ବ୍ୟାସନଗର,(ବି.ବି.ନୁ୍ୟଜ୍): ଦିନକୁ ଦିନ ବ୍ୟାସନଗର ସହର ଅସୁରକ୍ଷିତ ହୋଇ ପଡ଼ୁଛି । ଡକାୟତଙ୍କ ନଜର ବ୍ୟାସନଗର ସହର ଉପରେ ପଡ଼ିଛି । ପେଶାଗତ ଅପରାଧୀଙ୍କୁ ପୁଲିସ ଧରୁଥିଲେ ବି ଡକାୟତି ଯୋଜନା ସଫଳ ହୋଇଛି । ଏଭଳି ଏକ ଘଟଣା ମଙ୍ଗଳବାର ବିଳମ୍ବିତ ରାତିରେ ଘଟି ଯାଇଛି । ଯାଜପୁର ରୋଡ୍ ଥାନା ଅନ୍ତର୍ଗତ ଯୋଗିସାହିରେ ୫ଜଣ ସଶସ୍ତ୍ର ଡକାୟତ ଜଣଙ୍କ ଘର କବାଟ ଭାଙ୍ଗି ପ୍ରବେଶ କରିବା ପରେ ଲୁଟ୍ପାଟ୍ କରି ଚମ୍ପଟ ମାରିଛନ୍ତି । ପରିବାର ଲୋକଙ୍କୁ ମାର୍ପିଟ୍ କରିବା ସହିତ ଡରାଇବାକୁ ବନ୍ଧୁକ ଫୁଟାଇ ଥିଲେ । ସୌଭାଗ୍ୟବଶତଃ ଗୁଳି ନଫୁଟି ତଳେ ପଡ଼ି ଯିବାରୁ ଅଳ୍ପକେ ଜୀବନ ବର୍ତ୍ତି ଯାଇଥିଲା । ସେମାନେ ପୁରା ପରିବାକୁ ବାନ୍ଧି ଗୋଟିଏ କୋଠରୀରେ ବନ୍ଦ କରିବା ସହିତ ସେମାନଙ୍କ ଦେହରେ ଥିବା ସୁନାଗହଣା ସହିତ ୫ଗୋଟି ମୋବାଇଲ ଓ ଏକ ଟଙ୍କା ଭର୍ତ୍ତି ପର୍ସ ନେଇ ଯାଇଥିଲେ । ସେମାନଙ୍କ ଆକ୍ରମଣରେ ପରିବାରର ତିନିଜଣ ଆହତ ହୋଇଥିଲେ । ବନ୍ଦୀ ପରିବାର ପଡେ଼ାଶୀଙ୍କ ସହାୟତାରେ ମୁକ୍ତ ହେବା ପରେ ଯାଜପୁର ରୋଡ଼ ପୁଲିସକୁ ଖବର ଦେଇଥିଲେ । ଖବରପାଇ ପୁଲିସ ପହଞ୍ଚô ଘଟଣାସ୍ଥଳରୁ ଗୋଟିଏ ଅଫୁଟା ଗୁଳି ଜବତ କରିଥିଲା । ଅପରାହ୍ଣରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚô ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଲୁଟ୍ର ଶିକାର ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।
ଯାଜପୁର ରୋଡ୍ ଓଏମ୍ସିର ଅବସରପ୍ରାପ୍ତ କର୍ମଚାରୀ ବିଦ୍ୟାଧର ରାଉତ ପତ୍ନୀ କୁନ୍ତଳା ରାଉତ, ପୁଅ ଦୁର୍ଗା ପ୍ରସାଦ ରାଉତ, ବୋହୂ ସୁପ୍ରିୟା ରାଉତ ଓ ନାବାଳକ ନାତି ସହିତ ଯୋଗିସାହିରେ ଦୀର୍ଘବର୍ଷ ହେବ ରହି ଆସୁଛନ୍ତି । ପୁଅ ଦୁର୍ଗା ପ୍ରସାଦଙ୍କ ସୂଚନା ମୁତାବକ ଗତକାଲି ରାତି ୨ଟା ହେବ । ପୁରା ପରିବାର ଖାଇସାରି ଶୋଇଥିଲୁ । ହଠାତ୍ କେହି କବାଟ ଭାଙ୍ଗିବା ଶବ୍ଦ ହେଲା । ଉଠି ଦେଖିବା ବେଳକୁ ୫ଜଣ ଡକାୟତ କବାଟ ଭାଙ୍ଗି ଘରେ ଭିତରେ ପ୍ରବେଶ କରୁଥିଲେ । ସେମାନେ ହାତରେ ଫାଉଡ଼ା ବେଣ୍ଟ, କଟୁରୀ ଓ ବନ୍ଧୁକ ଧରି ଥିଲେ । ସେମାନଙ୍କୁ ବିରୋଧ କରିବାରେ ସେମାନେ ଆକ୍ରମଣ କରିଥିଲେ । ପାଟି ଶୁଣି ବାପା ବିଦ୍ୟାଧର ବାହାରକୁ ଆସିବା କ୍ଷଣି ଦୁର୍ବୃତ୍ତମାନେ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଜଣେ ସେମାନଙ୍କ ମଧ୍ୟରୁ ବନ୍ଧୁକ ବାହାର କରି ଫୁଟାଇ ଥିଲା । ହେଲେ ଗୁଳି ନଫୁଟି ତଳେ ପଡ଼ିଥିଲା । ବାପା ଅଳ୍ପକେ ବର୍ତ୍ତି ଯାଇଥିଲେ । ପରେ ସେମାନେ ପରେ ଘରେ ଭିତରେ ପଶି ମାଆଙ୍କୁ ପିଟିବା ସହିତ ସମସ୍ତଙ୍କୁ ବାନ୍ଧି ଗୋଟିଏ ରୁମ୍ ଭିତରେ ବନ୍ଦ କରି ଦେଇଥିଲେ । ତା’ପରେ ସମସ୍ତଙ୍କ ଦେହରେ ଥିବା ସୁନାଗହଣା(ପ୍ରାୟ ୮୦ହଜାର ଟଙ୍କା), ୫ଗୋଟି ମୋବାଇଲ ଓ ଏକ ଟଙ୍କା ଭର୍ତ୍ତି ପର୍ସ ନେଇ ଯାଇଥିଲେ । ସେମାନେ ଲାପଟପ୍ ନେବାକୁ ଚେଷ୍ଟା କରିଥିଲେ ହେଲେ ବିଫଳ ହୋଇଥିଲେ । ଦୀର୍ଘ ୧ଘଣ୍ଟା କାଳ ଲୁଟ୍ପାଟ୍ କରିବା ପରେ ସେମାନେ ପଳାଇ ଥିଲେ । ଭୋର୍ ପ୍ରାୟ ୪ଟା ହେବ । ବହୁ କଷ୍ଟରେ ଝରକା ବାଟେ ପଡେ଼ାଶୀଙ୍କୁ ଡାକ ପକାଇ ଥିଲୁ । ପଡେ଼ାଶୀ କବାଟ ଖୋଲିବା ପରେ ଘଟଣା ସମ୍ପର୍କରେ କହିବା ସହିତ ଯାଜପୁର ରୋଡ୍ ପୁଲିସକୁ ଖବର ଦେଇଥିଲୁ । ଖବରପାଇ ଥାନାଧିକାରୀ ଅନିଲ କୁମାର ମହାନ୍ତି ଏବଂ ଏସ୍ଡିପିଓ ଚିନ୍ମୟ କୁମାର ନାୟକ ଘଟଣାସ୍ଥଳରେ ପହଞ୍ଚôଥିଲେ । ଅଫୁଟା ଗୁଳି ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଏନେଇ ଦୁର୍ଗାପ୍ରସାଦ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ କେସ୍ ନଂ. ୪୧୨/୨୦ରେ ଏକ ମାମଲା ରୁଜୁ କରି ତଦନ୍ତକୁ ଜୋରଦାର୍ କରିଛି । ଅପରାହ୍ଣ ୫ଟା ବେଳେ କେନ୍ଦ୍ରାପଡ଼ାରୁ ସାଇଣ୍ଟିଫିକ୍ ଟିମ୍ ପହଞ୍ଚô ଘଟଣାସ୍ଥଳରୁ ନମୁନା ସଂଗ୍ରହ କରିଥିଲେ । ପୁଲିସ ଡକାୟତଙ୍କୁ ଠାବ କରିବା ପାଇଁ ନେଟୱାର୍କ ଲଗାଇ ଥିବା ଜଣାପଡ଼ିଛି । ଡକାୟତମାନେ ନେଇଥିବା ମୋବାଇଲ ପ୍ରଥମେ ବନ୍ଦ ଥିଲେ ମଧ୍ୟ କିଛି ସମୟ ପରେ ତାହା ଖୋଲି ଥିଲା । ଯାହାକୁ ନେଇ ପୁଲିସ କିଛି ସୁରାକ୍ ପାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ତେବେ ଗତ ମାସକ ଭିତରେ ଯାଜପୁର ରୋଡ୍ର ପେଶାଦାର ଅପରାଧୀଙ୍କୁ ପୁଲିସ କାବୁ କରି ଜେଲ ପଠାଇ ଥିବା ବେଳେ ତନ୍ମଧ୍ୟରୁ କିଛି ଜାମିନରେ ବାହାରି ଥିବା ପୁଲିସ ଜାଣିବାକୁ ପାଇଛି । ଯୋଗିସାହିର ଡକାୟତି ପୂର୍ବ ପ୍ରସ୍ତୁତି ବୋଲି ପୁଲିସ ସୂଚନା ପାଇଛି । ଘର ଲୋକଙ୍କ ବୟାନକୁ ଆଧାର କରି ପୁଲିସ ଡକାୟତଙ୍କୁ ଚିହ୍ନଟ କରିବାର ଯୋଜନା କରିଛି । ଡକାୟତମାନେ ଓଡ଼ିଆ ଭାଷାରେ କଥା ହେଉଥିବା ବେଳେ ସେମାନଙ୍କ ଭିତରେ ଜଣେ ମୋଟା ଏବଂ ଡେଙ୍ଗା ଲୋକ ମୁଖ୍ୟ କାରପଟଦାର ଥିବାରୁ ପୁଲିସ ସେହି ଲୋକକୁ ଠାବ କରିବା ପାଇଁ ଜାଲ ବିଛାଇଛି । ଏହିଭଳି ଲୋକ ଯାଜପୁର ଜିଲ୍ଲାର ନୁହେଁ ବୋଲି ପୁଲିସ ଜାଣିବାକୁ ପାଇଥିବାରୁ ଏହି ଡକାୟତି ଯୋଜନାରେ ଆନ୍ତଃଜିଲ୍ଲା ଡକାୟତି ଗ୍ୟାଙ୍ଗର ସମ୍ପର୍କ ଥିବା ପୁଲିସ ଅନୁମାନ କରୁଛି ।


Comments are closed, but trackbacks and pingbacks are open.