ଆଖି ବୁଜିଲେ ପ୍ରଫେସର ଡାକ୍ତର ଚିତ୍ତ କର

Get real time updates directly on you device, subscribe now.

କଟକ,(ବି.ବି.ବୁ୍ୟରୋ): ଅଗଷ୍ଟ ୨୦ରୁ ନଭେମ୍ବର ୨୦ ତାରିଖ । ଦୀର୍ଘ ତିନି ମାସ ଧରି ମୃତୁ୍ୟ ସହ ସଂଘର୍ଷ କରି ଶେଷରେ ଆଜି ଆଖି ବୁଜିଛନ୍ତି ଏସ୍ସିବି ମେଡିକାଲ୍ କଲେଜ ନେଫ୍ରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ଚିତ୍ତ ରଂଜନ କର । ଚେନ୍ନାଇସ୍ଥିତ ମହାତ୍ମା ଗାନ୍ଧୀ ମେମୋରିଆଲ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ସନ୍ଧ୍ୟାରେ ତାଙ୍କର ପରଲୋକ ହୋଇଛି । କିଡ୍ନୀ ରୋଗ ଚିକିତ୍ସା କ୍ଷେତ୍ରରେ ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ପ୍ରଫେସର କର ଏସ୍ସିବିରେ କାଡାଭରିକ୍ ଟ୍ରାନ୍ସପ୍ଲାଣ୍ଟ୍୍ ଆରମ୍ଭ କରାଯିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରି ରାଜ୍ୟ ଚିକିତ୍ସା ବିଜ୍ଞାନ ଇତିହାସରେ ନୂଆ ଏକ ଫର୍ଦ୍ଧ ଯୋଡ଼ିଥିଲେ । ମାତ୍ର ୫୭ ବର୍ଷ ବୟସ୍କ ଡା. କରଙ୍କ ବିୟୋଗରେ ଏସ୍ସିବି ସମେତ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କରୋନା ଆକ୍ରାନ୍ତ କିଡ୍ନୀ ରୋଗୀମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ଭିତରେ ହିଁ ପ୍ରଫେସର କର ଗତ ଅଗଷ୍ଟ ୨୦ରେ ନିଜେ କରୋନା ସଂକ୍ରମଣର ଶିକାର ହୋଇଥିଲେ । ସେଦିନ ସେ ଏସ୍ସିବିକୁ ଆସି କରୋନା ଆକ୍ରାନ୍ତ କିଡ୍ନୀ ରୋଗୀମାନଙ୍କ ଡାଏଲିସିସ୍ ବ୍ୟବସ୍ଥାର ତଦାରଖ କରିଥିଲେ । ମାତ୍ର ହଠାତ ଅସୁସ୍ଥ ଅନୁଭବ କରିବାରୁ ଦିନ ୨ଟାରେ ଭୁବନେଶ୍ୱରର ଓଲ୍ଡ୍ଟାଉନ୍ ସ୍ଥିତ ବାସଭବନକୁ ଫେରି ଯାଇଥିଲେ । ପରେ କୋଭିଡ୍ ପରୀକ୍ଷାରେ ତାଙ୍କ ରିପୋର୍ଟ ପଜିଟିଭ୍ ବାହାରିଥିଲା । ଅଗଷ୍ଟ ୨୦ ତାରିଖ ସନ୍ଧ୍ୟାରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଅକ୍ସିଜେନ୍ ଦିଆଯାଇଥିଲା । ହେଲେ ଅବସ୍ଥା ଉଦ୍ବେଗଜନକ ଆଡ଼କୁ ଗତି କରିବାରୁ ତାଙ୍କୁ ଭେଣ୍ଟିଲେଟର୍ ମଧ୍ୟରେ ରଖି ଚିକିତ୍ସା କରାଯାଇଥିଲା । ହେଲେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିନଥିଲା । କାରଣ କରୋନା ସହିତ ନିମୋନିଆ ସଂକ୍ରମଣ ଯୋଗୁଁ ଫୁସ୍ଫୁସ୍ରେ ସଂକ୍ରମଣ ବଢ଼ିଯାଇଥିଲା ।
ଦୀର୍ଘ ୧ ମାସରୁ ଅଧିକ ସମୟ ଚିକିତ୍ସିତ ହେବା ସତ୍ତେ୍ୱ ସ୍ଥିତିରେ ସୁଧାର ନଆସିବାରୁ ତାଙ୍କୁ ଉନ୍ନତ ଏକ୍ମୋ (ଏrଟ୍ରା କର୍ପୋରିଆଲ୍ ମେମ୍ବ୍ରାନେ ଅrିଜନେସନ୍) ପଦ୍ଧତିିରେ ଚିକିତ୍ସା ପାଇଁ ଭୁବନେଶ୍ୱରର ଅନ୍ୟ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ପୂର୍ବପରି ଅବସ୍ଥା ଉଦ୍ବେଗଜନକ ରହିବାରୁ ଗତ ଅକ୍ଟୋବର ୭ ରେ ତାଙ୍କୁ ସ୍ୱତନ୍ତ୍ର ଏୟାର୍ ଆମ୍ବୁଲାନ୍ସ ଯୋଗେ ଚେନ୍ନାଇର ମହାତ୍ମା ଗାନ୍ଧୀ ମେମୋରିଆଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ୪୪ଦିନ ଧରି ଏକ୍ମୋ ପଦ୍ଧତିରେ ରହିବା ପରେ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଥିଲା । ମାତ୍ର ଆଜି ଅପରାହ୍ନ ସାଢେ଼ ଗୋଟାଏରେ ହଠାତ ତାଙ୍କର ବ୍ରେନ୍ ଷ୍ଟେ୍ରାକ୍ ହୋଇ ପରେ ଦେହାନ୍ତ ହୋଇଯାଇଥିଲା । ଶେଷ ଶଯ୍ୟା ନିକଟରେ ପତ୍ନୀ ସୁମିିତା ମିଶ୍ର, ଦୁଇ ପୁଅ ନନ୍ଦନ କର ଓ ଚନ୍ଦନ କର ଉପସ୍ଥିତ ଥିଲେ । ଆସନ୍ତାକାଲି ମରଶରୀର ସ୍ୱତନ୍ତ୍ର ଫ୍ଲାଇଟ୍ ଯୋଗେ ଭୁବନେଶ୍ୱରକୁ ଅଣାଯିବ । ତା’ପରେ ଅନ୍ତିମ ସଂସ୍କାର କେଉଁଠି କରାଯିବ ସେ ନିଷ୍ପତ୍ତି ନିଆଯିବ ବୋଲି ସ୍ୱର୍ଗତ କରଙ୍କ ବଡ଼ ପୁଅ ନନ୍ଦନ ସୂଚନା ଦେଇଛନ୍ତି ।
ସୁନ୍ଦରଗଡ଼ ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ପ୍ରଫେସର ଡାକ୍ତର କର ଏସ୍ସିବି ମେଡିକାଲ କଲେଜରୁ ଏମ୍ବିବିଏସ୍ ପାଠ୍ୟକ୍ରମ ଶେଷ କରିବା ପରେ ବୁର୍ଲା ମେଡିକାଲ୍ କଲେଜ୍ରେ ସ୍ନାତକୋତ୍ତର କରିଥିଲେ । ଏହା ପରେ ବନାରସରେ ଡିଏମ୍ ପାଠ୍ୟକ୍ରମ ସମାପ୍ତ କରିଥିଲେ । ଏସ୍ସିବିରେ କିଡ୍ନୀ ରୋଗୀଙ୍କ ପାଇଁ ଡାଏଲିସିସ୍ ବ୍ୟବସ୍ଥା କରିବା, ରାଜ୍ୟରେ କାଡାଭରିକ୍ ଟ୍ରାନ୍ସପ୍ଲାଣ୍ଟ (ମୃତ ବ୍ୟକ୍ତିଙ୍କ ଅଙ୍ଗ ପ୍ରତିରୋପଣ) ଆରମ୍ଭ କରିବା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଭୂମିକା ଓ ଅବଦାନ ରହିଥିଲା । ଡାକ୍ତର କରଙ୍କ ଭଳି ଜଣେ ଖ୍ୟାତନାମା ଚିକିତ୍ସକଙ୍କ ବିୟୋଗ ଏସ୍ସିବି ସମେତ ସମଗ୍ର ରାଜ୍ୟ ପାଇଁ ଅପୂରଣୀୟ କ୍ଷତି ବୋଲି ଏସ୍ସିବି ମେଡିକାଲର ବହୁ ବରିÂ ଡାକ୍ତର ଓ ରାଜ୍ୟର ବିଶିଷ୍ଟ ବ୍ୟକ୍ତିମାନେ ମତ ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons