କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତିକୁ ରଦ୍ଦ କଲେ ହାଇକୋର୍ଟ

Get real time updates directly on you device, subscribe now.

ଗାଡ଼ି ଫିଟ୍ନେସ୍ ନବୀକରଣ ନକଲେ ଦୈନିକ ୫୦ ଟଙ୍କା ଜରିମାନା ପାଇଁ ଜାରି ହୋଇଥିଲା ନିର୍ଦ୍ଦେଶ
କଟକ,(ବି.ବି.ନ୍ୟୁଜ୍): କୌଣସି ଗାଡ଼ିର ଫିଟ୍ନେସ୍ ଯେଉଁଦିନ ସରିବ ଠିକ୍ ତା’ ପରଦିନ ଏହାର ନବୀକରଣ କରିବାକୁ ପଡ଼ିବ । ଯଦି କୌଣସି କାରଣରୁ ଗାଡ଼ିର ଫିଟ୍ନେସ୍ ନବୀକରଣ କରାଇନପାରିଲ ଏବଂ ଯେତେଦିନ ଏଥିପାଇଁ ବିଳମ୍ୱ ହେବ, ସେତେଦିନଯାଏ ଗାଡ଼ି ମାଲିକଙ୍କୁ ଦୈନିକ ୫୦ ଟଙ୍କା ହିସାବରେ ଜରିମାନା ଗଣିବାକୁ ପଡିବ । ଏହି ମର୍ମରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିକୁ ଓଡ଼ିଶା ହାଇକୋର୍ଟ ରଦ୍ଦ କରି ଦେଇଛନ୍ତି ।
କେନ୍ଦ୍ରର ଏହି ବିଜ୍ଞପ୍ତିକୁ ଚାଲେଞ୍ଜ କରି ଦୀନବନ୍ଧୁ ସାହୁ ଏବଂ ଅନ୍ୟମାନେ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ କେ.ଏସ୍. ଜାଭେରୀ ଏବଂ ବିଚାରପତି ଜଷ୍ଟିସ୍ କେ.ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ମାଡ୍ରାସ ହାଇକୋର୍ଟରେ ପ୍ରଥମରୁ ଏହି ବିଜ୍ଞପ୍ତି ରଦ୍ଦ ହୋଇ ସାରିଥିବାରୁ ଓଡ଼ିଶା ହାଇକୋର୍ଟ ସେହି ଆଧାରରେ ବିଜ୍ଞପ୍ତି ରଦ୍ଦ କରିଥିବା କଥା ଆଦେଶରେ ଉଲ୍ଲେଖ ରହିଛି । ମାଡ୍ରାସ ହାଇକୋର୍ଟର ଆଦେଶ ବିରୋଧରେ କେନ୍ଦ୍ର ସରକାର ସୁପ୍ରିମ୍କୋର୍ଟ ଯାଇଥିବାରୁ ସର୍ବୋଚ୍ଚ ଅଦାଲତ ଏ ନେଇ ଯାହା ଆଦେଶ ଦେବେ ତାହା ଓଡିଶା କ୍ଷେତ୍ରରେ ମଧ୍ୟ ଲାଗୁ ହେବ ବୋଲି ଓଡ଼ିଶା ହାଇକୋର୍ଟ ନିଜ ଆଦେଶରେ ସ୍ପଷ୍ଟ କରିଛନ୍ତି ।
କୌଣସି ଗାଡ଼ି ରାସ୍ତାରେ ଗଡ଼ିବା ପୂର୍ବରୁ ଫିଟ୍ନେସ୍ ସାର୍ଟିଫିକେଟ୍ ହାସଲ କରିବାର ଆବଶ୍ୟକତା ରହିଛି । ଅର୍ଥାତ ଗାଡ଼ି ରାସ୍ତାରେ ଗଡ଼ିବା ପାଇଁ ଫିଟ୍ ଅଛି କି’ ନାହିଁ ତାହା ଫିଟ୍ନେସ୍ ସାର୍ଟିଫିକେଟ୍ ହିଁ ପ୍ରମାଣିତ କରିଥାଏ । ଏଥିପାଇଁ ପ୍ରତ୍ୟେକ ଆର୍ଟିଓଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରତି ଗାଡି ପାଇଁ ଫିଟ୍ନେସ୍ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥାଏ । କିନ୍ତୁ ଅନେକ ଗାଡ଼ି ଫିଟ୍ନେସ୍ ସମୟ ସୀମା ଶେଷ ହୋଇଯାଉଥିଲେ ମଧ୍ୟ ଏହାର ନବୀକରଣ କରୁନଥିଲେ । ଗାଡ଼ି କାଗଜପତ୍ର ଯାଞ୍ଚ ପ୍ରକ୍ରିୟା ଦୁର୍ବଳ ଥିବାରୁ ଗାଡ଼ି ମାଲିକମାନେ ଦୀର୍ଘ ଦିନ ଧରି ଗାଡ଼ିର ଫିଟ୍ନେସ୍ ସାର୍ଟିଫିକେଟ୍ ନବୀକରଣ କରାଉନଥିଲେ । ଏହାଦ୍ୱାରା ଅନେକ ଦୁର୍ଘଟଣା ମଧ୍ୟ ଘଟୁଥିଲା । ଆଉ କେତେକ ଗାଡ଼ି ଧରାପଡ଼ିଯିବା ପରେ ଅଳ୍ପ କିଛି ଜରିମାନା ଦେଇ ଗାଡ଼ିର ଫିଟ୍ନେସ୍ ସାର୍ଟିଫିକେଟ୍ ଆଉଥରେ କରାଇ ନେଉଥିଲେ । ଏଭଳି ପ୍ରକ୍ରିୟାକୁ ବନ୍ଦ କରିବା ଲାଗି କେନ୍ଦ୍ର ସରକାର ସେଣ୍ଟ୍ରାଲ ମୋଟର ଭେଇକିଲ୍ ରୁଲ୍ ୮୧ରେ ସଂଶୋଧନ ଆଣିଥିଲେ । ଏଥିରେ କୁହାଯାଇଥିଲା ଯେ, ଯେଉଁ ଗାଡ଼ି ନବୀକରଣ ପାଇଁ ଯେତେଦିନ ବିଳମ୍ବ କରିବେ ସେହି ଗାଡ଼ି ମାଲିକଙ୍କୁ ନବୀକରଣ ସମୟଠାରୁ ପ୍ରତିଦିନ ୫୦ ଟଙ୍କା ହିସାବରେ ଜରିମାନା ଦେବାକୁ ପଡ଼ିବ । ତାପରେ ଯାଇ ଗାଡ଼ିର ଫିଟ୍ନେସ୍ ସାର୍ଟିଫିକେଟ୍ର ନବୀକରଣ ହୋଇପାରିବ । ଏହାକୁ ଚାଲେଞ୍ଜ କରି ଆବେଦନକାରୀଙ୍କ ସମେତ ଶହ ଶହ ସଂଖ୍ୟକ ଗାଡ଼ି ମାଲିକ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଓଡ଼ିଶା ହାଇକୋର୍ଟ ମାମଲାର ଶୁଣାଣି କରି କେନ୍ଦ୍ର ସରକାରଙ୍କ ଏହି ବିଜ୍ଞପ୍ତିକୁ ରଦ୍ଦ କରି ଦେଇଛନ୍ତି । ଏହି ମାମଲା ଏବେ ସୁପ୍ରିମ୍କୋର୍ଟରେ ବିଚାରଧୀନ ରହିଥିବାରୁ ସୁପ୍ରିମ୍କୋର୍ଟ ଏହି ମାମଲାରେ ଯାହା ରାୟ ଦେବେ ତାହା ଓଡ଼ିଶା କ୍ଷେତ୍ରରେ ମଧ୍ୟ ଲାଗୁ ହେବ ବୋଲି ସ୍ପଷ୍ଟ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons