ବାଲେଶ୍ୱର,(ବି.ବି.ନୁ୍ୟଜ): ବାଲେଶ୍ୱର ଜିଲ୍ଲାର ଖନ୍ତାପଡ଼ା ଓ ଜଳେଶ୍ୱରରେ ପୁଲିସ ପକ୍ଷରୁ ଚଢ଼ଉ ହୋଇ ୭ ଗୋରୁ ବୋଝେଇ ଗାଡ଼ି ଜବତ କରାଯାଇଛି । ଏଥିରେ ସମ୍ପୃକ୍ତ ୧୧ଜଣ ବ୍ୟକ୍ତିଙ୍କୁ ଗିରଫ ସହ ସର୍ବମୋଟ ୧୮୮ ଗୋରୁ ଉଦ୍ଧାର ହୋଇ ଗୋଶାଳାରେ ରଖାଯାଇଛି । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗର ଶେଖ୍ ନୈମୁଦ୍ଧିନ, ଶେଖ୍ ତାଜଦ୍ଧିନ ଓ ଶେଖ୍ ଅବଦୁଲ କାରିକ୍, କଟକ ଶଙ୍କରପୁର ଅଞ୍ଚଳର ଶହୀଦ୍ ଶାହା, ଭଦ୍ରକ କାଜିମହଲାର ପ୍ୟାରା ଖାନ୍ ଓ ପୁରୁଣାବଜାରର କାମ୍ରୁଦ୍ଧିନ ଖାଁ ଏବଂ କଟକ ଶଙ୍କରପୁର ଅଞ୍ଚଳର ପ୍ୟାରା ଖାନ୍ ଅଛନ୍ତି ।
ସୋମବାର ଭୋର ଖନ୍ତାପଡ଼ା ଥାନାର ଏକ ପୁଲିସ୍ ଟିମ୍ ୧୬ନଂ ଜାତୀୟ ରାଜପଥରେ ପାଟ୍ରୋଲିଂ କରୁଥିଲା । ଭଦ୍ରକ୍ରୁ କୋଲକାତାକୁ ବେଆଇନ ଗୋ-ଚାଲାଣ ହେଉଥିବା ବିଶେଷ ସୂତ୍ରରୁ ଖବର ପାଇଥିଲେ । ସେଥିପାଇଁ ସେମାନେ ଶେରଗଡ଼ ଟୋଲ ଗେଟ୍ରେ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରିଥିଲେ । ଯାଞ୍ଚ୍ ବେଳେ ଓଡି ୦୯-ଏଫ-୩୯୦୯ (୧୪ ଚକିଆ ଟ୍ରକ୍), ଓଡି ୨୯-ଡି-୫୮୦୯ (୧୨ଚକିଆ ଟ୍ରକ୍), ଓଆର୦୪ଏଫ-୬୭୫୪(୧୦ଚକିଆ ଟ୍ରକ୍), ଓଡି-୧୭ପି-୬୨୪୦ (୧୪ଚକିଆ ଟ୍ରକ୍) ଏବଂ ଓଆର-୨୧ବି-୪୨୭୩ ନମ୍ବର ବିଶିଷ୍ଟ ପିକ୍ଅପ୍ ଭ୍ୟାନରୁ ଏହି ସବୁ ଗୋରୁଙ୍କୁ ଉଦ୍ଧାର କରିଥିଲେ । ବେଆଇନ ଗୋ-ଚାଲାଣ ଅଭିଯୋଗରେ ୫ ଡ୍ରାଇଭର, ୨ ହେଲପରଙ୍କୁ ଗିରଫ କରାଯାଇଛି ।
ସେହିପରି କୋଲକାତାକୁ ଗୋ-ଚାଲାଣ ହେଉଥିବା ବେଳେ ସୋମବାର ଭୋର ୬୦ ନଂ ଜାତୀୟ ରାଜପଥ ଲକ୍ଷ୍ମଣନାଥ ରୋଡ଼ ଟୋଲପ୍ଲାଜା ନିକଟରୁ ଜଳେଶ୍ୱର ପୁଲିସ ୨ଟି ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ ଜବତ କରିଛି । ବେଆଇନ ଭାବେ ଚାଲାଣ ହେଉଥିବା ୩୨ଟି ଗୋରୁଙ୍କୁ ଉଦ୍ଧାର କରାଯାଇଛି । ଏହି ଘଟଣାରେ ସମ୍ପୃକ୍ତ ୪ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।


Comments are closed, but trackbacks and pingbacks are open.