କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ପାଇଁ ଆସନ୍ତା ବର୍ଷ ପ୍ରଥମ ଭାଗରେ ନିର୍ବାଚନ ହେବାର ଥିଲାବେଳେ ଏବେ ଠାରୁ ଶାସକ ଦଳ ତୃଣମୂଳ କଂଗ୍ରେସରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏହାଯୋଗୁ କିଛି ନେତା ଦଳ ଛାଡି ବିଜେପିରେ ଯୋଗ ଦେବାର ସମ୍ଭାବନା ରହିଛି । ଏହି କ୍ରମରେ ରାଜ୍ୟର ପରିବହନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଶୁକ୍ରବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେ ରାଜ୍ୟପାଳଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । ଗତକାଲି ସେ ହୁଗଲି ରିଭର ବ୍ରିଜ୍ କମିଶନରସ(ଏଚଆରବିସି)ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ।
ଶୁଭେନ୍ଦୁଙ୍କ ଇସ୍ତଫା ଦେବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ବଡ ଝଟ୍କା ବୋଲି ମନେ କରାଯାଉଛି । କାରଣ ନନ୍ଦିଗ୍ରାମରୁ ଯେଉଁ ଆନେ୍ଦାଳନ ଆରମ୍ଭ କରି ରାଜ୍ୟରୁ ବାମପନ୍ଥୀ ସରକାରଙ୍କୁ ହଟାଇବାରେ ମମତା ସଫଳ ହୋଇଥିଲେ, ଶୁଭେନ୍ଦୁ ଅଧିକାରୀ ତାହାର ମୁଖ୍ୟ ପୁରୋଧା ଥିଲେ । ହେଲେ ଗତ କିଛି ମାସ ଧରି ଚର୍ଚ୍ଚା ହେଉଛି କି ସେ ତୃଣମୂଳ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇପାରନ୍ତି । ସେ ନିକଟରେ ନନ୍ଦିଗ୍ରାମରେ ଏକ ର୍ୟାଲି କରିଥିଲେ । ସେଥିରେ କିନ୍ତୁ ସେ ତୃଣମୂଳ କଂଗ୍ରେସ କିମ୍ବା ମମତାଙ୍କ ନାଁ ଧରିନଥିଲେ । ସେ କିଛି ମାସ ଧରି ରାଜ୍ୟ କ୍ୟାବିନେଟ ବୈଠକରେ ବି ଯୋଗ ଦେଉନାହାନ୍ତି । ତାଙ୍କ ନିକଟକୁ ଆଲୋଚନା ପାଇଁ ମମତା ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କୁ ପଠାଇଥିଲେ । ମାତ୍ର ସେ କିଶୋରଙ୍କୁ ଭେଟିବା ପାଇଁ ମନା କରିଦେଇଥିଲେ । ଏହାପରେ ଶୁଭେନ୍ଦୁ ଅଧିକାରୀ ବିଜେପିରେ ଯୋଗ ଦେବାର ଚର୍ଚ୍ଚା ଜୋର ଧରିଥିଲା ।
Comments are closed, but trackbacks and pingbacks are open.