ଶ୍ମଶାନରେ ‘ଶୁଆ’କୁ ମୁଖାଗ୍ନି

Get real time updates directly on you device, subscribe now.

ବାଲିକୁଦା,(ବି.ବି.ନୁ୍ୟଜ): ବନ୍ଧା ହେଲା କୋକେଇ । ମିଳିଲା ଚାରି କାନ୍ଧ । ଶୁଭିଲା ହରି ନାମ ସତ୍ୟ ହୈ, ରାମ ନାମ ସତ୍ୟ ହୈ । ଗାଁ ଦାଣ୍ଡରେ ଖଇ, କଉଡ଼ି ବିଞ୍ଚାଗଲା । ଜଳିଲା ଜୁଇ । ଦିଆଗଲା ମୁଖାଗ୍ନି । ଜୁଇରେ ଜଳିଲା ମିଟୁର ଚିତା । ଇଏ କୌଣସି ବ୍ୟକ୍ତି ବିଶେଷ ନୁହେଁ । ଏ ହେଉଛି ପରିବାର ସହ ସାମିଲ ହୋଇ ରହିଥିବା ଏକ ‘ଶୁଆ’ପକ୍ଷୀର କଥା । ଏମିତି ଏକ ଘଟଣା ଆଜି ଦେଖିବାକୁ ମିଳିଥିଲା ବାଲିକୁଦା ବ୍ଲକ୍ ମରିଚିପୁର ଗାଁରେ । ଗାଁର ରମେଶ କାଣ୍ଡି ଗତ ୧୨ ବର୍ଷ ଧରି ଏକ ଶୁଆକୁ ଘରେ ପାଳିଥିଲେ । ଶୁଆଟି କିଛି ଦିନ ତାଙ୍କ ପରିବାର ସହ ରହିବା ପରେ ପରିବାରର ସ୍ନେହ ମମତାର ଡୋରରେ ବାନ୍ଧିହୋଇ ଯାଇଥିଲା । ସେ ପରିବାରର ସମସ୍ତଙ୍କୁ ନାଁ ଧରି ଡାକୁଥିଲା । ସମସ୍ତଙ୍କ କଥା ମାନୁଥିଲା । ବେଳେ ବେଳେ ମଣିଷ ପରି ରାଗୁଥିଲା ଆଉ ରୁଷୁଥିଲା ।
କେବଳ ସେତିକି ନୁହେଁ, ପରିବାରର କେହି ସଦସ୍ୟ ବାହାରକୁ ଯାଇ ଅଧିକ ବିଳମ୍ୱ ପର୍ଯ୍ୟନ୍ତ ଘରକୁ ନ ଫେରିଲେ ବ୍ୟସ୍ତ ବିବ୍ରତ ହୋଇ ପଡୁଥିଲା ମିଟୁ । ପୋଷା ମାନିବା ପରେ ପରିବାର ଲୋକେ ତାକୁ ଆଉ ଆବଦ୍ଧ ପଞ୍ଜୁରୀରେ ନ ରଖି ଖୋଲା ଛାଡ଼ି ଦେଇଥିଲେ । ମିଟୁ ସ୍ୱାଧୀନ ଭାବେ ଘରେ ଚରା ବୁଲା କରୁଥିଲା । ମାତ୍ର ଆଜି ଏକ ବିଲେଇ ତାକୁ ଆକ୍ରମଣ କରିଥିଲା । ଏଥିରେ ମିଟୁର ମୃତୁ୍ୟ ଘଟିଥିଲା । ଏଣୁ ପରିବାର ଲୋକେ ଭାଙ୍ଗିପଡ଼ିଥିଲେ । ପରିବାରକୁ ସ୍ନେହ, ଶ୍ରଦ୍ଧାରେ ବାନ୍ଧି ରଖିଥିବା ମିଟୁର ମୃତୁ୍ୟ ପରେ ତାକୁ ହିନ୍ଦୁ ରୀତିନୀତି ଅନୁଯାୟୀ ନିଜ ଲୋକପରି ଦାହ ସଂସ୍କାର କରିଛନ୍ତି ରମେଶ କାଣ୍ଡିଙ୍କ ପରିବାର । ୬ ଖଣ୍ଡ ବାଉଁଶ ଆଣି ସେଥିରେ କୋକେଇ ବାନ୍ଧି ଚାରି କାନ୍ଧରେ ଗାଁ ଦାଣ୍ଡରେ ଶୋଭାଯାତ୍ରା କରି ମଶାଣିକୁ ନେଇ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି । ମିଟି ପାଇଁ ଶୁଦ୍ଧିକ୍ରିୟା ସହ ଏକାଦଶାହ ପାଳନ କରାଯିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons