ଖୋଲିବାରେ ଲାଗିଛି ଅଭୟକାନ୍ତଙ୍କ ଅୟସ କାହାଣୀ

Get real time updates directly on you device, subscribe now.

ଭୁବନେଶ୍ୱର : ଜଙ୍ଗଲିବାବୁଙ୍କ ସରକାରୀ ସମ୍ପତ୍ତି ଲୁଟ୍‌ ଏବଂ ଅୟସ କାହାଣୀର ଫର୍ଦ୍ଦ ଖୋଲିବାରେ ଲାଗିଛି । ଯେତିକି ଅଧିକ ଖୋଳତାଡ଼ ହେଉଛି, ସେତିକି ଆଖି ଝଲସିବା ଭଳି ତଥ୍ୟ ସାମ୍ନାକୁ ଆସୁଛି । ଗତ ୩୬ଘଣ୍ଟା ଘରି ଭିଜିଲାନ୍ସ ରେଡ୍‌ ଚାଲିଛି । କୋଟି କୋଟି ଟଙ୍କାର ବେଆଇନ ସମ୍ପତ୍ତିର ସନ୍ଧାନ ମିଳିଛି। ଅତିରିକ୍ତ ପିସିସିଏଫ IFS ଅଭୟକାନ୍ତ ପାଠକଙ୍କ ଲୁଟ୍‌ ର ରହସ୍ୟ ଭେଦ କରିବାକୁ ଓଡିଶା ସହ ୪ଟି ରାଜ୍ୟର ୧୨ଟି ସ୍ଥାନରେ ଚଢାଉ ଚାଲିଛି । ଅତିରିକ୍ତ ପିସିସିଏଫଙ୍କ ଅମାପ ସମ୍ପତ୍ତି ଠାବ କରିବାକୁ ୧୫୦ ଭିଜିଲାନ୍ସ ଅଧିକାରୀ ଲାଗିଛନ୍ତି । ପୁନେରେ ଫ୍ଲାଟ୍ ଓ ଫାର୍ମ ହାଉସ, ପାଟନାରେ କୋଠା, ସଂପର୍କୀୟ ନାଁରେ ଭୁବନେଶ୍ବରରେ ଫ୍ଲାଟ, ନଗଦ ୫୦ଲକ୍ଷ ଟଙ୍କା ସହ ମସର୍ଡିଜ୍, ବିଏମ୍‌ଡବ୍ଲୁ, ହାରିଅର୍ ଭଳି ଦାମୀ କାର୍ ଠାବ କରାଯାଇଛି। ଲକ୍‌ଡାଉନ୍ ସମୟରେ ପରିବାର ସହ ୨୦ଥର ଚାର୍ଟର ପ୍ଲେନ କରି ବୁଲୁଥିଲେ ଅଭୟ । ତାଙ୍କ ସାଙ୍ଗରେ ବୁଲୁଥିଲେ ଦାମୀ ଦରମାରେ ନିୟୋଜିତ ଏକାଧିକ ଘରୋଇ ସିକ୍ୟୁରିଟି ଗାର୍ଡ। ସରକାରୀ ଟଙ୍କାକୁ ଅଭୟକାନ୍ତ ଲୁଟୁଥୁଲେ ଖୁବ ନିର୍ଭୟରେ । ବାବୁ ଶୋଉଥିଲେ ହାତିଦାନ୍ତ ଲଗା ପଲଙ୍କରେ। ଆଜି ଭିଜିଲାନ୍ସ ଅଧିକାରୀମାନେ ପାଠକଙ୍କୁ ନେଇ ଏକାଧିକ ଲକର୍ ଖୋଲିବା ସହ ସଂପତ୍ତି ଆକଳନ କରିଥିଲେ। ଆଜି ତଲାସୀ ବେଳେ ଘରେ ଥିବା ଗୁପ୍ତ କୋଠରୀରୁ ମିଳିଛି ଆଠ ଲକ୍ଷ ଟଙ୍କା ସହ ଏକ କେଜିରୁ ଉର୍ଦ୍ଧ ସୁନା ଗହଣା। ଏହା ସହିତ ଏକ ବନ୍ଧୁକ ମଧ୍ୟ ଜବତ କରାଯାଇଛି।
ଅଭୟକାନ୍ତଙ୍କୁ ଗିରଫ କରି ଭିଜିଲାନ୍ସ ପଚରାଉଚରା କରୁଛି। ଅଭୟଙ୍କ ପୁଅ ଆକାଶ ପାଠକଙ୍କୁ ମହାରାଷ୍ଟ୍ରରୁ ଭୁବନେଶ୍ବର ଅଣାଯାଇଛି। ଖଣ୍ଡଗିରି ଘାଟିକିଆରେ ରହୁଥିବା ଅଭୟଙ୍କ ପୁତୁରା ହର୍ଷଙ୍କ କ୍ଲିନିକ୍‌କୁ ଯାଇ ଖୋଳତାଡ କରିଛି ଭିଜିଲାନ୍ସ ବିଭାଗ। ଗତକାଲି ତାଙ୍କ ଘରୁ ପଚାଶ ଲକ୍ଷ ନଗଦ ଟଙ୍କା ମିଳିଥିଲା। ସେପଟେ ଅଭୟଙ୍କ ଡ୍ରାଇଭର ରହୁଥିବା ପିପିଲି ଘରୁ ମଧ୍ୟ ୨୦ ଲକ୍ଷ ଟଙ୍କା ଜବତ ହୋଇଥିଲା। ଅଭୟଙ୍କ ସହ ତାଙ୍କ ପୁଅ ଆକାଶ, ପୁତୁରା ହର୍ଷ ଓ ଡ୍ରାଇଭର ଜୁମ୍ମା ରାତକୁ ଜେରା ଚାଲିଛି। ଆସନ୍ତା ଡିସେମ୍ବର ୧୨ ତାରିଖରେ ପୁଅର ବାହାଘର ପାଇଁ ରାଜସ୍ଥାନର ଉଦୟପୁରରେ ଏକ ପଞ୍ଚ ତାରକା ହୋଟେଲ ବୁକ କରାଯାଇଥିଲା ଯାହାର ଭଡା ବାବଦକୁ ଏକ କୋଟି ଦେବାକୁ ଏଗ୍ରୀମେଣ୍ଟ କରିଥିଲେ ଅଭୟ। ବିଭିନ୍ନ ରାଜ୍ୟରେ ଅଭୟଙ୍କର ସମ୍ପତ୍ତି ଆକଳନ କରିବାକୁ ଯାଇଥିବା ଭିଜିଲାନ୍ସ ଅଧିକାରୀ ମାନେ ଫେରିନାହାନ୍ତି । ସବୁ ଅଧିକାରୀ ଫେରିବା ପରେ ଯାଇ ଆୟ ବହିର୍ଭୁତ ସମ୍ପତ୍ତିର ପରିମାଣ ଜଣା ପଡିବ ।
ଅଭୟକାନ୍ତ ପାଠକ ସରକାରଙ୍କ ବନୀକରଣ ଯୋଜନା ଦାୟିତ୍ବରେ ଅଛନ୍ତି। ତାଙ୍କ ନାମରେ ବିଭିନ୍ନ ସମୟରେ ଦୁର୍ନୀତି ନେଇ ଅଭିଯୋଗ ହୋଇ ଆସୁଥିଲା। ପ୍ରଶ୍ନ ଉଠୁଛି, ଏତେ ବ୍ୟାପକ ସଂପତ୍ତିର ମାଲିକ ପାଠକ ହେଲେ କେମିତି? ଜଙ୍ଗଲ ଓ ପରିବେଶ ବିଭାଗର ବାବୁମାନେ ଏକଥା ଜାଣିପାରିଲେନି କେମିତି ? ପାଠକଙ୍କ ସଂପତ୍ତି ଆହରଣ ପଛରେ ଆଉ କାହାର ହାତ ଅଛି କି? ପାଠକଙ୍କ ଘରେ ଭିଜିଲାନ୍ସ ଚଢ଼ଉ ପରେ ଏବେ ଏସବୁ ଉପରେ ତନାଘନା ହେବାର ସମ୍ଭାବନା ରହିଛି। ତେବେ ଆୟ ବହିର୍ଭୂତ ସମ୍ପତ୍ତିକୁ ଅଭୟ ଅସ୍ବୀକାର କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons