ରାୟଗଡ଼ା,(ବି.ବି.ନୁ୍ୟଜ୍): ନା ଥିଲା ପୋଲ, ନା ଡଙ୍ଗା ବ୍ୟବସ୍ଥା । ଲଘୁଚାପଜନିତ ବର୍ଷାରେ ଉଛୁଳୁଥିଲା ନାଗାବଳୀ । ପ୍ରଖର ବେଗରେ ସୁଅ ଛୁଟୁଥିଲା । ତଥାପି ସେମାନଙ୍କ ପାଖରେ ବିକଳ୍ପ ନଥିଲା । ଡାକ୍ତରଖାନା ନେବା ଲାଗି ଅନ୍ୟ କୌଣସି ମାଧ୍ୟମ ନଥିଲା । ଜ୍ୱରରେ ପୀଡ଼ିତ ଯୁବକଙ୍କୁ କାନ୍ଧରେ ବସାଇଥିଲେ ୭ ଜଣ ଯୁବକ । ନଈର ସୁଅ କାଟି କାଟି ଜୀବନକୁ ପାଣି ଛଡ଼ାଇ ଆଗକୁ ବଢ଼ିଥିଲେ । ସଦର ବ୍ଲକର ଖିଲିମିସିଗୁଡ଼ାରେ ଆଜି ଦେଖିବାକୁ ମିଳିଥିଲା ଏଭଳି ଅଭାବନୀୟ ଦୃଶ୍ୟ । ଜ୍ୱରରେ ଆକ୍ରାନ୍ତ ଯୁବକ ଥିଲେ ଗାଁର ସାଗର ପୁଆଲା ।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗତ ଦୁଇଦିନ ହେଲା ସାଗର ଜ୍ୱରରେ ପୀଡ଼ିତ ଥିଲେ । ଲଗାଣ ବର୍ଷା ଯୋଗୁ ନାଗାବଳୀ ନଦୀର ଅପରପାଶ୍ୱର୍ରେ ଥିବା ଖିଲିମିସିଗୁଡ଼ା ଗାଁରୁ ତାଙ୍କୁ ମେଡ଼ିକାଲକୁ ଅଣାଯାଇପାରୁନଥିଲା । ଆଜି ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ଗାଁର ୭ ଜଣ ଯୁବକ ସାଗରଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ନେବାକୁ ଅଣ୍ଟା ଭିଡ଼ିଥିଲେ । ସେମାନେ ନଦୀ ଭିତରେ ପଶି ସାଗରଙ୍କୁ ବହୁ କଷ୍ଟରେ କାନେ୍ଧଇ କାନେ୍ଧଇ ନଦୀ ପାର କରାଇଥିଲେ । ଖିଲିମିସିଗୁଡ଼ାରୁ ସାଗରଙ୍କୁ ନାଗାବଳୀ ନଦୀ ପାର କରାଯିବା ପରେ ବୋହିକରି ହାଟଶେଷଖାଲ ପର୍ଯ୍ୟନ୍ତ ଅଣାଯାଇଥିଲା । ସେଠାରୁ ଏକ ବାଇକରେ ଜେମାଦେଇପେଣ୍ଠ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ସାଗରଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟିଥିବା ଗ୍ରାମବାସୀ କହିଛନ୍ତି । ନାଗାବଳୀ ନଦୀ ଉପରେ ପୋଲ ନଥିବାରୁ ଅପରପାଶ୍ୱର୍ରେ ଥିବା ଅନେକ ଗାଁର ଲୋକେ ଏଭଳି ଦୁର୍ଦ୍ଧଶା ଭୋଗୁଛନ୍ତି । ରୋଗୀ, ବୃଦ୍ଧବୃଦ୍ଧା ଏବଂ ଗର୍ଭବତୀଙ୍କୁ ମେଡ଼ିକାଲ ଆଣିବା କାଠିକର ପାଠ ହେଉଛି । ଜିଲ୍ଲା ପ୍ରଶାସନ ଏହାକୁ ଆଖିରେ ରଖି ତୁରନ୍ତ ପୋଲ ନିର୍ମାଣ କାମକୁ ଶେଷ କରିବା ଲାଗି ଗ୍ରାମବାସୀ ନିବେଦନ କରିଛନ୍ତି ।


Comments are closed, but trackbacks and pingbacks are open.