ପଡ଼ିଆବାହାଲ,(ବି.ବି.ନୁ୍ୟଜ୍): ଏନ୍ଏଚ୍-୫୩ ସମ୍ବଲପୁର ପଡ଼ିଆବାହାଲ ଷ୍ଟେଟ୍ ବ୍ୟାଙ୍କ ସମ୍ମୁଖରେ ଆଜି ମଧ୍ୟାହ୍ନ ପ୍ରାୟ ସାଢେ଼ ୧୨ଟାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । କଣ୍ଟେନର୍ ଚାପାରେ ବାହାମ ପଞ୍ଚାୟତ ବଡ଼ତୁରାଙ୍ଗ ଗାଁର ଗୋବିନ୍ଦ ମେହେରଙ୍କ ସ୍ତ୍ରୀ ଆଲ୍ଲାଦିନୀ (୩୪) ଓ ୨ ବର୍ଷିୟା ପୁଅ ପ୍ରିୟାଂଶୁଙ୍କ ଘଟଣାସ୍ଥଳରେ ମୃତୁ୍ୟ ହୋଇଛି । ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । କ୍ଷତିପୂରଣ ଦାବିରେ ଲୋକେ ରାସ୍ତା ଅବରୋଧ କରିଥିଲେ । ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାରୁ ୨ ଘଣ୍ଟା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା ।
ଆଜି ପଡ଼ିଆବାହାଲ ସାପ୍ତାହିକ ହାଟ ଥିଲା । ମା’ ପୁଅ ସଉଦା କରିବା ପାଇଁ ହାଟକୁ ଆସିଥିଲେ । ସ୍ୱାମୀ ଗୋବିନ୍ଦଙ୍କ ନିକଟରେ ଦରଜୀ ଦୋକାନ ଅଛି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ଆଲ୍ଲାଦିନୀ ପୁଅକୁ କାଖେଇ ହାଟ ସାରି ନିଜ ଦୋକାନ ଆଡ଼କୁ ଯିବା ପାଇଁ ରାସ୍ତା କଡ଼ରେ ଛିଡ଼ା ହୋଇଥିଲେ । ଏହି ସମୟରେ ଏକ ବାଇକ୍ ଆସି ଆଲ୍ଲାଦିନୀଙ୍କୁ ଧକ୍କା ଦେଇଥିଲା । ଆଲ୍ଲାଦିନୀ ପୁଅ ସହ ରାସ୍ତାରେ ପଡ଼ି ଯାଇଥିଲେ । ପଛରୁ ଆସୁଥିବା କଣ୍ଟେନର୍ (ଏମ୍ଏଚ୍୪୬ଏଆର୍-୩୧୪୩) ମା’-ପୁଅଙ୍କ ଉପରେ ଚଢ଼ି ଯାଇଥିଲା । କଣ୍ଟେନର୍ ବମ୍ବେରୁ କଲିକତା ଯାଉଥିଲା ।
Comments are closed, but trackbacks and pingbacks are open.