ହିନ୍ଦୀ ସାର୍ଙ୍କ ସମ୍ପତ୍ତି ୫ କୋଟି

Get real time updates directly on you device, subscribe now.

ବ୍ରହ୍ମପୁର,(ବି.ବି.ନୁ୍ୟଜ୍): ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନ୍ ପଞ୍ଝାରେ ପଡ଼ିଛନ୍ତି ଜଣେ ଶିକ୍ଷକ । ସେ ହେଉଛନ୍ତି ବ୍ରହ୍ମପୁର ଝାଡ଼ଙ୍କୁଲି ଯଶୋଦା ହାଇସ୍କୁଲରେ କାର୍ଯ୍ୟରତ ହିନ୍ଦୀ ଶିକ୍ଷକ ଭୂବନାନନ୍ଦ ସାହୁ । ତାଙ୍କ ଚିକିଟି କୋଟିଲିଙ୍ଗି ପୈତୃକ ଘର, ଯଶୋଦା ହାଇସ୍କୁଲ ଅଫିସ୍ ରୁମ୍, ବ୍ରହ୍ମପୁର ବୈକୁଣ୍ଠନଗର ସହ ମୋଟ୍ ୫ ଟି ଜାଗରେ ଚଢ଼ଉ କରିଥିଲା ଭିଜିଲାନ୍ସ । ଚଢ଼ଉ ସମୟରେ ତାଙ୍କ ନିକଟରୁ ମୋଟ ୪ କୋଟି ୯୩ ଲକ୍ଷ ୯୭ ହାଜର ୨୪୪ ଟଙ୍କା ମୂଲ୍ୟର ସ୍ଥାବର ଅସ୍ଥାବର ସମ୍ପତ୍ତି ଜବତ କରାଯାଇଛି । ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି । ଆସନ୍ତା କାଲି ତାଙ୍କୁ କୋର୍ଟ ଚାଳାଣ କରାଯିବ ବୋଲି ଜଣାପଡ଼ିଛି ।
ଭିଜିଲାନ୍ସ ଆକଳନ ଅନୁସାରେ, ସ୍ଥାବର ସମ୍ପତ୍ତି ମଧ୍ୟରେ ରହିଛି ବ୍ରହ୍ମାନଗର ପ୍ରଥମ ଲାଇନ୍ରେ ଥିବା ୫ମହଲା ଘର ଯାହାର ମୂଲ୍ୟ ୧ କୋଟି ୮୬ ଲକ୍ଷ ୬୩ ହାଜର ୧୭୫ ଟଙ୍କା, ବ୍ରହ୍ମପୁର ବୈକୁୁଣ୍ଠନଗରରେ ରହିଛି ୧ କୋଟି ୧୨ ଲକ୍ଷ ମୂଲ୍ୟର ୩ ମହଲା କୋଠା, ଗଞ୍ଜାମ ଲକ୍ଷ୍ମୀପୁରରେ ଏକ ମହଲା ଘର (ଶିଶୁ ବିଦ୍ୟା ମନ୍ଦିର) ଯାହାର ମୂଲ୍ୟ ୩୮ ଲକ୍ଷ ୩୨ ହଜାର ୪୭୨ ଟଙ୍କା, ଲକ୍ଷ୍ମୀପୁରରେ ଆଉ ଏକ ଘର ୧୩ ଲକ୍ଷ ୩୩ ହଜାର ଟଙ୍କା ମୂଲ୍ୟର ଆଉ ଏକ ଘର, ବ୍ରହ୍ମାନଗରରେ ୧୬ ଲକ୍ଷ ଟଙ୍କା ମୂଲ୍ୟର ଆଉ ଘର । ଗୋପାଳପୁର ଏନ୍ଏସି ସନ୍ସିଟିଗ୍ରାଣ୍ଡ ଆପାର୍ଟମେଣ୍ଟରେ ଥିବା ଗୋଟିଏ ଫ୍ଲାଟ୍ ଯାହାର ମୂଲ୍ୟ ୬, ୧୧, ୦୦୦ ଟଙ୍କା, ବ୍ରହ୍ମପୁର ସହରର ବିଭିନ୍ନ ଅଞ୍ଚଳରେ ୧୦ଟି ପ୍ଲଟ୍ ଯାହାର ମୂଲ୍ୟ ୩୮, ୪୮, ୪୪୬ ଟଙ୍କା, ଭୁବନେଶ୍ୱରରେ ୨୮ଲକ୍ଷ ଟଙ୍କାର ଗୋଟିଏ ଆପାର୍ଟମେଣ୍ଟ୍, ପୁରୀରେ ତାଙ୍କ ସ୍ତ୍ରୀ ସାବିତ୍ରୀ ସାହୁଙ୍କ ନାମରେ ୬ଲକ୍ଷ ଟଙ୍କାର ଗୋଟିଏ ଆପାର୍ଟମେଣ୍ଟ, ନିମଖଣ୍ଡିରେ ୫ଲକ୍ଷ ଟଙ୍କା ମୂଲ୍ୟର ଦୋକାନ ରୁମ୍ ରହିଛି । ସେହିପରି ଅସ୍ଥାବର ସମ୍ପତ୍ତି ମଧ୍ୟରେ ୧୪, ୭୨, ୮୦୮ ଟଙ୍କା ମୂଲ୍ୟର ଦାମୀ ଗୃହ ଉପକରଣ, ୭୨୦୦ଟଙ୍କାର ସୁନା, ୨୦, ୭୪, ୮୯୫ ଟଙ୍କା ମୂଲ୍ୟର ଏଲ୍ଆଇସି ବୀମା, ୮, ୪୩, ୮୩୮ ଟଙ୍କାର ଜମାରାଶି, ନଗଦ ୯୪୭୦ଟଙ୍କା ଏହିଭଳି ମୋଟ ୪, ୯୩, ୯୭, ୨୪୪ ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ କେସ୍ ନମ୍ବର ୨/୨୦୨୦ ଅନୁଯାୟୀ ସର୍ଚ୍ଚ ୱାରେଣ୍ଟ ଜାରି ପରେ ଚଢ଼ଉ କରାଯାଇଥିଲା । ଏହି ଘଟଣାରେ ଅଧିକ ତଦନ୍ତ ଚାଲିଛି ବୋଲି ବ୍ରହ୍ମପୁର ଭିଜିଲାନ୍୍ସ ଏସ୍ପି ଅନିଲ ପାତ୍ର ସୂଚନା ଦେଇଛନ୍ତି । ଭୁବନାନନ୍ଦ ୨୦୦୪ରେ ଠିକା ଶିକ୍ଷକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ୨୦୧୭ରୁ ତାଙ୍କ ଚାକିରି ନିୟମିତ ହୋଇଛି । ଏତେ କମ୍ ସମୟ ମଧ୍ୟରେ କୋଟି କୋଟି ଟଙ୍କା ସମ୍ପତ୍ତି ଠୁଳ କରିବା ନେଇ ଭିଜିଲାନ୍ସରେ ସୂଚନା ମିଳିବା ପରେ ଚଢ଼ଉ ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons