ଲକ୍ଷ୍ମୀପୁର,(ବି.ବି.ନୁ୍ୟଜ): ଅବିଭକ୍ତ କୋରାପୁଟ ଜିଲ୍ଲାରେ ଜନନୀ ଯନ୍ତ୍ରଣା ଥମିବାର ନାଁ ଧରୁନି । ପ୍ରତିଦିନ କେଉଁଠି ନା କେଉଁଠି ଦୁର୍ଗମ ଅଞ୍ଚଳର ଗର୍ଭବତୀମାନେ ବୁହା ହୋଇ ବହୁ କଷ୍ଟରେ ଡାକ୍ତରଖାନାରେ ପହଞ୍ଚୁଛନ୍ତି । ପୁନର୍ବାର ଏଭଳି ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ବୁର୍ଜା ପଞ୍ଚାୟତର କୁତୁକାଝୋଲା ଗାଁରେ । ଜଣେ ଗର୍ଭବତୀଙ୍କୁ ଦୀର୍ଘ ୩ କିଲୋମିଟର ପାହାଡିଆ ଓ ଜଙ୍ଗଲିଆ ରାସ୍ତା ଦେଇ ଷ୍ଟେ୍ରଚରରେ ବୁହାଯାଇଛି । ବାରମ୍ବାର ଏଭଳି ଅଭାବନୀୟ ଘଟଣା ଘଟୁଥିଲେ ହେଁ, ଜିଲ୍ଲାର ଅଧିକାଂଶ ଗାଁକୁ ଆଜି ପର୍ଯ୍ୟନ୍ତ ରାସ୍ତା ଖଣ୍ଡିଏ ତିଆରି ହୋଇପାରୁନି ।
ମିଳିଥିବା ସୂଚନା ଅନୁଯାୟୀ, ସୋମବାର ସନ୍ଧ୍ୟାରେ କୁତୁକାଝୋଲା ଗାଁର ସବନା ୱାଡେକାଙ୍କ ସ୍ତ୍ରୀ ଜାନକୀ ୱାଡେକାଙ୍କ ହଠାତ୍ ପ୍ରସବକାଳୀନ ବେଦନା ଆରମ୍ଭ ହୋଇଥିଲା । ଏହି ଗାଁଟି ବ୍ଲକ୍ ସଦର ମହକୁମାରୁ ପ୍ରାୟ ୬ କିଲୋମିଟର ଦୂର ଏକ ପାହାଡ ଉପରେ ରହିଥିବା କାରଣରୁ ସେଠାକୁ କୌଣସି ଗାଡି ପହଞ୍ଚିବା ସମ୍ଭବପର ନଥିଲା । ଅନ୍ୟପକ୍ଷରେ ବନ୍ୟପ୍ରାଣୀଙ୍କ ଭୟ ଥିଲା । ପାହାଡିଆ ଦୁର୍ଗମ ରାସ୍ତା ଅତିକ୍ରମ କରି ଜାନକୀଙ୍କୁ ଡାକ୍ତରଖାନା ନେବା ସମ୍ଭବପର ହୋଇନଥିଲା । ରାତିତମାମ ଗର୍ଭ ଯନ୍ତ୍ରଣାରେ ଛଟପଟ ହୋଇଥିଲେ ଜାନକୀ । ଆଜି ସକାଳେ ସବନା ଗାଁ ପାଖ ପାହାଡ ଉପରେ ଚଢି ୧୦୨ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ । କିନ୍ତୁ ଲକ୍ଷ୍ମୀପୁରରେ ୧୦୨ ଆମ୍ବୁଲାନ୍ସ ଅଚଳ ହୋଇପଡିଥିବାରୁ ଅନ୍ୟ ଉପାୟ ନପାଇ ଗାଁର ଆଶାକର୍ମୀଙ୍କୁ ଜଣାଇଥିଲେ । ଆଶାକର୍ମୀ କବିତା ଖରା ୧୦୮ ଆମ୍ବୁଲାନ୍ସକୁ ଫୋନ୍ରେ ଜଣାଇଥିଲେ । କିନ୍ତୁ ଆମ୍ବୁଲାନ୍ସଟି ଲକ୍ଷ୍ମୀପୁରଠାରୁ ସାଢେ ୩ କିଲୋମିଟର ଦୂର ନାଳଚୁଆଁ ଗାଁ ନିକଟରେ ଅଟକିଯାଇଥିଲା । ସେଠାରୁ କୁତୁକାଝୋଲା ଗାଁକୁ ଯିବା ଲାଗି ରାସ୍ତା ନଥିଲା । ସେପଟେ କୁତୁକାଝୋଲା ଗାଁର ବିନ୍ଦ୍ୟ ମିଣିଆକା, ଆଷାଡୁ କୁଲେସିକା, ଜିତୁ ମିଣିଆକା, ସିତ୍ୟ ମିଣିଆକା ପ୍ରମୁଖ ଏକ ଷ୍ଟେ୍ରଚରରେ ଜାନକୀଙ୍କୁ ଦୁର୍ଗମ ରାସ୍ତା ପାରି କରାଇ ଆମ୍ବୁଲାନ୍ସ ପାଖକୁ ନେଇଥିଲେ । ସେଠାରେ ପ୍ରସ୍ତୁତ ହୋଇ ରହିଥିବା ଆମ୍ବୁଲାନ୍ସ ଜାନକୀଙ୍କୁ ସ୍ଥାନୀୟ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା । ଡାକ୍ତର ଜାନକୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ।
ଜିଲ୍ଲାରେ ଜନନୀ ଯାତନା ପ୍ରଥମ ଘଟଣା ନୁହେଁ । ବାରମ୍ବାର ଏଭଳି ଘଟଣା ଘଟିଚାଲିଛି । ପ୍ରଶାସନ ଆଶାଦିଦିମାନଙ୍କ ହାତରେ କେବଳ ଗୋଟିଏ ଲେଖାଏଁ ଷ୍ଟେ୍ରଚର ଧରାଇ ଦେଇ ଚୁପ୍ ହୋଇ ବସି ରହିଛି । ତେଣେ ଦୁର୍ଗମ ଅଞ୍ଚଳର ଲୋକେ ଡାକ୍ତରଖାନାରେ ପହଞ୍ଚିବା ଲାଗି ନାକେଦମ ହେଉଛନ୍ତି । ମୂଳ ସମସ୍ୟା ହେଲା ରାସ୍ତା ନାହିଁ । ସରକାରଙ୍କ ଏତେ ଯୋଜନା ଥାଇ ମଧ୍ୟ ଲୋକଙ୍କ ପାଖରେ ମୌଳିକ ସୁବିଧା ପହଞ୍ଚିପାରୁନାହିଁ । ଯେଉଁଥିପାଇଁ ଗର୍ଭବତୀ, ବୃଦ୍ଧବୃଦ୍ଧା ଏବଂ ଜରୁରୀ ସମୟରେ ଲୋକେ ଡାକ୍ତରଖାନାରେ ପହଞ୍ଚିନପାରି ଅଧା ରାସ୍ତାରେ ଆଖି ବୁଜୁଛନ୍ତି । କେବଳ ପ୍ରଶାସନ ନୁହେଁ, କୌଣସି ନେତାଙ୍କ ପାଦପଡୁନି କୁତୁକାଝୋଲା ଭଳି ପାହାଡିଆ ଅଞ୍ଚଳରେ ।
Comments are closed, but trackbacks and pingbacks are open.