ବାଲିଗୁଡ଼ା,(ବି.ବି.ନୁ୍ୟଜ୍): ବାଲିଗୁଡ଼ା ଆଇଆରବିଏନ ଯବାନଙ୍କ ଉନ୍ମୁକ୍ତ କାଣ୍ଡ । ଘରେ ପଶି ଡକାୟତି ଉଦ୍ୟମ କରିଛନ୍ତି ଯବାନ । ଛୁରି ଦେଖାଇ ଭୟଭୀତ କରିଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଲୋକ ସମ୍ପୃକ୍ତ ଯବାନଙ୍କୁ କାବୁ କରି ପୁଲିସ ଜିମା ଦେଇଛନ୍ତି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଯବାନ ହେଲେ ୮ମ ଆରବିଏନର ମାନସ କୁମାର ମାଝୀ ବୋଲି ବାଲିଗୁଡ଼ା ଥାନା ଆଇଆଇସି ପ୍ରଶାନ୍ତ କୁମାର ବେହେରା କହିଛନ୍ତି । ଆହତ ଯବାନଙ୍କ ଚିକିତ୍ସା ପରେ ଗିରଫ କରାଯାଇଛି । ବାଲିଗୁଡ଼ା ଥାନା କେସ୍ ୧୯୦/୨୦ରେ ମାମଲା ରୁଜୁ କରି କୋର୍ଟ ଚାଲଣ କରାଯାଇଥିବା ଆଇଅଇସି ବେହେରା ସୂଚନା ଦେଇଛନ୍ତି ।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତ ସିପାହୀ ବର୍ତ୍ତମାନ ବାଲିଗୁଡ଼ା ଜେଲ ଗାର୍ଡ ଭାବେ କାର୍ଯ୍ୟରତ ଅଛନ୍ତି । ଆଜି ପୂର୍ବାହ୍ନରେ ବାଲିଗୁଡା ବ୍ଲକ କଲୋନୀରେ ରହୁଥିବା ଅଭିଜିତ ପ୍ରଧାନଙ୍କ ଘରେ ପଶି ଛୁଆ ବେକରେ ଛୁରି ଲଗାଇ ଡକାୟତି ଉଦ୍ୟମ କରିଥିଲେ । ଅଭିଜିତ ପ୍ରଧାନଙ୍କ ଛୋଟ ଝିଅ ବେକରେ ଛୁରି ଲଗାଇ ଭୟଭୀତ କରାଇଥିଲେ । ଘରର ସବୁ ସୁନା ଅଳଙ୍କାର ଦେବାକୁ ଧମକ ଦେଇଥିଲେ । ଏହି ସମୟରେ ଅଭିଜିତ ପ୍ରଧାନଙ୍କ ପରିବାର ପାଟି କରିଥିଲେ । ଚିକ୍ରାର ଶୁଣି ସାହି ପଡେ଼ାଶୀ ଜମା ହୋଇଥିଲେ । ସ୍ଥାନୀୟ ଲୋକ ଏକତ୍ରିତ ହେବାରୁ ଯବାନ ଅତର୍କିତ ଛୁରିରେ ଆକ୍ରମଣ କରିଥିଲେ । ଛୁରି ମାଡ଼ରେ ଜଣେ ପଡେ଼ାଶୀ ସମେତ ଅଭିଜିତଙ୍କ ପରିବାର ୩ ଜଣ ଆହତ ହୋଇଥିବା ଅଭିଯୋଗ ହୋଇଛି । ଝିଅ ଅଭିସ୍ମା ପ୍ରଧାନ ସାମାନ୍ୟ ଆହତ ହୋଇଥିବା ବେଳେ ଅଭିଜତ ପ୍ରଧାନ ଓ ପଡେ଼ାଶୀ ବିଜୟଲକ୍ଷ୍ମୀ ପଣ୍ଡା ଗୁରୁତର ହୋଇଥିଲେ । ସାହିବାସିନ୍ଦା ଅଭିଯୁକ୍ତ ଯବାନକୁ କାବୁ କରି ନିର୍ଦ୍ଧୁମ ଛେଚିବା ପରେ ପୁଲିସକୁ ଖବର ଦେଇଥିଲେ । ବାଲିଗୁଡ଼ା ଆଇଆଇସି ପ୍ରଶାନ୍ତ କୁମାର ବେହରାଙ୍କ ନେତୃତ୍ୱରେ ସଦଳବଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ମାନସକୁ ଗିରଫ କରିଥିଲେ । ଆହତମାନଙ୍କୁ ଚିକିତ୍ସା ନିମନ୍ତେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ । କିନ୍ତୁ ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଏସଆଇ ରବୀନ୍ଦ୍ର ମୁଣ୍ଡାହାରୀ ଘଟଣାର ତଦନ୍ତ କରୁଛନ୍ତି । ଆହତମାନେ ବାଲିଗୁଡା ବ୍ଲକର କର୍ମଚାରୀ ।
Comments are closed, but trackbacks and pingbacks are open.