ମାଲକାନଗିରି,(ବି.ବି.ନୁ୍ୟଜ): ୫ ବର୍ଷ ହେଲା ମାଟି ଖାଇ ବଞ୍ଚୁଥିବା ବାଳିକା ପାଖରେ ପହଞ୍ଚିଲା ପ୍ରଶାସନ । ମାନସିକ ଅବସ୍ଥା ଠିକ୍ ନଥିବାରୁ ପିଲାଟିର ଚିକିତ୍ସା କରିବାକୁ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଗଲା । ବିଭିନ୍ନ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପରେ ପ୍ରଶାସନ ପଦକ୍ଷେପ ନେଇଛି । ଅନ୍ୟପକ୍ଷରେ, ପାଇକା ରୋଗ ଯୋଗୁ ପିଲାଟି ମାଟି ଖାଉଥିବା ଓ ଏହାର ଚିକିତ୍ସା କରାଗଲେ ସେ ସୁସ୍ଥ ହୋଇପାରିବ ବୋଲି ସମ୍ପୃକ୍ତ ଡାକ୍ତର କହିଛନ୍ତି ।
ଏହି ବାଳିକା ହେଲା ମାଲକାନଗିରି ସଦର ବ୍ଲକ ସିନ୍ଦ୍ରୀମାଳ ପଞ୍ଚାୟତ ନିକଟ ଚମ୍ପାଖାରୀ ଗାଁର ନରସିଂହ ମାଢିଙ୍କ ବଡଝିଅ ପୁଷ୍ପା । ଦୀର୍ଘ ୧୦ ବର୍ଷ ହେଲା ପିଲାଟି ମାନସିକ ବିକାରଗସ୍ତ ହୋଇ ଘରେ ରହିଛି । ପିଲାଟି ଏଣେତେଣେ ଚାଲି ଯାଉଥିବାରୁ ପରିବାର ଲୋକେ ତାକୁ ଏକ ଅନ୍ଧାର କୋଠରୀରେ ରଖିଥିଲେ । ଗତ ପାଞ୍ଚବର୍ଷ ହେଲା ପୁଷ୍ପାର ମାଟି ଓ ଇଟା ଗୁଣ୍ଡ ଖାଇବା ଅଭ୍ୟାସ ଆରମ୍ଭ ହୋଇଥିଲା । ଏବେ ପୁଷ୍ପା ଚିକିତ୍ସିତ ହୋଇ ସୁସ୍ଥ ହେବ ବୋଲି ଶୁଣି ପରିବାର ଓ ଗାଁ ଲୋକେ ଖୁସି ହୋଇଛନ୍ତି । ପିଲାଟି ଅନ୍ଧାର ଘରୁ ବାହାରି ଏବେ ମୁକ୍ତ ହୋଇଛି ବୋଲି ଗାଁ ଲୋକେ କହିଛନ୍ତି । ପିଲାଟିର ଚିକିତ୍ସା ପାଇଁ ଅର୍ଥ ବାଧକ ହୋଇଥିଲା । ବାପା ନରସିଂହଙ୍କ ପାଖରେ ଯାହା ଟଙ୍କା ପଇସା ଥିଲା ସବୁ ଖର୍ଚ୍ଚକରି ପୁଷ୍ପାର ଚିକିତ୍ସା କରିଥିଲେ । କିନ୍ତୁ ସେ ସୁସ୍ଥ ହୋଇ ନଥିଲେ । ନରସିଂହ ଜଣେ ଗରିବ ଆଦିବାସୀ ଓ ମୂଲ ଲାଗି ପରିବାର ଚଳାଉଥିବାରୁ ପିଲାଟିକୁ ବାହାରକୁ ନେଇ ଚିକିତ୍ସା କରିବା ସମ୍ଭବ ହେଉ ନଥିଲା । କେବଳ ଗାଁ ଦିଶାରୀ ଓ ଗୁଣିଆଙ୍କ ଦ୍ୱାରସ୍ଥ ହୋଇ ଭାଗ୍ୟକୁ ଆଦରି ରହିଥିଲେ । ଖବର ପ୍ରକାଶ ପରେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଇ ଚମ୍ପାଖାରୀ ଗାଁକୁ ଏକ ଟିମ୍ ପଠାଇ ପୁଷ୍ପାକୁ ଉଦ୍ଧାର କରିଥିଲେ । ପିଲାଟିର ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ କରାଯିବ ବୋଲି ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଡାକ୍ତର ଏକ.ଭୋଳ କହିଛନ୍ତି ।


Comments are closed, but trackbacks and pingbacks are open.