ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କୋଭିଡ୍-୧୯ ପରବର୍ତ୍ତୀ ସମୟରେ ଭାରତର ଅର୍ଥନୀତିକୁ ତ୍ୱରାନ୍ୱିତ କରିବା ପାଇଁ ଉର୍ଜ୍ଜା କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇ ଅନେକ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି ବୋଲି ସେରା ଉଇକ୍ “ଇଣ୍ଡିଆ ଏନର୍ଜି ଫୋରମ'(ଆଇଇଏଫ)ର ଚତୁର୍ଥ ସଂସ୍କରଣ କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ଭିଡିଓ କନଫରେନ୍ସିଂରେ ସାମିଲ ହୋଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଉପସ୍ଥିତିରେ ଆଇଏଚ୍ଏସ୍ ମାର୍କିଟର ଉପାଧ୍ୟକ୍ଷ ଡା. ଡାନିଏଲ୍ ୟରଗେନଙ୍କ ଦ୍ୱାରା ଉର୍ଜ୍ଜା ଉପରେ ଲିଖିତ ପୁସ୍ତକ “ଦ ନିୟୁ ମ୍ୟାପ’ ଲୋକାର୍ପିତ ହୋଇଯାଇଛି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଉର୍ଜ୍ଜା କ୍ଷେତ୍ରକୁ ଆଗକୁ ନେବା ପାଇଁ ଏଭଳି କାର୍ଯ୍ୟକ୍ରମ ଭାରତରେ ଆୟୋଜନ ହେବା ଏବଂ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେବା ଦେଶର ଉର୍ଜ୍ଜା ସୁରକ୍ଷା ଭିତ୍ତିଭୂମିକୁ ସଦୃଢ଼ କରିବ । ସେହିପରି କୋଭିଡ୍-୧୯ ସତ୍ତେ୍ୱ ଉର୍ଜ୍ଜା ଦୃଶ୍ୟପଟ୍ଟକୁ ପରିବର୍ତ୍ତନ କରିବାରେ ମଧ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିବ । ସେ କହିଛନ୍ତି ବିଶ୍ୱ ଅର୍ଥନୀତି କରୋନା ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିବା ବେଳେ ଏହା ଅନେକ ସୁଯୋଗ ଓ ସମ୍ଭାବନା ମଧ୍ୟ ଆଣିଦେଇଛି ।
ଭାରତ ସରକାରଙ୍କ ଉର୍ଜ୍ଜା ଏଜେଣ୍ଡା ସମ୍ମିଳିତ, ବଜାରଭିତ୍ତିକ ଏବଂ ଜଳବାୟୁ ଆଧାରିତ । ନିକଟ ବର୍ଷ ମାନଙ୍କରେ ଭରତୀୟ ତୈଳ ଏବଂ ଗ୍ୟାସ ଶିଳ୍ପରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି । ବର୍ତ୍ତମାନର ଆହ୍ୱାନପୂର୍ଣ୍ଣ ସମୟରେ ଦେଶର କୋଣ ଅନୁକୋଣରେ ସ୍ୱଚ୍ଛ ଇନ୍ଧନ ପହଞ୍ଚାଯାଇଛି ଏବଂ ଇନ୍ଧନ ଯୋଗାଣକୁ ନିଶ୍ଚିତ କରାଯାଇଛି । ଭାରତର ଏହି ଉଦ୍ୟମକୁ ବିଶ୍ୱବ୍ୟାପୀ ପ୍ରଶଂସା କରାଯାଇଛି । ଇଣ୍ଡିଆ ଏନର୍ଜି ଫୋରମ ଭାରତ ଉର୍ଜ୍ଜା କ୍ଷେତ୍ରକୁ ସ୍ୱତନ୍ତ୍ର ପ୍ଲାଟଫର୍ମ ଯୋଗାଇବ । ଏହା ବିଶ୍ୱର ଶିଳ୍ପପତିମାନଙ୍କୁ ଦେଶର ଉର୍ଜ୍ଜା କ୍ଷେତ୍ରରେ ଯୋଡ଼ି ବିଶ୍ୱ ଉର୍ଜ୍ଜା ଦୃଶ୍ୟପଟ୍ଟରେ ଭାରତକୁ ଆଗେଇ ନେବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି ଶ୍ରୀ ପ୍ରଧାନ ।
ଉଲ୍ଲେଖନୀୟ ଯେ, ସୋମବାର ସେରା ଉଇକ୍ ପକ୍ଷରୁ ଆୟୋଜିତ “ଇଣ୍ଡିଆ ଏନର୍ଜି ଫୋରମ'(ଆଇଇଏଫ)ର ଚତୁର୍ଥ ସଂସ୍କରଣକୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଥିଲେ । ଏହି ଅବସରରେ ସେ କହିଥିଲେ, ଭାରତର ଉର୍ଜ୍ଜା ଭବିଷ୍ୟତ ଉଜ୍ୱଳ ଏବଂ ସୁରକ୍ଷିତ । ଭାରତର ଉର୍ଜ୍ଜା ଶକ୍ତି ବିଶ୍ୱକୁ ଉଜ୍ଜିବୀତ କରିବ ତଥା ବିଶ୍ୱ ଉର୍ଜ୍ଜା ଚାହିଦାର ନେତୃତ୍ୱ ଭାରତ ନେବ । ଭାରତ ବିଶ୍ୱାସ କରେ ଉର୍ଜ୍ଜା ନିହାତି ଭାବେ ସୁଲଭ ଏବଂ ବିଶ୍ୱାସନୀୟ ହେବା ଦରକାର । ଆମେ ଶକ୍ତି କ୍ଷେତ୍ରକୁ ଏଭଳି ଭାବରେ ଦେଖୁ ଯାହା ଲୋକଙ୍କୁ ସଶକ୍ତ ଏବଂ ଜୀବନକୁ ସୁଗମ କରିଥାଏ । ଅକ୍ଷୟ ଉର୍ଜ୍ଜା ଉତ୍ସକୁ ଆଗକୁ ନେବାରେ ଭାରତ ସବୁଠାରୁ ସକ୍ରିୟ ରାଷ୍ଟ୍ରମାନଙ୍କ ମଧ୍ୟରେ ରହିଛି ।
ଏହି କାର୍ଯ୍ୟକ୍ରମରେ ସାଉଦିଆରବର ଉର୍ଜ୍ଜା ମନ୍ତ୍ରୀ ପ୍ରିନ୍ସ ଅବଦୁଲଅଜିଜ୍, ଆମେରିକାର ଉର୍ଜ୍ଜା ସଚିବ ଡ୍ୟାନ ବ୍ରୌଲିଟ୍, ବିଶ୍ୱ ଏବଂ ଭାରତର ତୈଳ ଓ ଗ୍ୟାସ କମ୍ପାନୀର ଶିଳ୍ପ ପ୍ରମୁଖ ଓ ସିଇଓ ଭିସି ଜରିଆରେ ସାମିଲ ହୋଇଥିଲେ । ଭାରତର ବିକାଶ ଯାତ୍ରାରେ ସାମିଲ ହେବାକୁ ବିଶ୍ୱର ତୈଳ ଏବଂ ଗ୍ୟାସର ଶିଳ୍ପପତିଙ୍କୁ ଆହ୍ୱାନ କରାଯାଇଥିଲା ।


Comments are closed, but trackbacks and pingbacks are open.