ଆସନା, (ବି.ବି.ନୁ୍ୟଜ୍): କୁନ୍ଦୁରା ବ୍ଲକ ଫୁଲଭଟ୍ଟା ପଞ୍ଚାୟତ ପଖନାଗୁଡାଛକରୁ କାଳିଆଝୋଲି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡକ ଯୋଜନା ରାସ୍ତାକାମ ଅଧପନ୍ତରିଆ ଭାବେ ପଡିରହିଛି । ଫଳରେ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗତ ୧ବର୍ଷ ହେଲା ଠିକାଦାର ଏହାକୁ ଅସମ୍ପୂର୍ଣ୍ଣ ଭାବେ ଛାଡି ଦେଇ ବିଲ୍ ଉଠେଇ ନେଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ତୁରନ୍ତ ରାସ୍ତାକାମ ସମ୍ପୂର୍ଣ୍ଣ କରିବାକୁ ଦାବି ହୋଇଛି ।
ଫୁଲଭଟ୍ଟା ଗ୍ରାମବାସୀଙ୍କ କହିବା ପ୍ରକାରେ ୨୦୧୮-୧୯ ଆର୍ଥିକ ବର୍ଷରେ ପଖନାଗୁଡା ଛକରୁ କାଳିଆଝୋଲି ପର୍ଯ୍ୟନ୍ତ ୧୧ କିମି ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲେ । ଏଥିପାଇଁ ୩କୋଟି ୬୫ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଥିଲା । ଏହି ଟଙ୍କାରେ ସମ୍ପୃକ୍ତ ଠିକାଦାର ପଖନାଗୁଡାରୁ ପଢେଇକୁଣ୍ଡ ପର୍ଯ୍ୟନ୍ତ ୬କିମି ୪ଶହ ମିଟର ରାସ୍ତା କାମ କରି ବଳକା ୫କିମି ରାସ୍ତା ଆଜିପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କରି ନାହାନ୍ତି । ଫଳରେ ଫୁଲଭଟ୍ଟା ପଞ୍ଚାୟତର ଦୁର୍ଗମ କୁସୁମଗୁଡା, ଜୋଡାମ୍ବ, କେନ୍ଦୁଗୁଡା ଓ ହଳଦୀକୁଣ୍ଡ ପଞ୍ଚାୟତବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହା ବ୍ୟତୀତ କୁନ୍ଦୁରା ଓ କୋଟପାଡ ବ୍ଲକ ବାସିନ୍ଦା ମଧ୍ୟ ହଇରାଣ ହେଉଛନ୍ତି । ଫୁଲଭଟ୍ଟା ସରପଞ୍ଚ ଖଗପତି ପୂଜାରୀ, ବିଜେଡି ପଞ୍ଚାୟତ ସଭାପତି ସୁବା ସାନ୍ତା, ପୂର୍ବତନ ସରପଞ୍ଚ ଟଙ୍କଧର ମୁଦୁଲି, ଶୁକ୍ରୁ କ୍ରାଇସ୍କା, ଘାସିରାମ ଜାନୀ, ସାହେବ ସାନ୍ତା, ପୁଲିନ୍ଦ୍ର ସାନ୍ତା, ଗୁରୁବନ୍ଧୁ ମାଝୀ ପ୍ରମୁଖ କହିଛନ୍ତି ଯେ, ଅଧପନ୍ତିରିଆ ରାସ୍ତା ଯୋଗୁ ଲୋକେ ହଇରାଣ ହେଉଛନ୍ତି । ଗୁପ୍ତେଶ୍ୱର ଶୈବପୀଠକୁ ଯିବାକୁ ହେଲେ ଅଞ୍ଚଳବାସୀଙ୍କୁ ଅଧିକ ୩୦କିମି ବାଟ ବୁଲିକି ଯିବାକୁ ପଡୁଛି । ନିମ୍ନମାନର କାମ ଯୋଗୁ ବର୍ଷକ ମଧ୍ୟରେ କରାଯାଇଥିବା କାମକୁ ମରାମତି କରାଗାଲାଣି । ପଢେଇକୁଣ୍ଡରୁ କାଲିଝୋଲି ପର୍ଯ୍ୟନ୍ତ ବାକିଥିବା ୫କିମି ରାସ୍ତା ତୁରନ୍ତ ଶେଷ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ନହେଲେ ଏନେଇ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯିବ ବୋଲି ଚେତାବନୀ ଦିଆଯାଇଛି ।


Comments are closed, but trackbacks and pingbacks are open.