ଦରମା ଅଣ୍ଟୁନି: ଇସ୍ତଫା ଦେବେ ଜନ୍ସନ୍

Get real time updates directly on you device, subscribe now.

ଲଣ୍ଡନ: ପତ୍ନୀ ଓ ୬ ସନ୍ତାନଙ୍କୁ ନେଇ ପରିବାର । ସ୍ୱଳ୍ପ ଦରମାରେ ଚଳିବା ମୁସ୍କିଲ । ତା’ ଉପରେ ପୂର୍ବ ପତ୍ନୀଙ୍କ ରକ୍ଷଣାବେକ୍ଷଣ କଥା ବି ବୁଝିବାକୁ ପଡୁଛି । ଏତେସବୁ ଖର୍ଚ୍ଚ ତୁଲାଇବା ପରେ ପକେଟ୍ରେ ଅଧଲାଟିଏ ବଳୁନାହିଁ । ଏହା କୌଣସି ଘରୋଇ କମ୍ପାନିରେ କାର୍ଯ୍ୟରତ କର୍ମଚାରୀଙ୍କ ବେଦନା ନୁହେଁ । ଛଅମାସ ତଳେ କ୍ଷମତାକୁ ଆସିଥିବା ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ ଏବେ ଏଭଳି ପରିସ୍ଥିତିର ସାମ୍ନା କରୁଛନ୍ତି ।
ବ୍ରିଟେନ୍ର ଦୈନିକ ଖବରକାଗଜ ‘ଦ ଡେଲି ମିରର୍’ରେ ପ୍ରକାଶିତ ଏକ ଖବରରୁ ଏହା ଜାଣିବାକୁ ମିଳିଛି । ରିପୋର୍ଟରେ ଦର୍ଶାଯାଇଛି ଯେ ପ୍ରଧାନମନ୍ତ୍ରୀ ଜନ୍ସନ୍ ନିଜ ଦରମାକୁ ନେଇ ଅତ୍ୟନ୍ତ ଦୁଃଖୀ ଅଛନ୍ତି । ସେ ପାଖାପାଖି ୧,୯୫,୦୦୦ ଡଲାର ବା ୧,୫୦,୪୦୦ ପାଉଣ୍ଡ ଆୟ କରୁଛନ୍ତି । ଯାହା ପରିବାର ଚଳାଇବା ପାଇଁ ଯଥେଷ୍ଟ ହେଉନାହିଁ । ପୂର୍ବ ଚାକିରିରେ ସ୍ଥିତି ଭଲ ଥିଲା । ହାତକୁ ଭଲ ଦରମା ଆସୁଥିଲା । ତେଣୁ ପ୍ରଧାନମନ୍ତ୍ରୀ ପଦରେ ଚାକିରି କରି ଏବେ ସେ ପଶ୍ଚାତାପ କରୁଛନ୍ତି । ଏମିତି କି ବ୍ରେକ୍ଜିଟ୍ ଥଇଥାନ ଏବଂ କରୋନା ମହାମାରୀରୁ ଦେଶବାସୀଙ୍କୁ ଉଦ୍ଧାର କରିବା ପରେ ପଦରୁ ଇସ୍ତଫା ଦେବେ ବୋଲି ଜନ୍ସନ୍ ବିଚାର କରୁଛନ୍ତି ।
ଗତବର୍ଷ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଟେରେସା ମେ’ଙ୍କ ଆୟକୁ ଦେଖି ଜନ୍ସନ୍ ଈର୍ଷା କରୁଛନ୍ତି । ଗତବର୍ଷ ପରଠାରୁ ମେ’ ବିଭିନ୍ନ କାର୍ଯ୍ୟକ୍ରମରେ ସମ୍ଭାଷଣ ଦେଇ ୧୧,୭୫,୬୯୫ ଡଲାର ବା ୧ ନିୟୁତ ପାଉଣ୍ଡ ଆୟ କରିଛନ୍ତି । ଜନ୍ସନ୍ ଯଦି ତାହା କରନ୍ତେ ତେବେ ଦୁଇଗୁଣା ଆୟ କରିପାରନ୍ତେ ବୋଲି ବିଶ୍ୱାସ କରୁଛନ୍ତି ।
ଟୋରି ପାର୍ଟି (କଞ୍ଜରଭେଟିଭ୍ ପାର୍ଟି)ର ନେତା ହେବା ପୂର୍ବରୁ ଦ ଟେଲିଗ୍ରାଫ୍ର ଜଣେ ସ୍ତମ୍ଭକାର ଭାବେ ଜନ୍ସନ୍ ବର୍ଷକୁ ୩,୫୫,୫୮୪ ଡଲାର ଆୟ କରୁଥିଲେ । ଦୁଇଟି ସମ୍ଭାଷଣ ଦେଇ ମାସକୁ ୨,୦୬,୮୮୫ ଡଲାର ପାରିଶ୍ରମିକ ପାଉଥିଲେ । ଏହା ତାଙ୍କ ପରିବାର ପ୍ରତିପୋଷଣ ପାଇଁ ଯଥେଷ୍ଟ ହେଉଥିଲା । ଭଲ ସଞ୍ଚୟ କରିବାକୁ ବି ସୁଯୋଗ ମିଳୁଥିଲା । ତେଣୁ ଜନ୍ସନ୍ ଏବେ ଇସ୍ତଫା ଦେବାକୁ ବିଚାର କରୁଥିବା ଦ ଡେଲି ମିରର୍ ରିପୋର୍ଟରୁ ଜଣାପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons