ଧରାପଡ଼ିଲେ କୋଟିପତି ଆକାଉଣ୍ଟାଣ୍ଟ

Get real time updates directly on you device, subscribe now.

ନବରଙ୍ଗପୁର,(ବି.ବି.ନୁ୍ୟଜ୍): ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ଆଉ ଜଣେ କୋଟିପତି ଆକାଉଣ୍ଟାଣ୍ଟ । ସେ ହେଉଛନ୍ତି ନବରଙ୍ଗପୁର ନିୟନ୍ତ୍ରିତ ବଜାର କମିଟିର ସିନିୟର୍ ଆକାଉଣ୍ଟାଣ୍ଟ ଅଶୋକ କୁମାର ନନ୍ଦ । ତାଙ୍କୁ ଜୟପୁରରେ ଥିବା ଭିଜିଲାନ୍ସ କାର୍ଯ୍ୟାଳୟକୁ ଅଣାଯାଇ ଅଟକ ରଖାଯାଇଛି । ଆଜି ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ବାସଭବନ ସମେତ ଆର୍ଏମ୍ସି କାର୍ଯ୍ୟାଳୟରେ ଏକକାଳୀନ ଚଢଉ କରିଥିଲେ । ଚଢଉ ବେଳେ ତାଙ୍କ ପାଖରେ ମୋଟ ୧ କୋଟି ୨୫ ଲକ୍ଷ ୬୩ ହଜାର ୭୧୩ ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତ୍ତି ରହିଥିବା ଭିଜିଲାନ୍ସ ଆକଳନ କରିଛି । ଜବତ ସାମଗ୍ରୀ ଭିତରେ ରହିଛି ଦୁଇଟି ଦୁଇ ମହଲା କୋଠା, ୧୪ଟି ପ୍ଲଟ୍, ୪ଟି ଚାରିଚକିଆ ଗାଡ଼ି, ୫ଟି ଦୁଇ ଚକିଆ ଗାଡ଼ି ଏବଂ ଗୋଟିଏ ଟ୍ରାକ୍ଟର, ବହୁ ପରିମାଣର ସୁନା ଓ ରୁପା ଅଳଙ୍କାର, ବିଭିନ୍ନ ବ୍ୟାଙ୍କରେ ରହିଥିବା ବୀମା ଏବଂ ଘରକରଣା ସାମଗ୍ରୀ । ଖବର ଲେଖାହେବା ଅର୍ଥାତ୍ ରାତି ୮ଟା ୩୦ ପର୍ଯ୍ୟନ୍ତ ତଦନ୍ତ ଜାରି ରହିଛି ।
ଆଜି ଭୋର୍ ସମୟରେ କୋରାପୁଟ, ନୟାଗଡ ଓ ନବରଙ୍ଗପୁର ଜିଲ୍ଲାର ୩ଟି ଭିଜିଲାନ୍ସ ଟିମ୍ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢଉ କରିଥିଲେ । ଜୟପୁର ଭିଜିଲାନ୍ସ ଡିଏସ୍ପି ଏସ୍.ଏନ. ପାଣିଗ୍ରାହୀଙ୍କ ନେତୃତ୍ୱରେ ଇନ୍ସପେକ୍ଟର ଶିବରାମ ସାହୁ, ସୂର୍ଯ୍ୟକାନ୍ତି ଟାକ୍ରି, ନୂଆପଡ଼ା ଇନ୍ସପେକ୍ଟର ଦୀନବନ୍ଧୁ ସାହୁ, ନବରଙ୍ଗପୁର ଇନ୍ସପେକ୍ଟର କଳାବତୀ ବାଘ ପ୍ରମୁଖ ଏଥିରେ ସାମିଲ ହୋଇଥିଲେ । ସହରର ଭାଟିଶାଳଗୁଡ଼ା ଏବଂ ଇଚ୍ଛାବତୀଗୁଡ଼ାରେ ଶ୍ରୀ ନନ୍ଦଙ୍କ ୨ଟି ଦୁଇ ମହଲା କୋଠା ରହିଛି । ଏହାର ମୂଲ୍ୟ ୬୩ ଲକ୍ଷ ୩୪ ହଜାର ୧୫୧ ଟଙ୍କା ହେବ ବୋଲି ଭିଜିଲାନ୍ସ ଆକଳନ କରିଛି । ସେହିପରି ନବରଙ୍ଗପୁରରେ ୧୪ଟି ପ୍ଲଟ୍ ଯାହାର ମୂଲ୍ୟ ୭ ଲକ୍ଷ ୯୫ ହଜାର ଟଙ୍କା, ୨୭ ଲକ୍ଷ ୭୦ ହଜାର ୨୭୦ ଟଙ୍କାର ୪ଟି ଚାରିଚକିଆ ଗାଡ଼ି, ୩ ଲକ୍ଷ ୭୧ ହଜାର ୫୨୧ ଟଙ୍କାର ୫ଟି ଦୁଇଚକିଆ ଗାଡ଼ି, ଗାଡ଼ିଗୁଡ଼ର ପଞ୍ଜୀକରଣ ବାବଦ ଖର୍ଚ୍ଚ ୨ ଲକ୍ଷ ୩୩ ହଜାର ୪୦୦ ଟଙ୍କା, ୭ ଲକ୍ଷ ୭୦ ହଜାର ଟଙ୍କାର ଗୋଟିଏ ଟ୍ରାକ୍ଟର ଠାବ କରାଯାଇଛି । ସେହିପରି ୬ ଲକ୍ଷ ୯୩ ହଜାର ୩୩୯ ଟଙ୍କାର ସୁନା ଓ ରୁପା ଅଳଙ୍କାର, ବୀମା ବାବଦରେ ବିଭିନ୍ନ ବ୍ୟାଙ୍କରେ ବିନିଯୋଗ ହୋଇଛି ୭୪ ହଜାର ୭୮୪ ଟଙ୍କା ଏବଂ ୫ ଲକ୍ଷ ୨୧ ହଜାର ୪୮ ଟଙ୍କାର ଘରକରଣା ସାମଗ୍ରୀ ରହିଛି । ଶ୍ରୀ ନନ୍ଦ ଓ ତାଙ୍କ ପରିବାର ପାଖରୁ ଏସବୁ ସାମଗ୍ରୀ ଠାବ କରାଯାଇଥିବା ଭିଜିଲାନ୍ସ ଏସ୍ପି ଶଶିଶେଖର ମହାପାତ୍ର ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ ଆର୍ଏମସି ଅଫିସରେ ଚଢଉ ବେଳେ ସେଠାରେ ଥିବା ଲକ୍ଷାଧିକ ଟଙ୍କାର ଦାମିକା ୩ଟି ସୋଫାସେଟ୍ ସଂପର୍କରେ ଭିଜିଲାନ୍ସ ଅଧିକାରୀମାନେ ଆର୍ଏମସି ସଂପାଦକ ଅବକାଶ ବେହେରାଙ୍କୁ ମଧ୍ୟ ପଚରାଉଚରା କରିଛନ୍ତି । ଏତେ ଦାମିକା ସୋଫାସେଟ୍ କିଣିବାକୁ କିଏ ମଞ୍ଜୁରୀ ଦେଇଥିଲେ ବୋଲି ଜାଣିବାକୁ ଚାହିଁଥିଲେ । ଉପଜିଲ୍ଲାପାଳ ଓ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ମଞ୍ଜୁରି ମିଳିଥିଲା ବୋଲି ସେ ଉତ୍ତର ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons