ପାତ୍ରପୁର, (ବି.ବି.ନୁ୍ୟଜ୍): ରାସ୍ତା ନଥିବାରୁ ଯନ୍ତ୍ରଣା ଭୋଗିଛନ୍ତି ଜଣେ ଜନନୀ । ଦୋଳାରେ ବୁହା ହୋଇ ଗର୍ଭବତୀଙ୍କୁ ଡାକ୍ତରଖାନା ଆଣିଛନ୍ତି ଗ୍ରାମବାସୀ । ଜରଡା ପଞ୍ଚାୟତ ବଇଁଶିଗାଁର ରାମଚନ୍ଦ୍ର ନାୟକଙ୍କ ସ୍ତ୍ରୀ ପୁଷ୍ପାଞ୍ଜଳି ଦଳେଇଙ୍କ ପ୍ରସବ ବେଦନା ହେବା ପରେ ଗ୍ରାମଠୁ ପ୍ରାୟ ଦେଢ଼ କିମି ଦୂର କଦର୍ଯ୍ୟ ରାସ୍ତାରେ ଦୋଳାରେ ବୋହି ଜରଡା ମୁଖ୍ୟ ରାସ୍ତାକୁ ଅଣାଯାଇ ଥିଲା । ସେଠାରୁ ୧୦୨ ଆମ୍ବୁଲାନ୍ସ ଯୋଗେ ପାତ୍ରପୁର ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଙ୍କୁ ପହଞ୍ଚା ଯାଇଥିଲା । ଡାକ୍ତରଖାନାରେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି ।
ସେହିପରି ଖାରିଆଗୁଡା ପଞ୍ଚାୟତ ଅନ୍ତର୍ଗତ ପଦ୍ମପୁର ଗ୍ରାମର ଜଗା ଶବରଙ୍କ ସ୍ତ୍ରୀ ନମିତା ଶବର ସାତ ମାସର ଗର୍ଭବତୀ ଥିବା ବେଳେ ତାଙ୍କ ଗୋଡ଼ ହାତ ଫୁଲିବା ସହ ଯନ୍ତ୍ରଣା ହୋଇଥିଲା । ଜରଡା ନିକଟ ଏକ ଗ୍ରାମର ଜଣେ ଦିଶାରୀଙ୍କ ନିକଟକୁ ଝାଡଫୁଙ୍କ ଲାଗି ନେବାକୁ ପରିବାର ଲୋକ ପ୍ରସ୍ତୁତି ଚଳାଇଥିଲେ । ତେବେ କିଛି ଗ୍ରାମବାସୀ ବାରଣ କରିବାରୁ ପରେ ନମିତାଙ୍କୁ ଡାକ୍ତରଖାନାକୁ ଅଣାଯାଇ ଥିଲା । ମାଦୁକା ବାଡ଼ ଗ୍ରାମ ଠାରୁ ମୁଖ୍ୟ ରାସ୍ତା ପ୍ରାୟ ଚାରି କିମି ଦୂର । ଏକ କିମି ଦୂର ଖାରିଆନାଳ ଯାଏଁ ନମିତାଙ୍କୁ ଦୋଳାରେ ବୋହି ଆଣିଥିଲେ ପରିବାର ଲୋକ ଓ ଗ୍ରାମବାସୀ । ସେଠାରୁ ଏକ ଭଡ଼ା ଗାଡ଼ିରେ ତାଙ୍କୁ ପାତ୍ରପୁର ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଇଥିଲେ । ସେ ବର୍ତ୍ତମାନ ପାତ୍ରପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।


Comments are closed, but trackbacks and pingbacks are open.