ନୂଆଦିଲ୍ଲୀ: ଭାରତୀୟ ସେନା ମୁଖ୍ୟ ଜେନେରାଲ ବିପନ ରାୱତ କାରଗିଲ ଯୁଦ୍ଧର ୨୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପାକିସ୍ତାନକୁ ତାର ହରକତ ପାଇଁ ସତର୍କ କରାଇଛନ୍ତି । ପାକିସ୍ତାନ ଯଦି କୌଣସି ଦୁଃସାହସ କରିବ ତେବେ ତାକୁ ଉଚ୍ଚିତ୍ ଜବାବ ଦିଆଯିବ ବୋଲି ସେ କହିଛନ୍ତି । କୌଣସି ପ୍ରକାର ଆତଙ୍କୀ ଗତିବିଧିକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି ।
ସେନାମୁଖ୍ୟ ଆହୁରି ମଧ୍ୟ କହିଛନ୍ତି ଯେ, ପାକିସ୍ତାନୀ ସେନା ବାରମ୍ବାର ଭାରତର ସୀମାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛି । କିନ୍ତୁ, ଆମ ଦେଶର ଅଖଣ୍ଡତା ଓ ସାର୍ବଭୌମତ୍ୱର ସୁରକ୍ଷା ପାଇଁ ଭାରତୀୟ ସେନା ଦୃଢ଼ ଭାବେ ସୀମା ଜଗି ରହିଛନ୍ତି । ଏଥିରେ ଆଦୌ ବି ସନ୍ଦେହ ନାହିଁ କି ପ୍ରତିଟି ଦୁଃସାହସିକ କାର୍ଯ୍ୟ ପାଇଁ ଆତଙ୍କୀମାନଙ୍କୁ ଉଚିତ୍ ଜବାବ ଦିଆଯିବ ।
ଉରି ଆକ୍ରମଣ ପରେ କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକ ଏବଂ ପୁଲୱାମା ଆକ୍ରମଣ ପରେ କରାଯାଇଥିବା ଏୟାର ଷ୍ଟ୍ରାଇକ ଆତଙ୍କବାଦ ନିପାତରେ ଭାରତୀୟ ସେନାର ସଂକଳ୍ପବଦ୍ଧତା ଏବଂ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତିକୁ ଦର୍ଶାଉଥିବା ସେ ପ୍ରକାଶ କରିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, କାରଗିଲ ଯୁଦ୍ଧ ପରଠାରୁ ଭାରତ କୌଣସି ପ୍ରକାର ଯୁଦ୍ଧଠାରୁ ଯଥେଷ୍ଟ ଦୂରତା ବଜାଏ ରଖିଛି । କିନ୍ତୁ, କୌଣସି ବି ପରିସ୍ଥିତିରେ ଯୁଦ୍ଧ କରିବା ପାଇଁ ଭାରତୀୟ ସୈନ୍ୟମାନେ ପ୍ରସ୍ତୁତ ଅଛନ୍ତି । ଏହାବ୍ୟତୀତ ସାଇବର ଏବଂ ଅନ୍ତରୀକ୍ଷ କ୍ଷେତ୍ର ବର୍ତ୍ତମାନ ଯୁଦ୍ଧର ପରିଦୃଶ୍ୟ ବଦଳାଇ ଦେଇଛି ବୋଲି ସେ କହିଛନ୍ତି । ଉଲ୍ଲେଖଯୋଗ୍ୟ, ୨୦୧୪ରୁ ବର୍ତ୍ତମାନ ସୁଦ୍ଧା ଭାରତୀୟ ସେନା ୮୦୦ ରୁ ଊଦ୍ଧ୍ୱର୍ ଆତଙ୍କୀଙ୍କୁ ମାରିବାରେ ସକ୍ଷମ ହୋଇଛନ୍ତି । ଯେଉଁଥିରୁ ୨୪୯ ଆତଙ୍କୀଙ୍କୁ କେବଳ ୨୦୧୮ରେ ନିପାତ କରାଯାଇଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ କିଛିଦିନ ତଳେ ସଂସଦରେ ସୂଚନା ଦିଆଯାଇଥିଲା ।
Comments are closed, but trackbacks and pingbacks are open.