ମାଁ, ଝିଅ-ଜ୍ୱାଇଁଙ୍କୁ ହାଣିଦେଲା:୩ ଦଶନ୍ଧିର ଶତ୍ରୁତାର ରକ୍ତାକ୍ତ ପ୍ରତିଶୋଧ

Get real time updates directly on you device, subscribe now.

ବାମରା,(ବି.ବି.ନୁ୍ୟଜ୍): ଜମି ବିବାଦକୁ ନେଇ ଦୀର୍ଘ ୨ ଦଶନ୍ଧିର ଶତ୍ରୁତା । ଆଉ ଶତ୍ରୁତାରୁ ଭୟଙ୍କର ପ୍ରତିଶୋଧ । ବାରମ୍ବାର ଜୀବନରେ ମାରି ଦେବା ପାଇଁ ଧମକ ଦେଇ ଆସୁଥିଲା । ଏନେଇ ଅନେକ ଥର ଥାନାରେ ବି ଏତଲା ହୋଇଥିଲା । ହେଲେ ଆଜି ତାର ଦୀର୍ଘ ବର୍ଷର ଇପ୍ସିତ ଲକ୍ଷ୍ୟ ପୂରଣ କରିବାକୁ ଯାଇ ତିନି ତିନି ଜଣଙ୍କୁ ନିର୍ମମ ଭାବେ ହାଣି ଦେଇଛି ଅଭିଯୁକ୍ତ । ଭୂଇଁରେ ଲୋଟି ପଡ଼ିଛି ମାଁ, ଝିଅ ଓ ଜ୍ୱାଇଁଙ୍କ ଜୀବନ । ସମ୍ବଲପୁର ଜିଲ୍ଲାର ମହୁଲପାଲି ଥାନା ଅନ୍ତର୍ଗତ ଜରାବଗା ପଞ୍ଚାୟତର ଲପଡ଼ା ଗାଁରେ ଘଟିଥିବା ଏହି ବର୍ବର ହତ୍ୟାକାଣ୍ଡ ସାରା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ଘଟଣାରେ ପୁଲିସ ଅଭିଯୁକ୍ତ ନବୀନ ଦେହୁରୀ(୫୫) ଏବଂ ତାର ପୁଅ ହେମାନନ୍ଦ(୨୬)କୁ ଗିରଫ କରିଛି । ସେପଟେ, ସାରା ଗାଁରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ପୁଲିସ ମୁତୟନ କରାଯାଇଛି ।
ବୁଧବାର ଅପରାହ୍ନ ପ୍ରାୟ ଅଢେ଼ଇଟା ହେବ । ବାମରା ବ୍ଲକ ଜରାବଗା ପଞ୍ଚାୟତର ଲପଡ଼ା ଗାଁରେ ଲୋକେ ସମସ୍ତେ ଖାଇ ପିଇ ସାରି ବିଶ୍ରାମ ନେଉଥିଲେ । ଠିକ୍ ଏତିକି ବେଳେ ଗାଁର ନବୀନ ଦେହୁରୀ ଘଟାଇଥିଲା ନରସଂହାର । ଗାଁର ଚାଷୀ ଗିରିଧାରୀ ସାହୁ(୪୮), ସ୍ତ୍ରୀ ସାବିତ୍ରୀ ସାହୁ(୩୮) ଏବଂ ଶାଶୁ ତିରୋବତୀ ବେହେରା(୬୦)ଙ୍କ ରକ୍ତ ଜୁଡୁବୁଡ଼ୁ ଶବ ଲୋଟି ପଡ଼ିଥିଲା ତିନୋଟି ସ୍ଥାନରେ । ଚାହୁଁ ଚାହୁଁ ଏହି ଖବର ବିଦୁ୍ୟତ୍ ବେଗରେ ପ୍ରଚାରିତ ହେବା ପରେ ସାରା ଗାଁ ସ୍ତବ୍ଧ ପାଲଟିଯାଇଥିଲା ।
ଲପଡ଼ା ଗାଁର ବିଧବା ମହିଳା ତିରୋବତୀ ବେହେରାଙ୍କ ଝିଅ ସାବିତ୍ରୀଙ୍କୁ ପ୍ରାୟ ୧୮ବର୍ଷ ପୂର୍ବେ ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକର ଗିରିଧାରୀ ସାହୁ ବିବାହ କରିଥିଲେ । ତିରୋବତୀ ବିଧବା ଥିବା ବେଳେ ସାବିତ୍ରୀ ଏକମାତ୍ର ଝିଅ ଥିବାରୁ ଗିରିଧାରୀ ଘରଜ୍ୱାଇଁ ଭାବେ ସେହି ଲପଡ଼ା ଗାଁରେ ରହି ଶ୍ୱଶୁର ଘର ଜମିକୁ ଚାଷ କରୁଥିଲେ । ଇତିମଧ୍ୟରେ ଗିରିଧାରୀ ଏବଂ ସାବିତ୍ରୀଙ୍କ ୨ ସନ୍ତାନ ଅଛନ୍ତି । ପୁଅ ସଚିନକୁ ୧୫ ବର୍ଷ ହୋଇଥିବା ବେଳେ ଝିଅ ସ୍ୱପ୍ନାକୁ ୧୩ ବର୍ଷ ହେଉଛି । ତେବେ, ତିରୋବତୀଙ୍କ ୩ ଏକର ଜମିକୁ ନେଇ ଦୀର୍ଘ ପ୍ରାୟ ୧୮ ବର୍ଷ ହେବ ସେହି ଗାଁର ନବୀନ ଦେହୁରୀଙ୍କ ସହ ବିବାଦ ଲାଗି ରହିଥିଲା । ଏପରିକି ଗ୍ରାମବାସୀଙ୍କ କହିବା କଥା ହେଲା ଯେ, ନବୀନ ଏନେଇ ଏକାଧିକ ଥର କୋର୍ଟରୁ ମଧ୍ୟ ନିରାଶ ହୋଇ ସର୍ବସ୍ୱାନ୍ତ ହୋଇସାରିଥିଲେ ହେଁ ଉକ୍ତ ଜମିକୁ ହାତେଇ ପାରିନଥିଲା । ଫଳରେ ନବୀନ ସବୁ ବେଳେ ପ୍ରତିଶୋଧ ପରାୟଣ ଥିଲା ।
କିଛିଦନ ପୂର୍ବରୁ ନବୀନର ପୁଅ ହେମାନନ୍ଦ ସହ ଗଣ୍ଡଗୋଳ ହେବାରୁ ଜୀବନରେ ମାରି ଦେବାକୁ ଧମକ ମଧ୍ୟ ଦେଇଥିଲା । ଏପରିକି ଦୀର୍ଘ ବର୍ଷ ହେଲା ସେ ନବୀନ ଗିରିଧାରୀଙ୍କୁ ମାରିବାକୁ ଧମକ ଦେଇଥିବା ନେଇ ମହୁଲପାଲି ଥାନାରେ ଅଭିଯୋଗ ବି ହୋଇଥିଲା । ପୁଲିସ ବି ଏତଲା ରୁଜୁ କରି ପୂର୍ବରୁ ନବୀନକୁ ଅଟକ ରଖି ଛାଡ଼ି ବି ଦେଇଥିଲା । ହେଲେ ପ୍ରତିଶୋଧର ନିଆଁ ନବୀନ ଭିତରେ କୁହୁଳୁଥିଲା । ଆଉ ଆଜି ସୁଯୋଗ ଅପେକ୍ଷାରେ ଥିଲା । ଗାଁରେ ମଧ୍ୟାହ୍ନରେ ସମସ୍ତେ ବିଶ୍ରାମ କରୁଥିବା ବେଳେ ଗିରିଧାରୀ ପ୍ରାୟ ୨ଟାରେ ବିଲକୁ ବାହାରି ପଡ଼ିଥିଲେ । ଏତିକି ବେଳେ ନବୀନ ପ୍ରଥମେ ବିଲକୁ ଯାଇ ଗିରିଧାରୀଙ୍କୁ ଟାଙ୍ଗିଆରେ ଅତର୍କିତ ଆକ୍ରମଣ କରିଥିଲା । ବେକରେ ଚୋଟ ଦେବାରୁ ଘଟଣାସ୍ଥଳରେ ସେ ଟଳି ପଡ଼ିଥିଲେ ।
ଗିରିଧାରୀଙ୍କ ପଛରେ ତାଙ୍କ ସ୍ତ୍ରୀ ସାବିତ୍ରୀ ଏବଂ ଶାଶୁ ତିରୋବତୀ ବି ବିଲକୁ କିଛି ସମୟ ପରେ ବାହାରିଥିଲେ । ଯିବା ବାଟରେ ଗାଁ ଯାତ୍ରା ମଣ୍ଡପ ନିକଟସ୍ଥ ନଳକୁଅରୁ ତିରୋବତୀ ବୋତଲରେ ପାଣି ଭରୁଥିବା ବେଳେ ସେଠାକୁ ପହଞ୍ଚି ନବୀନ ତାଙ୍କୁ ମଧ୍ୟ ବେକରେ ଚୋଟ ଦେଇ ହାଣି ଦେଇଥିଲା । ଫଳରେ ତିରୋବତୀ ବି ନଳକୂଅର ଚାନ୍ଦିନୀରେ ଟଳି ପଡ଼ିଥିଲେ । ଏହା ଦେଖିବା ପରେ ଜୀବନ ବିକଳରେ ସାବିତ୍ରୀ ଦୌଡିବାକୁ ଲାଗିଥିଲେ ହେଁ ନବୀନର ଆକ୍ରୋଶରୁ ବର୍ତ୍ତି ପାରିନଥିଲେ । ତାଙ୍କୁ ମଧ୍ୟ ପଛରୁ ଗୋଡ଼ାଇ ହାଣି ଦେଇଥିଲା ନବୀନ ।
ଗୋଟିଏ ପରେ ଗୋଟିଏ କରି ତିନି ଜଣଙ୍କୁ ହାଣି ଦେବା ପରେ ରକ୍ତଭିଜା ଟାଙ୍ଗିଆ ଧରି ବୀରଦର୍ପରେ ଆସି ଘରେ ରହିଥିଲା ନବୀନ । ତେବେ, ତିନି ତିନିଟି ନିର୍ମମ ହତ୍ୟାକୁ ଯେଉଁ କିଛି ଜଣ ଗ୍ରାମବାସୀ ଦେଖିଥିଲେ ସେମାନେ ବି ନିର୍ବାକ୍ ହୋଇଯାଇଥିଲେ । ସ୍ଥିତି ଏପରି ହୋଇଥିଲା ଯେ, ଲୋକେ ଭୟରେ ତାଟି କବାଟ ଦେଇ ଘରେ ରହିଯାଇଥିଲେ । ପରେ ମହୁଲପାଲି ପୁଲିସ ଖବର ପାଇ ଗାଁକୁ ପହଞ୍ଚି ନବୀନ ଏବଂ ତାର ପୁଅ ହେମାନନ୍ଦକୁ ଗିରଫ କରିଛି । ଏହାଛଡ଼ା ରକ୍ତଭିଜା ଟାଙ୍ଗିଆ ବି ଜବତ କରିଛି । କୁଚିଣ୍ଡା ଏସ୍ଡିପିଓ ରାଜକିଶୋର ମିଶ୍ର, ମହୁଲପାଲି ଫାଣ୍ଡି ଅଧିକାରୀ ଜ୍ୟୋସ୍ନାରାଣୀ ବେହେରା, ଗୋବିନ୍ଦପୁର ଥାନାଧିକାରୀ ପ୍ରତାପ କୁମାର ରଣା ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଚଲାଇଛନ୍ତି । ସାଇଣ୍ଟିଫିକ୍ ଟିମ୍ ବି ସନ୍ଧ୍ୟାରେ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ, ଏହି ଘଟଣାକୁ ନେଇ ଗାଁରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ପୁଲିସ ମୁତୟନ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons