ପଥର ଖାଦାନରେ ବିସ୍ଫୋରଣ, ୩ ମୃତ

Get real time updates directly on you device, subscribe now.

ଗୁଣପୁର,(ବି.ବି.ନୁ୍ୟଜ୍): ପଥର ଖାଦାନରେ ଭୟଙ୍କର ବିସ୍ଫୋରଣ । ଏଥିରେ ଜଣେ ମହିଳାଙ୍କ ସମେତ ୩ ଜଣ ଶ୍ରମିକଙ୍କ ମୃତୁ୍ୟ ହୋଇଛି ଏବଂ ଅନ୍ୟ ୯ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତ ଶ୍ରମିକମାନେ ହେଲେ ଜୋମେଶ ଶବର, କୁଳବତୀ ଶବର ଓ ଡୁଡି ଶବର । ଖବର ପାଇ ପୁଲିସ୍ ଓ ଅଗ୍ନିଶମ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ ପ୍ରଶାସନିକ ଅଧିକାରୀ । ମୃତାହତଙ୍କୁ ଉଦ୍ଧାର କରିଥିଲେ । କିନ୍ତୁ କ୍ଷତିପୂରଣ ସହ ଖାଦାନ ମାଲିକଙ୍କ ଗିରଫ ଦାବି କରିଥିଲେ ଶ୍ରମିକ ନେତାମାନେ । ଏହାକୁ ନେଇ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । ଆଜି ଅପରାହ୍ନରେ ଗୁଣପୁର ତହସିଲ ଅନ୍ତର୍ଗତ ଓକିଲଗୁଡା ପଥର ଖାଦାନରେ ଘଟିଥିଲା ଏହି ଅଘଟଣ ।
ମିଳିଥିବା ସୂଚନା ଅନୁଯାୟୀ, ଅପରାହ୍ନ ୩ଟାରେ ଖାଦାନରେ ୧୫ରୁ ଅଧିକ ଶ୍ରମିକ କାମ କରୁଥିଲେ । ପଥର ସଂଗ୍ରହ କାମରେ ଲାଗିପଡ଼ିଥିଲେ । ପୂର୍ବରୁ ଖାଦାନର ବଡ଼ ବଡ଼ ପଥରରେ ଛିଦ୍ର କରାଯାଇ ବିସ୍ଫୋରକ ଭର୍ତ୍ତିିି କରାଯାଇଥିଲା । ହଠାତ୍ ଗୋଟିଏ ସ୍ଥାନରେ ବିସ୍ଫୋରଣ ହୋଇଥିଲା । କେହି କିଛି ବୁଝିବା ଆଗରୁ ରକ୍ତରଂଜିତ ହୋଇଯାଇଥିଲା ଘଟଣାସ୍ଥଳ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଖାଦାନରେ ଥିବା ଏକ ଟ୍ରାକ୍ଟର ଓଲଟି ପଡିଥିଲା । ସାମାନ୍ୟ ଆହତ ହୋଇଥିବା ଶ୍ରମିକମାନେ ଘଟଣା ସମ୍ପର୍କରେ ଜଣାଇବା ପରେ ଆମ୍ବୁଲାନ୍ସକୁ ସୂଚନା ଦିଆଯାଇଥିଲା । ତତ୍କ୍ଷଣାତ ପହଞ୍ଚିଥିଲା ଆମ୍ବୁଲାନ୍ସ । ଗୁରୁତର ଆହତ ୯ ଜଣଙ୍କୁ ଡାକ୍ତରଖାନା ନେଇଥିଲା । ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗି ପଡିଥିଲେ । ପ୍ରାଣ ହରାଇଥିବା ୩ ଜଣଙ୍କ ମଧ୍ୟରୁ ଜଣେ ଶ୍ରମିକଙ୍କ ମୁଣ୍ଡଗଣ୍ଡି ଅଲଗା ହୋଇଯାଇଥିବା ଦେଖିବାକୁ ମିଳିଥିଲା । ଆହତ ହୋଇଥିବା ୯ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ପରିଚୟ ମିଳିଛି । ସେମାନେ ହେଲେ ବୁଡା ଶବର, ପାନ୍ତୁଲୁ ଶବର, ଶୁକୁ ଶବର, ବଳିଆ ଶବର ଓ ସମିଅାଁ ଶବର । ଅନ୍ୟ ୪ ଜଣଙ୍କ ପରିଚୟ ମିଳିଛି । ସମସ୍ତଙ୍କ ଘର ସାମ୍ପୁନି ଓ ଲୁଙ୍ଗୁରତାଲରେ ।
ବିସ୍ଫୋରଣ ସଂପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ଅତିରିକ୍ତ ଜିଲ୍ଲାପାଳ ଶରତ ପଣ୍ଡା, ଉପଜିଲ୍ଲାପାଳ ସୋନାଲ କୁମାର ଜେନା, ତହସିଲଦାର ଲକ୍ଷ୍ମୀନାରାୟଣ ସାବତ, ବିଡିଓ ଶାନ୍ତିପ୍ରଭା ପ୍ରଧାନ ଏବଂ ପୌର ନିର୍ବାହୀ ଅଧିକାରୀ ଉମାପ୍ରସାଦ ଦାସ । ପରିସ୍ଥିତି ଅନୁଧ୍ୟାନ କରିବା ସମୟରେ ସେଠାରେ ପହଞ୍ଚିଥିଲେ ଶ୍ରମିକ ନେତା ତ୍ରିପତି ଗମାଙ୍ଗ, ଦାମୋଦର ଶବର ପ୍ରମୁଖ । ମୃତଦେହ ବ୍ୟବଚ୍ଛେଦ ପାଇଁ ଛାଡ଼ିନଥିଲେ । ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ସହ ଖାଦାନ ମାଲିକଙ୍କ ଗିରଫ ଦାବି କରିଥିଲେ । ଉପଜିଲ୍ଲାପାଳ ସେମାନଙ୍କୁ ବୁଝାସୁଝା କରିଥିଲେ । ମୃତକଙ୍କ ପରିବାରକୁ ରେଡକ୍ରସ ଫଣ୍ଡରୁ ୨୦ ହଜାର ଏବଂ ଆହତଙ୍କ ଚିକିତ୍ସା ଲାଗି ୧୦ ହଜାର ଟଙ୍କା ଲେଖାଏଁ ଯୋଗାଇ ଦିଆଯାଇଥିଲା । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା । ଏହାପରେ ଶ୍ରମିକ ନେତାମାନେ ମୃତଦେହ ଛାଡିଥିଲେ ।
ପଥର ଖାଦାନରେ ଏଭଳି ବିସ୍ଫୋରଣ ପରେ ପୁଲିସ୍ ଓ ପ୍ରଶାସନ ପକ୍ଷରୁ ଘଟଣାର ତନାଘନା କରାଯାଉଛି । ଏହି ଖାଦାନ କାହା ନାଁରେ ଥିଲା, କେବେ ଟେଣ୍ଡର ହୋଇଥିଲା, ପରିବେଶ ମଞ୍ଜୁରି ମିଳିଥିଲା କି ନାହିଁ, ବିସ୍ଫୋରଣ ପାଇଁ ଅନୁମତି ଥିଲା ନା ନାହିଁ-ସେସବୁକୁ ତୁରନ୍ତ ତଦନ୍ତ ପରିସରକୁ ନେବାକୁ ଦାବି ହୋଇଛି । ଏ ସଂପର୍କରେ ଗୁଣପୁର ଥାନାରେ ଏକ ମାମଲା ରୁଜୁ ହୋଇଛି । ଶନିବାର ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ୍ କହିଛି । ଅଭିଯୋଗ ହୋଇଛି ଯେ ଏହି ଗୋଟିଏ ଖାଦାନ ନୁହେଁ, ଅଞ୍ଚଳରେ ଥିବା ପ୍ରାୟ ସବୁ ଖାଦାନରେ ବେଆଇନ ଭାବେ ବିସ୍ଫୋରଣ କରାଯାଇ ପଥର ଫଟାଯାଉଛି । ପ୍ରଶାସନିକ ବାବୁମାନେ ସବୁ ଜାଣି ଚୁପ୍ ରହୁଥିବାରୁ ଏଭଳି ଅଭାବନୀୟ ଘଟଣା ଘଟୁଛି । କେବଳ ଦେଖିବାର କଥା, ଆଜିର ଏହି ଅଘଟଣ ପରେ ଖାଦାନ ବିରୋଧରେ କି କାର୍ଯ୍ୟାନୁÂାନ ନିଆଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons