କଟକ,(ବି.ବି.ନୁ୍ୟଜ୍): ଏସ୍ସିବି ନବକଳେବର ସହ ତାଳ ଦେଇ କଟକ ସହରର ସଂପ୍ରସାରଣ ଓ ନବୀକରଣ ଯୋଜନା ଚାଲିଛି । ନିକଟରେ ଏସ୍ସିବି ମେଡିକାଲ ସମ୍ପ୍ରସାରଣ ପ୍ରକଳ୍ପରେ ତାଳଦଣ୍ଡା କେନାଲ୍ ରାସ୍ତାର ରୂପରେଖ ବଦଳିଯାଇଛି । ନୂଆ କଟକର ପରିଚୟ ନେଇଛି ଏହି କେନାଲ୍ ରାସ୍ତା । ଆଗକୁ ମାଲ୍ଗୋଦାମ୍ ଓ ଛତ୍ରବଜାର ରୂପ ବଦଳିବାକୁ ଯାଉଛି । ତେଜରାତି ସାମଗ୍ରୀ ଓ ପନିପରିବାର ହୋଲସେଲ୍ ବ୍ୟବସାୟ ହେଉଥିବା ରାଜ୍ୟର ଏହି ଦୁଇ ବୃହତ ବଜାରକୁ ଜାତୀୟ ରାଜପଥ ସହ ପ୍ରଶସ୍ତ ସଂଯୋଗ କରାଯିବ । ଏଭଳି ଏକ ଯୋଜନା ରାଜ୍ୟ ସରକାର ହାତକୁ ନେଉଛନ୍ତି । ଦୁଇ ବ୍ୟବସାୟିକ ମଣ୍ଡିକୁ ସଂଯୋଗ କରୁଥିବା ଦୁଇ ପାଶ୍ୱର୍ରେ ପ୍ରାୟ ୪କିଲୋମିଟର ଲେଖାଏଁ ନୂଆ ରାସ୍ତା ନିର୍ମାଣ କରାଯିବା ସହ ଉଭୟ ବଜାରକୁ ଆହୁରି ବ୍ୟାପକ ଓ ଖୋଲା କରାଯିବ ।
ମାଲଗୋଦାମ ଓ ଛତ୍ରବଜାର ରାଜ୍ୟର ଦୁଇ ପ୍ରମୁଖ ହୋଲସେଲ୍ ବଜାର । ଅଧାରୁ ଅଧିକ ରାଜ୍ୟକୁ ବର୍ଷ ତମାମ୍ ଖାଦ୍ୟ ଯୋଗାଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ଏହି ଦୁଇ ବ୍ୟବସାୟିକ ପେଣ୍ଠସ୍ଥଳୀ । କିନ୍ତୁ ବର୍ଷ ବର୍ଷ ଧରି ଏହାର କୌଣସି ବିକାଶ କରାଯାଇନାହିଁ । ନା ଏହି ଅଞ୍ଚଳକୁ ଭଲ ରାସ୍ତା ରହିଛି ନା କିଛି ବ୍ୟବସ୍ଥିତ ଢଙ୍ଗରେ ଦୋକାନ ରହିଛି । ମାଳମାଳ ବ୍ୟବସାୟୀ ରାସ୍ତା ଉପରେ ବେପାର କରୁଛନ୍ତି । ସହରର ସବୁଠାରୁ ବିପର୍ଯ୍ୟସ୍ତ ଟ୍ରାଫିକ୍ ଏଠାରେ ଦେଖିବାକୁ ମିଳିଥାଏ । ରାଜ୍ୟ ବାହାରୁ ବିଶେଷ କରି ଆନ୍ଧପ୍ରଦେଶ, ତେଲେଙ୍ଗାନା, ରାଜସ୍ଥାନ, ମହାରାଷ୍ଟ୍ର, କଲିକତା, ହାଇଦ୍ରାବାଦ୍, ଗୁଜୁରାଟ ଆଦି ଅଞ୍ଚଳରୁ ସାମଗ୍ରୀ ଆମଦାନୀ ହେଉଥିବାରୁ ଗାଡ଼ି ଆସିବା ମାତ୍ରେ ଅସମ୍ଭବ ଜଳଗହଳି ଦେଖିବାକୁ ମିଳେ । ସେଥିପାଇଁ ପ୍ରାୟ ଗୋଦାମ ମାଲିକ ବିଳମ୍ବିତ ରାତ୍ରିରେ ମାଲ୍ ଷ୍ଟକ୍ ନିଅନ୍ତି । ଅବଶ୍ୟ ଏହା ଦ୍ୱାରା ସେମାନଙ୍କୁ ସୁରକ୍ଷା ଭୟ ମଧ୍ୟ ରହିଆସିଥାଏ । କିନ୍ତୁ କିଛି ବିକଳ୍ପ ବ୍ୟବସ୍ଥା ନଥିବାରୁ ବିପଦ ଆଶଙ୍କା ଥାଇ ମଧ୍ୟ ଏମାନେ ରାତିରେ ଗୋଦାମ ଭର୍ତ୍ତି କରନ୍ତି । ଯଦି ମାଲଗୋଦାମକୁ ଦେଖାଯାଏ, ଏଠାରେ ପ୍ରାୟ ୩୫୦ରୁ ଅଧିକ ଗୋଦାମ ଏବଂ ୪ଶହରୁ ଅଧିକ ଖୁଚୁରା ବ୍ୟବସାୟୀ ରହିଛନ୍ତି । ସେହିପରି ଛତ୍ରବଜାରରେ ଶହେରୁ ଅଧିକ ଗୋଦାମ ଏବଂ ୫ଶହରୁ ଅଧିକ ଖୁଚୁରା ବ୍ୟବସାୟୀ ବେପାର କରୁଛନ୍ତି । ପ୍ରତିଦିନ କଟକ ତଥା ପ୍ରାୟ ୨୦ ଜିଲ୍ଲାରୁ ଏଠାରେ ହଜାର ହଜାର ସଂଖ୍ୟାରେ ବ୍ୟବସାୟୀ ଆସିଥାନ୍ତି । ଯାହାଫଳରେ ଅପରାହ୍ନ ଠାରୁ ସନ୍ଧ୍ୟା ଯାଏଁ ମାଲଗୋଦାମ ଓ ଛତ୍ରବଜାର ଅଞ୍ଚଳରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳେ । ଏଭିତରେ ଯଦି ସାଧାରଣ ବର୍ଷାରେ ବି ସ୍ଥାନୀୟ ଅଞ୍ଚଳ ଜଳମଗ୍ନ ହୋଇଯାଏ । ଏମିତିକି କାଦୁଅ ପଚପଚ ପରିସ୍ଥିତିରେ କିଣାବିକା ଚାଲେ । ତେବେ ବିଳମ୍ବରେ ହେଉ ପଛେ, ରାଜ୍ୟ ସରକାର ଏ ଦିଗରେ ଦୃଷ୍ଟି ଦେଇଛନ୍ତି ।
ଏନେଇ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରାଯାଇଥିବା ବେଳେ ଖୁବ୍ ଶୀଘ୍ର ଏନେଇ କାମ ଆରମ୍ଭ ହେବ । ଯୋଜନା ମୁତାବକ, ମାଲଗୋଦାମ ଓ ଛତ୍ରବଜାରକୁ ଉଭୟ ପଟରୁ ଜାତୀୟ ରାଜପଥ ସହ ସଂଯୋଗ କରାଯିବ । ତାଳଦଣ୍ଡା କେନାଲ୍ ରାସ୍ତା ଭଳି ଉଭୟ ବ୍ୟବସାୟିକ ମଣ୍ଡିକୁ ସଂଯୋଗ କରୁଥିବା ରାସ୍ତାର ବିକାଶ କରାଯିବ । ପ୍ରଶସ୍ତ ରାସ୍ତା ସହ ସୌନ୍ଦର୍ଯ୍ୟକରଣ ଦିଗରେ ଗୁରୁତ୍ୱ ଦିଆଯିବ । ଗୋଟିଏ ପଟରେ ଯୋବ୍ରା ଏବଂ ଅନ୍ୟପଟରେ ଓଏମ୍ପିକୁ ସଂଯୋଗ କରୁଥିବା ରାସ୍ତାରେ ଥିବା ଜବରଦଖଲ ଉଚ୍ଛେଦ କରାଯିବାକୁ ଯୋଜନା କରାଯାଇଛି । ବସ୍ତି ବାସିନ୍ଦାଙ୍କୁ ସବୁ ପ୍ରକାରର ସୁବିଧା ସୁଯୋଗ ସହ ସୁରକ୍ଷିତ ଅନ୍ୟତ୍ର ସ୍ଥାନାନ୍ତର କରାଯିବ । ତେବେ ରାସ୍ତାରେ ବସି ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଭେଣ୍ଡିଂ ଜୋନ୍ କରାଯାଇ ଥଇଥାନ କରାଯିବାକୁ ଯୋଜନା କରାଯାଉଥିବା ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି । ତାଙ୍କ କହିବକଥା, ମାଲଗୋଦାମ ଓ ଛତ୍ରବଜାର କଟକର ପରିଚୟ ବହନ କରୁଛି । ଦୀର୍ଘ ଦିନ ଧରି ଏହି ଦୁଇ ବ୍ୟବସାୟିକ ମଣ୍ଡି ସମସ୍ୟା ଭିତରେ ରହିଛି । ତେଣୁ ସମ୍ପ୍ରସାରଣ କରି ରାଜପଥ ସହ ସଂଯୋଗ କରାଗଲେ ସବୁ ସମସ୍ୟା ଦୂର ହେବ । ସେଥିପାଇଁ ଉଭୟ ପାଶ୍ୱର୍ରୁ ୪ କିଲୋମିଟର ଲେଖାଏଁ ରାସ୍ତାର ବିକାଶ କରାଯିବାକୁ ବ୍ୟବସ୍ଥା କରାଯାଉଛି । ଆସନ୍ତା ୬ମାସ ମଧ୍ୟରେ ଏହି କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଜିଲ୍ଲାପାଳ ଶ୍ରୀ ଚୟନୀ ମତବ୍ୟକ୍ତ କରିଛନ୍ତି ।


Comments are closed, but trackbacks and pingbacks are open.