କଳାହାଣ୍ଡି,(ବି.ବି.ନୁ୍ୟଜ୍): କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ମାଣିକେଶ୍ୱରୀ ଦେବୀଙ୍କ ପ୍ରସିଦ୍ଧ ଛତରଯାତ୍ରା ସମୟରେ ପଶୁବଳି ନିଷେଧ କରିବା ନେଇ ୨୦୧୭ ମସିହାରେ କଟକର ଜଣେ ସମାଜସେବୀ ଜୟନ୍ତୀ ଦାସଙ୍କ ଦ୍ୱାରା ଆଗତ ଜନସ୍ୱାର୍ଥ ମାମଲାରେ ଓଡିଶା ହାଇକୋର୍ଟ ୨୦୨୦ ମସିହା ଜାନୁୟାରୀ ୬ ତାରିଖରେ ଛତର ଯାତ୍ରାରେ ପଶୁବଳି ଉପରେ ନିଷେଧାଦେଶ ଜାରି କରିଥିଲେ । ତେବେ ଏହି ଆଦେଶ ବିରୋଧରେ ଭବାନୀପାଟଣାର ସମାଜସେବୀ ଭବାନୀଶଙ୍କର ନିଆଲ ସୁପ୍ରିମ୍କୋର୍ଟରେ ଏକ ସ୍ପେଶାଲ ଲିଭ୍ ପିଟିସନ ଦାଖଲ କରିଥିଲେ । ଏହାର ଶୁଣାଣି କରି ହାଇକୋର୍ଟଙ୍କ ପୂର୍ବ ଆଦେଶ ଉପରେ ସୁପ୍ରିମକୋର୍ଟ ମଧ୍ୟବର୍ତ୍ତୀକାଳୀନ ରହିତାଦେଶ ଜାରି କରିଛନ୍ତି ।
ପଶୁବଳି ନିଷେଧ ନେଇ ହାଇକୋର୍ଟଙ୍କ ଆଦେଶ ବିରୋଧରେ ସମାଜସେବୀ ଶ୍ରୀ ନିଆଲ ସୁପ୍ରିମ୍କୋର୍ଟରେ ଏକ ସ୍ପେଶାଲ ଲିଭ୍ ପିଟିସନ ଦାଖଲ କରିଥିଲେ । ସେ ତାଙ୍କ ଆବେଦନରେ ଦର୍ଶାଇଥିଲେ ଯେ, ଛତର ଯାତ୍ରା ସଂପର୍କରେ ଓଡିଶା ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଖଲ କରିଥିବା ଜୟନ୍ତୀ ଦାସ କଳାହାଣ୍ଡିର ବାସିନ୍ଦା ନୁହନ୍ତି କିମ୍ବା ଛତର ଯାତ୍ରା ସଂପର୍କରେ କୌଣସି ଧାରଣା ନାହିଁ । କଳାହାଣ୍ଡିବାସୀଙ୍କର ଧାର୍ମିୟ ବିଶ୍ୱାସ ଓ ଶହଶହ ବର୍ଷର ପ୍ରଥା ଓ ପରମ୍ପରା ମଧ୍ୟରେ ହାଇକୋର୍ଟ ହସ୍ତକ୍ଷେପ କରି ଯାତ୍ରା ସମୟରେ ପଶୁବଳି ଉପରେ ନିଶେଧାଜ୍ଞା ଜାରି କରିଛନ୍ତି । ତେବେ ହାଇକୋର୍ଟ ଏ ସଂପର୍କରେ କଳାହାଣ୍ଡିର କୌଣସି ବାସିନ୍ଦା କିମ୍ବା ଭକ୍ତଙ୍କ ମତାମତ ନନେଇ ଏଭଳି ଏକ ନିଷେଧାଜ୍ଞା ଜାରି କରିଛନ୍ତି । ଚଳିତ ଅକ୍ଟୋବର ୧୭ ତାରିଖରୁ ମାଣିକେଶ୍ୱରୀଙ୍କ ଶାରଦୀୟ ଦଶହରା ଉତ୍ସବ ଆରମ୍ଭ ହେଉଥିବାରୁ ଏହି ଆବେଦନକୁ ଶୀଘ୍ର ଶୁଣାଣି କରି ମାଣିକେଶ୍ୱରୀ ମନ୍ଦିରରେ ଶହ ଶହ ବର୍ଷ ଧରି ପ୍ରଥା ଓ ପରମ୍ପରା ଭାବରେ ଚାଲି ଆସିଥିବା ପୂଜା ନୀତି ପାଳନ କରିବା ପାଇଁ ଅନୁମତି ଦେବାକୁ ସୁପ୍ରିମକୋର୍ଟଙ୍କ ନିକଟରେ ଏକ ମଧ୍ୟବର୍ତ୍ତି କାଳିନ ଆଦେଶ ଦେବା ନିମନ୍ତେ ପ୍ରାର୍ଥନା କରିଥିଲେ । ଆଜି ମାନ୍ୟବର ସୁପ୍ରିମକୋର୍ଟଙ୍କ ମୁଖ୍ୟ ବିଚାରପତି ସମେତ ଜଷ୍ଟିଷ ଏ ବୋପାନ୍ନା ଓ ଜଷ୍ଟିଷ ଭି ରାମଶୁଭ୍ରମଣ୍ୟମଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପିଠ ଏହି ସ୍ପେଶାଲ ଲିଭ ପିଟିସନର ଶୁଣାଣି କରି ହାଇକୋର୍ଟଙ୍କ ପୂର୍ବ ଆଦେଶ ଉପରେ ମଧ୍ୟବର୍ତ୍ତୀକାଳୀନ ରହିତାଦେଶ ଜାରି କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଆଇନଜୀବୀ ସୁକୁମାର ପଟ୍ଟଯୋଷୀ, କିରଣ କୁମାର ପାତ୍ର, ସୁନୀଲ କୁମାର ମୁଣ୍ଡ, ସଂଜୀବ ଯୋଷୀ, ସନ୍ଦିପ ମହାପାତ୍ର ଓ ବିଶ୍ୱଜିତ କୁମାର ପାତ୍ର ମାମଲା ପରିଚାଳନା କରୁଥିଲେ ।
Comments are closed, but trackbacks and pingbacks are open.