୍ରେ ପ୍ରବାହିତ ହେଉଥିଲା । ମଙ୍ଗଳବାର ଭୋର୍ରେ ଅଧିକ ବର୍ଷା ଫଳରେ ପାଣିସ୍ରୋତ ବୃଦ୍ଧି ପାଇଥିଲା । ଲୋକେ ଭୟଭୀତ ହୋଇ ପଡିଥିଲେ । ପାଣି ସୁଅ ବୃଦ୍ଧି ପାଉଥିବା ସହ ବର୍ଷା ଲାଗିରହିଥିବାରୁ ଗ୍ରାମର ବୟସ୍କ ଲୋକଙ୍କୁ ଯୁବ ଗୋÂୀ ସ୍କୁଲ ପକ୍କା ଘରକୁ ସ୍ଥାନାନ୍ତର କରିଥିଲେ ।
ଏହି ଗ୍ରାମ ନିକଟ ବାଣିଆବସା ଗ୍ରାମ ତଳସାହି ନିକଟରେ ବାହୁଦା ନଦୀର ବନ୍ୟା ଜଳ ଢେଉ କାଟିବା ପରେ ଲୋକେ ପିଲାଛୁଆ, ଗୃହପାଳିତ ପଶୁପକ୍ଷୀ, ଜିନିଷପତ୍ର ଧରି ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିଲେ । ମଙ୍ଗଳବାର ବର୍ଷା ଲାଗି ରହିଥିବା ବେଳେ ବାଘଲଟି ଜଳଭଣ୍ଡାରରେ ୧୦୨ ମିଟର ପର୍ଯ୍ୟନ୍ତ ଜଳପତ୍ତନ ବୃଦ୍ଧି ପାଇଛି । ଏଣୁ ଡାକବାଜି ଯନ୍ତ୍ରରେ ଘୋଷଣା ପରେ ଜଳଭଣ୍ଡାରରୁ ୨୫ କୁ୍ୟସେକ୍ ବନ୍ୟା ଜଳ ଛଡ଼ା ଯାଇଥିବା ନିର୍ବାହୀ ଯନ୍ତ୍ରୀ ସଞ୍ଜୀବ କୁମାର ଦାଶଶର୍ମା ସୂଚନା ଦେଇଛନ୍ତି । ଦୁଇ ଆଦିବାସୀ ପଞ୍ଚାୟତ ଆଙ୍କୁଲି ତାଡକା ସାହି ଓ ଚାରିଆବାଡ ମଝିରେ ପାହାଡ଼ ଧସି ଯାତାୟାତ ବନ୍ଦ ରହିଛି । ସେହିପରି ତୁମ୍ୱା – ବୁରାତାଲ ରାସ୍ତାର ଗୁଜୁଲିଙ୍ଗୀ ନିକଟରେ ପାହାଡ଼ ପାଣି ରାସ୍ତା ଉପରେ ଢେଉ କାଟି ପ୍ରବାହିତ ହେଉଥିବାରୁ ବୁରାତାଲକୁ ଯାତାୟାତ ବନ୍ଦ ରହିଛି । ଖବର ପାଇ ପାତ୍ରପୁର ବିଡିଓ ପ୍ରକାଶ ଚନ୍ଦ୍ର ଦାସ ଉଭୟ ସ୍ଥାନରେ ପହଞ୍ଚିବା ସହ ପୂର୍ତ୍ତ ଏବଂ ଗ୍ରାମ୍ୟ ଉନ୍ନୟନ ବିଭଗ ଅଧିକାରୀଙ୍କ ସହାୟତାରେ ଯାତାୟାତ ପୁନଃ ଚାଲୁ କରିବାକୁ କାମ ଆରମ୍ଭ କରିଛନ୍ତି ।
ବର୍ଷା ଫଳରେ ସାମନ୍ତରାପୁର ପଞ୍ଚାୟତ ଗୋବିନ୍ଦପୁର ଗ୍ରାମର ଖଜୁରୀ ବନ୍ଧ ହିଡ ଭାଙ୍ଗି ଧାନ ଚାଷ ଜମିରେ ପାଣି ମାଡିଯାଇଛି । ପାହାଡ଼ ଉପର ବଗଡ଼ ଫସଲ, ମାଣ୍ଡିଆ, ସୁଅାଁ, କାଙ୍ଗୁ ଆଦି ଚାଷ ପ୍ରଭାବିତ ହୋଇଛି । ବୁରାତାଲ ପଞ୍ଚାୟତର ଦୁର୍ଗମ ତଡ଼ିଙ୍ଗି ଗ୍ରାମର ମୁକୁନ୍ଦ ପ୍ରଧାନ ଏବଂ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ଘର ଚଟାଣ କାନ୍ଥରୁ ପାଣି ଝରିବା ଫଳରେ ପରିବାର ଲୋକ ଅନ୍ୟ ଲୋକଙ୍କ ଘରେ ଆଶ୍ରୟ ନେଇଛନ୍ତି । ବର୍ଷା ପରେ ଅଞ୍ଚଳର ବିଭିନ୍ନ ନଦୀ ନାଳରେ ପାଣି ଆସିବା ସହ ପୋଖରୀ ଜଳପୂର୍ଣ୍ଣ ହୋଇଛି । ପଦ୍ମ ତୋଳା ନାଳର ପାଣି ପାଶ୍ୱର୍ବର୍ତ୍ତି ଜମିରେ ମାଡିଯାଇଛି । ସେହିପରି ପାତ୍ରପୁର, ବାଦପୁର, ଖାରିଆଗୁଡ଼ା, ତଣ୍ଡିପୁର, ବଳରାମପୁର, ଗୁଣ୍ଡୁରା ପ୍ରଭୁତି ଗ୍ରାମର ବହୁ ଚାଷ ଜମିରେ ଧାନ ଗଛ ପାଣି ଘେରରେ ରହିଛି । ବର୍ଷା ଯୋଗୁଁ ବିଭିନ୍ନ ଗ୍ରାମରେ ଧାନ ଏବଂ ପରିବା ଫସଲ ପ୍ରଭାବିତ ହେବା ଆଶଙ୍କା କରୁଛନ୍ତି ଚାଷୀ । ତୁମ୍ୱା ଉନ୍ନୟନ ସଂସ୍ଥା ଅନ୍ତର୍ଗତ ଓପିଲିପି ମାଧ୍ୟମରେ ବ୍ଲକ୍ର ଆଦିବାସୀ ଗାଁ ମାନଙ୍କରେ କୃଷିର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଥିଲେ । ଲୋକଙ୍କୁ କଦଳୀ, ଲଙ୍କା, ବାଇଗଣ, ସପୁରୀ, ଆଳୁ, ଭେଣ୍ଡି ଓ ମିଠା ମକା ଚାଷ ପାଇଁ ବିହନ ଏବଂ ସାର ଯୋଗାଇ ଦିଆଯାଇଥିଲା । ବର୍ତ୍ତମାନ ଲଗାଣ ବର୍ଷାରେ ଏହି ଆଦିବାସୀ ଗାଁ ଗୁଡିକରେ ଫସଲ ନଷ୍ଟ ହେବା ଆଶଙ୍କା ଦେଖା ଦେଇଥିବାରୁ ବୁଧବାର ଠାରୁ ଓପିଲିପି ତରଫରୁ ଏହାର କ୍ଷୟକ୍ଷତି ସର୍ଭେ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons